ୟୁନେସ୍କୋ – ଇଣ୍ଡିଆ – ଆଫ୍ରିକା ହକାଥନ ସମାପନ କାର୍ଯ୍ୟକ୍ରମରେ ଯୋଗ ଦେଲେ ଉପରାଷ୍ଟ୍ରପତି ଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

18

ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର 25 – ୟୁନେସ୍କୋ – ଇଣ୍ଡିଆ – ଆଫ୍ରିକା ହକାଥନ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ମାଇଲଖୁଣ୍ଟ ହେବ ଏବଂ ଏହି କାର୍ଯ୍ୟକ୍ରମ ସେମାନଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି ଶୁକ୍ରବାର ଉତ୍ତର ପ୍ରଦେଶର ଗ୍ରେଟର ନୋଏଡା ସ୍ଥିତ ଗୌତମବୁଦ୍ଧ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏହି ହକାଥନ ସମାପନ କାର୍ଯ୍ୟକ୍ରମରେ ମାନନୀୟ ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ ଯୋଗଦେଇ କହିଛନ୍ତି ।

ସେ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଜୀବନରେ ବିକାଶ କରିବ । ଭାରତ ବର୍ତ୍ତମାନ ଦ୍ରୁତ ଗତିରେ ଅଗ୍ରସର ହେଉଛି । ଏଭଳି ଅଭିବୃଦ୍ଧି ପୂର୍ବରୁ କେବେ ଦେଖାଯାଇ ନଥିଲା । ନିକଟରେ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ଭାବେ ନିଜକୁ ପରିଣତ କରିଛି । ଆଗାମୀ ଦଶନ୍ଧି ମଧ୍ୟରେ ଭାରତ ତୃତୀୟ ବୃହତମ ଅର୍ଥନୀତି ଭାବରେ ପରିଣତ ହେବ । ଭାରତ ଷ୍ଟ୍ରାଟଅପର ଏକ ଗନ୍ତାଘର । ଭାରତରେ ନୂଆ ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ କରାଯାଇ ଅନେକ ସମସ୍ୟାର ସମାଧାନ କରାଯାଇପାରୁଛି ବୋଲି ମାନନୀୟ ଉପରାଷ୍ଟ୍ରପତି କହିଛନ୍ତି ।

ସେହିପରି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଭାରତର ପ୍ରତ୍ୟେକ ଉଦ୍ଭାବନ ଓ ନବସୃଜନ ସମଗ୍ର ବିଶ୍ୱକୁ ଲାଭପ୍ରଦାନ କରୁଛି ଓ ବର୍ତ୍ତମାନ ସମୟରେ ନବସୃଜନକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି I ସେ କହିଛନ୍ତି ଯେ କୋଭିଡ୍ ଭଳି କଠିନ ସମୟରେ ଭାରତ ଦ୍ୱାରା ପ୍ରସ୍ତୁତ କୋଓ୍ୱିନ୍ ଆପ ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି I  ଏଥିରେ ଟୀକାକରଣ ପ୍ରକ୍ରିୟା ପଞ୍ଜିକରଣରୁ ଆରମ୍ଭ କରି ସାର୍ଟିଫିକେଟ ମିଳିବା ପର୍ଯ୍ୟନ୍ତ ସବୁ ବିଷୟ ସହଜରେ ଅନୁଧ୍ୟାନ କରାଯାଉଥିଲା I ଭାରତର ପ୍ରତ୍ୟେକ ଉଦ୍ଭାବନ ଓ ନବସୃଜନ ସମଗ୍ର ବିଶ୍ୱ ବିଶେଷ ଭାବରେ ଉଭା ହେଉଥିବା ଅର୍ଥନୀତିକୁ ଲାଭପ୍ରଦାନ କରୁଛି I  ୟୁନେସ୍କୋ  – ଇଣ୍ଡିଆ – ଆଫ୍ରିକା ହକାଥନ ସହଯୋଗୀ ରାଷ୍ଟ୍ର ଗୁଡିକ ଦ୍ୱାରା ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମଧାନ ଖୋଜିବାର ଏକ ବୃହତ ପ୍ଲାଟଫର୍ମ  I  ଏହା ସହ ବିଶ୍ୱରେ ପରିବର୍ତ୍ତନ ଆଣିବା ପାଇଁ ଲକ୍ଷ୍ୟ ରଖୁଥିବା ଷ୍ଟାର୍ଟଅପକୁ ମୂଳଦୁଆ ପ୍ରଦାନ କରିବା ଆମର ଲକ୍ଷ୍ୟ ରହିଛି I

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଅନୁସନ୍ଧାନର ଆହ୍ୱାନ ଦେଇଛନ୍ତି, ଯାହା ଆମ ଗବେଷଣା ଏବଂ ନବସୃଜନରେ ନିଆଯାଉଥିବା ପ୍ରୟାସକୁ ପ୍ରୋତ୍ସାହିତ କରୁଛି I ଏକବିଂଶ ଶତାବ୍ଦୀର ଆକାଂକ୍ଷାକୁ ପୂରଣ କରିବା ପାଇଁ ଜାତୀୟ ଶିକ୍ଷା ନୀତି 2020 ଗବେଷଣା ଓ ନବସୃଜନକୁ ନୂଆ ଦିଗଦର୍ଶନ ପ୍ରଦାନ କରିଛି I  ଭାରତ ସମସ୍ତଙ୍କୁ ସାଥିରେ ନେବାରେ  ବିଶ୍ୱାସ କରେ ଏବଂ  ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଶିକ୍ଷା ଏକ ପଥ ପ୍ରଦର୍ଶକ I  ୟୁନେସ୍କୋ  – ଇଣ୍ଡିଆ – ଆଫ୍ରିକା ହକାଥନ କାର୍ଯ୍ୟକ୍ରମ  ସାଂସ୍କୃତିକ ସମ୍ପର୍କକୁ ସମୃଦ୍ଧ କରିବା, ନେତୃତ୍ୱ ତିଆରି କରିବା, ସୃଜନଶୀଳ ଚିନ୍ତାଧାରା, ଉଦ୍ୟମିତା ଓ ଉଭୟ ଦେଶ ମଧ୍ୟରେ ବନ୍ଧୁତାକୁ ସୁଦୃଢ କରିବା ବୋଲି ଶ୍ରୀ ପ୍ରଧାନ କହିଛନ୍ତି I

ଏହି ହକାଥନର ବିଜେତାଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ ଆଫ୍ରିକା ଦେଶର ଛାତ୍ରଛାତ୍ରୀଙ୍କୁ ଭାରତରେ ପାଠ ପଢିବା ପାଇଁ ନିମନ୍ତ୍ରଣ କରିଥିଲେ I ଭାରତ ଏବଂ ଆଫ୍ରିକାରେ ଥିବା ପ୍ରତିଭାକୁ ଏକାଠୀ କରି ଉଭୟ ଦେଶର ଉତ୍ତମ ଭବିଷ୍ୟତ ପାଇଁ ଅଗ୍ରସର ହେବା ଏହି ହକାଥନର ଲକ୍ଷ୍ୟ I ଏହି 36  ଘଣ୍ଟିଆ ହକାଥନରେ ଭାରତ ସମେତ 22 ଆଫ୍ରିକୀୟ ଦେଶର 581 ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ଏବଂ ବିଭିନ୍ନ ସାମାଜିକ, ପ୍ରଯୁକ୍ତିବିଦ୍ୟା ଓ ପରିବେଶ ସମ୍ବନ୍ଧୀୟ ସମସ୍ୟାର ସମାଧାନର ରାସ୍ତା କରିଥିଲେ I

Comments are closed, but trackbacks and pingbacks are open.