ଓଡ଼ିଶାର ପୁନଃନିର୍ମାଣରେ ସରସ୍ୱତୀ ବିଦ୍ୟାମନ୍ଦିରର ରହିବ ବଡ଼ ଯୋଗଦାନ – ଧର୍ମେନ୍ଦ୍ର ପ୍ରଧାନ
ଗତିରାଉତପାଟଣା/କଟକ, ଜୁନ ୧୨ – ଓଡ଼ିଶାର ପୁନଃନିର୍ମାଣରେ ସରସ୍ୱତୀ ବିଦ୍ୟା ମନ୍ଦିରର ବଡ଼ ଯୋଗଦାନ ରହିବ । ଏଥିପାଇଁ ସବୁ ପଞ୍ଚାୟତରେ ଏଭଳି ଦେବାଳୟ ସଦୃଶ ଅନୁଷ୍ଠାନ ତିଆରି ହେବାର ଆବଶ୍ୟକତା ରହିଛି ବୋଲି ଗୁରୁବାର କଟକ ଜିଲ୍ଲା ଗତିରାଉତପାଟଣା ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିରରେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଦ୍ୱାରା ଆୟୋଜିତ “ପ୍ରାଦେଶିକ ପ୍ରଧାନାଚାର୍ଯ୍ୟ ସମ୍ମିଳନୀ”ର ସମାପନ ଉତ୍ସବରେ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପ୍ରଥମେ ଆମ ଦେଶକୁ ସ୍ୱାଧୀନତା ଦେବା ପାଇଁ ଅନେକ ମହାପୁରୁଷ ସଂଗ୍ରାମ କରିବା ସହ ବଳିଦାନ ଦେଇଥିଲେ । ପରେ ସମାଜକୁ ନିରନ୍ତର ସ୍ୱତନ୍ତ୍ରତା ରଖିବା ପାଇଁ ହେଲେ ଉତ୍ତମ ବ୍ୟକ୍ତି ତିଆରି କରିବା ପାଇଁ ଆମର ମହାପୁରୁଷମାନେ ଚିନ୍ତା କରିଥିଲେ । ଏହି ଲକ୍ଷ୍ୟରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ବିଗତ ଶହେ ବର୍ଷ ଧରି ରାଷ୍ଟ୍ର କଲ୍ୟାଣରେ ବ୍ରତୀ ରହୁଥିବା ବ୍ୟକ୍ତି ନିର୍ମାଣରେ ଲାଗିଛି । ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବିଚାର ଫଳରେ ବିଦ୍ୟା ଭାରତୀ ଏକ ସଫଳ ଅନୁଷ୍ଠାନ ଭାବେ ଦଣ୍ଡାୟମାନ ହୋଇଛି । ଗୋଟିଏ ସଂଗଠନରେ ଉଦ୍ଦେଶ୍ୟ, ବିଚାର ଓ ସ୍ପଷ୍ଟତା ଥିଲେ ହିଁ ସାଧିତ ଲକ୍ଷ୍ୟ ପୂରଣ ହୋଇପାରିବ । ସେହି ପରିପ୍ରେକ୍ଷୀରେ ପ୍ରାୟ ୭୫ ବର୍ଷ ଧରି ରାଷ୍ଟ୍ରୀୟ ସ୍ତରରେ ବିଦ୍ୟା ଭାରତୀ ଏବଂ ପାଖାପାଖି ୫୦ ବର୍ଷ ଧରି ଶିକ୍ଷା ବିକାଶ ସମିତି ଓଡ଼ିଶା ସ୍ତରରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିକାଶ ପାଇଁ କାମ କରୁଛି । ଏହି ଅନୁଷ୍ଠାନରେ ଥିବା ପ୍ରଧାନ ଆଚାର୍ଯ୍ୟଙ୍କ ବିଚାର ଓ ସଂସ୍କୃତି କାରଣରୁ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା ରୂପକ ଦେବାଳୟ ସଦୃଶ ହୋଇଛି । ଜାତୀୟ ଶିକ୍ଷାନୀତି-୨୦୨୦ ଅନୁଯାୟୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଡ଼ିକରେ ଶିକ୍ଷା ପଦ୍ଧତିର ମାନ ବୃଦ୍ଧି କରିବା ଦିଗରେ ଆଜିର ସମ୍ମିଳନୀ ସ୍ୱାଗତଯୋଗ୍ୟ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିଶୁ ମନ୍ଦିର ଓଡ଼ିଶା ଶିକ୍ଷା ବିଭାଗର ସ୍ପନ୍ଦନ ସଦୃଶ । ଭାରତୀୟ ପଦ୍ଧତି ଓ ମୂଲ୍ୟବୋଧ ଆଧାରିତ ଶିକ୍ଷା, ଗୁଣାତ୍ମକ ଶିକ୍ଷା ଏବଂ ସାଧାରଣ ଲୋକଙ୍କ ପାଇଁ ଶିକ୍ଷା ପ୍ରଦାନ ସହ ଏକ ନୂଆ ପିଢ଼ି ଗଢ଼ିବାରେ ବିଦ୍ୟା ଭାରତୀ ଓ ଶିକ୍ଷା ବିକାଶ ସମିତି ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୂମିକା ଅତୁଳନୀୟ । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ଦଶମ ବୋର୍ଡ଼ ପରୀକ୍ଷା ସହ ବିଭିନ୍ନ ବୃତ୍ତି ଓ ମେଧା ପରୀକ୍ଷାରେ ସଫଳତା ଅର୍ଜନ କରୁଛନ୍ତି, ଯାହା ପ୍ରଶଂସନୀୟ । ସେହିପରି ଓଡ଼ିଶାରେ ବିଦ୍ୟାଭାରତୀ ପରିବର୍ତ୍ତନର ସୂତ୍ରଧର ହେବାର କ୍ଷମତା ରଖୁଛି । ପରିବର୍ତ୍ତନ ଗୋଟିଏ ଛୋଟ ଅନୁଷ୍ଠାନରୁ ଆରମ୍ଭ ହୁଏ । ଭାରତୀୟ ଛାତ୍ରଛାତ୍ରୀଙ୍କୁ ସଂସ୍କାରୀ, ସ୍ୱାଭିମାନୀ ବନାଇବାରେ ସରସ୍ଵତୀ ବିଦ୍ୟାମନ୍ଦିର ମାଇକ୍ରୋ ସ୍କୋପ ଭାବେ ଉଭା ହେବ ବୋଲି ସେ ମତପ୍ରକାଶ କରିଛନ୍ତି।
Comments are closed, but trackbacks and pingbacks are open.