ପଖାଳ ଖାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପାଳିଲେ ‘ପଖାଳ ଦିବସ’

33

ଆଜି ହେଉଛି ପଖାଳ ଦିବସ। ୨୦୧୫ ଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ପଖାଳ ଦିବସ ରୂପେ ପାଳନ କରାଯାଏ। ଓଡ଼ିଆ ଘରର ଏହା ହେଉଛି ପ୍ରମୁଖ ପାରମ୍ପରିକ ଖାଦ୍ୟ । ଓଡ଼ିଶା ଓ ଓଡ଼ିିଆଙ୍କ ସହ ପଖାଳର ରହିଛି ସ୍ୱତନ୍ତ୍ର ସମ୍ପର୍କ । ଯାହାର ମଜା ଏବେ ବିଶ୍ୱ ଦରବାରରେ ସମସ୍ତେ ଉଠାଉଛନ୍ତି। ପଖାଳ ନାଁ ଶୁଣିଲେ ସମସ୍ତଙ୍କ ମନରେ ଖୁସି ଭରିଯାଏ। ଓଡ଼ିଶାବାସୀ ଙ୍କର ପଖାଳ କଂସା ଆତ୍ମତୃପ୍ତି କର ଭୋଜନ । ଓଡ଼ିଆମାନଙ୍କ ମନପ୍ରାଣରେ ପଖାଳର ରହିଛି ସ୍ୱତନ୍ତ୍ର ସ୍ଥାନ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ବି ଘିଅ ପଖାଳ ଲାଗି ହୋଇଥାଏ I ପଖାଳ ରେ ଥିବା ପାଣିକୁ ଟଙ୍କ ତୋରାଣି ରୂପରେ ଲାଗି ହୁଏ ।

ଏହି ଅବସରରେ ପଖାଳ ଖାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଖାଳ ଦିବସ ପାଳନ କରିଛନ୍ତି I ପଖାଳ ସହ ବଡି ଚୁରା, ଶାଗ, କୋବି ଭଜା ସହ ଅନ୍ୟାନ୍ୟ ସ୍ୱାଦିଷ୍ଟ ଓଡ଼ିଆ ବ୍ୟଞ୍ଜନର ମଜା ଉଠାଇଥିଲେ ଧର୍ମେନ୍ଦ୍ର । ଆଉ ପଖାଳ ଖାଇ ଧର୍ମେନ୍ଦ୍ର ବେଶ ଖୁସିଥିବା ଦେଖିବାକୁ ମିଳିଛି । ଧର୍ମେନ୍ଦ୍ର ଟ୍ୱିଟ୍ କରି କହିଛନ୍ତି , ଆମ ଓଡ଼ିଆଙ୍କ ଜନଜୀବନରେ ପାରମ୍ପରିକ ଖାଦ୍ୟ ପଖାଳର ସ୍ଥାନ ସ୍ୱତନ୍ତ୍ର । ଏହା କେବଳ ଆମ ପାଇଁ ଏକ ଖାଦ୍ୟ ନୁହେଁ ବରଂ ଖାଦ୍ୟ ପାଇଁ ଥିବା ଆମର ଭଲ ପାଇବା, ଶ୍ରଦ୍ଧା ଓ ସଦିଚ୍ଛାର ନିଚ୍ଛକ ପ୍ରମାଣ । ଆଉ ଏହାସହ ସମସ୍ତଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି ଧର୍ମେନ୍ଦ୍ର ।

ଦିଲ୍ଲୀରୁ ପଲ୍ଲୀ ଆଜି ପ୍ରତିଟି ଓଡ଼ିଆଙ୍କ ଖାଦ୍ୟରେ ପଖାଳ କଂସା ସାମିଲ ହୋଇଥାଏ । ଆଉ ଯଦି ଖରାଦିନ ଆସିଥାଏ ,ତେବେ ତେବେ ପରିବାର ଲୋକଙ୍କ ଗହଣରେ ବସି ପଖାଳ ଖାଇବାର ମଜ୍ଜା ଦ୍ୱିଗୁଣ ଅଧିକ ବଢ଼ିଯାଇଥାଏ I କାରଣ ଧୁ ଧୁ ଖରାବେଳେ ପଖାଳ ତୋରାଣୀ ଟିକେ ତୁଣ୍ଡରେ ଲାଗିଗଲେ ଭାରି ଶାନ୍ତି ମିଳେ । କୃଷି ପ୍ରଧାନ ଆମ ରାଜ୍ୟରେ ଚାଷୀଭାଇ ବିଲରେ କାମ କଲାବେଳେ ଘରୁ ପହଂଚି ଯାଏ ପଖାଳ କଂସା । ଖଟିଖିଆର ଭାତହାଣ୍ଡିରୁ ମନ୍ଦିର ଏପରିକି ସୌଖିନ ହୋଟେଲ ଯାଏଁ ମେନ୍ୟୁରେ ଏବେ ସ୍ଥାନ ପାଉଛି ପଖାଳ ।

ପଖାଳ ଶବ୍ଦଟି ପାଲି ଭାଷାର ପଖାଳିବା ଶବ୍ଦରୁ ଆସିଛି, ଯାହାର ଅର୍ଥ ହେଉଛି ଧୋଇବା । ଓଡ଼ିଆ ଘରର ଏହି ପଖାଳ କେବଳ ଓଡ଼ିଶାରେ ନୁହେଁ ବିଭିନ୍ନ ରାଜ୍ୟ ଓ ଦେଶରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛି । ଅନ୍ୟ ରାଜ୍ୟ ବଙ୍ଗଳାରେ ପଖାଳ କୁ ‘ପାନ୍ତା ଭାତ’ କୁହାଯାଉଥିବା ବେଳେ ଛତିଶଗଡ଼ରେ ‘ପାନି ଭାତ’,ଆସାମରେ ‘ପୋଇତା ଭାତ’ ଓ ତାମିଲନାଡୁରେ ପଖାଳକୁ ‘ପେଜେଧୁ ସାଧମ’ ବୋଲି କୁହାଯାଇଥାଏ । ସାରା ବିଶ୍ୱରେ ଥିବା ଓଡିଆମାନେ ଆଜିର ଦିନରେ ପଖାଳ ଖାଇ ଏହାକୁ ବେଶ ଆଡମ୍ବରରେ ପାଳନ କରୁଛନ୍ତି । ପଖାଳ ସହିତ ବିଭିନ୍ନ ପାରପମ୍ପରିକ ଓଡିଆ ଖାଦ୍ୟ ମେନ୍ୟୁରେ ସ୍ଥାନ ପାଉଛି । ହୋଟେଲ ଓ ରେଷ୍ଟୁରାଂଟ ଗୁଡିକ ମଧ୍ୟ ଏହି ଦିନରେ ସ୍ୱତନ୍ତ୍ର ପଖାଳ କଂସା ର ଚାହିଦା ବେଶ ବଢି ଯାଇଛି I

Comments are closed, but trackbacks and pingbacks are open.