ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

160

ଭୁବନେଶ୍ୱର: ଓଡ଼ିଶାରେ ଖଣି, ଲଜିଷ୍ଟିକ୍ସ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ ଏକ ପ୍ରସ୍ତାବିତ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବା ଦିଗରେ ଆଲୋଚନା କରିବା ପାଇଁ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ଜୟନ୍ତ ସିଂହ ଚୌଧୁରୀ ଏବଂ ଓଡ଼ିଶାର ଦକ୍ଷତା ବିକାଶ ଏବଂ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଉପସ୍ଥିତ ଥିଲେ। ଶ୍ରୀ ପ୍ରଧାନ କହିଛନ୍ତି, ଓଡିଶାର ଖଣି କ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ଆର୍ଥିକ ବିକାଶକୁ ଇନ୍ଧନ ଯୋଗାଇବା ଏବଂ ବୃହତ ଆକାରରେ ନିଯୁକ୍ତି ସୃଷ୍ଟି କରିବାର ଅପାର ସମ୍ଭାବନା ରହିଛି। ଭାରତରେ ପ୍ରଥମ ଥର ପାଇଁ ନୂଆ ଶୈଳୀରେ ପ୍ରତିଷ୍ଠିତ ହେବାକୁ ଥିବା ପ୍ରସ୍ତାବିତ ଉତ୍କର୍ଷ କେନ୍ଦ୍ର ଖଣି କ୍ଷେତ୍ରରେ ବିଶ୍ୱ ମାନଦଣ୍ଡ ସହିତ ସମାନ ଭାବରେ ପ୍ରାସଙ୍ଗିକ ଦକ୍ଷତା ସୁଯୋଗ ପ୍ରଦାନ କରିବା ସହ ଦକ୍ଷତା ଅଭାବକୁ ଦୂର କରିବ। ଖଣି ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ କ୍ଷେତ୍ରରେ ଦକ୍ଷ କର୍ମଚାରୀଙ୍କ ଅଭିବୃଦ୍ଧିକୁ ଆଗେଇ ନେବାରେ ସହାୟକ ହେବ। ଓଡିଶାକୁ ଏକ ଗ୍ଲୋବାଲ୍ ସ୍କିଲ୍ ହବରେ ପରିଣତ କରିବା ପାଇଁ ଥିବା କାର୍ଯ୍ୟପନ୍ଥା ଓ ସମ୍ଭାବନା ଉପରେ ମଧ୍ୟ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ସେ କହିଥିଲେ, ଜାତୀୟ ଦକ୍ଷତା ତାଲିମ କେନ୍ଦ୍ର (ଏନଏସଟିଆଇ), ଭୁବନେଶ୍ୱରରେ ଦକ୍ଷତା ବିକାଶ ପାଇଁ ଏକ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସାରା ଓଡିଶାରେ ଦକ୍ଷତା ବିକାଶ ଦୃଶ୍ୟପଟ୍ଟକୁ ସୁଦୃଢ଼ କରିବା ପାଇଁ ଓଡ଼ିଶାର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଏବଂ ସ୍କିଲ୍ ଇଣ୍ଡିଆ ମଧ୍ୟରେ ଥିବା ସମନ୍ୱୟକୁ ବୃଦ୍ଧି କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ। ସେ କହିଥିଲେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଓଡ଼ିଶାର ଭବିଷ୍ୟତ ପିଢିଙ୍କୁ ଭବିଷ୍ୟତଗାମୀ ଦକ୍ଷତା ପ୍ରଦାନ ପ୍ରଦାନ କରିବା ପାଇଁ ବଦ୍ଧପରିକର। ଭାରତର ପ୍ରତିଭାବାନ ଯୁବଶକ୍ତି କେବଳ ଭାରତରେ ନୁହେଁ ବରଂ ବିଶ୍ୱସ୍ତରରେ ନେତୃତ୍ୱ ନେବା ପାଇଁ ପ୍ରସ୍ତୁତ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ଆଜି ଏହି କଥାକୁ ବାସ୍ତବରେ ପରିଣତ କରିବା ପାଇଁ ଅଙ୍ଗିକାରବଦ୍ଧ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି।

Comments are closed, but trackbacks and pingbacks are open.