ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ’ରେ କେନ୍ଦ୍ରମନ୍ତ୍ରୀ

34

ଭୁବନେଶ୍ୱର, ସେପ୍ଟେମ୍ବର ୩୦ – ଭୁବନେଶ୍ୱର ଜନତା ମଇଦାନ ଠାରେ ଶୁକ୍ରବାର ବିଜେପି ପକ୍ଷରୁ ଆୟୋଜିତ ‘ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀ’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନଙ୍କୁ ଦୁର୍ନୀତିଗ୍ରସ୍ତ ଓ ପ୍ରଚାରସର୍ବସ୍ୱ ସ୍ଥାନୀୟ ସରକାରର ଅସଲ ମୁଖା ନ ଖୋଲିବା ପର୍ଯ୍ୟନ୍ତ ବିଶ୍ରାମ ନନେବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ।  

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଜୀଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସ୍ଥାନୀୟ ସରକାରର ଅନ୍ୟାୟ, ଅତ୍ୟାଚାର, କୁଶାସନ ତଥା ପ୍ରଚାରସର୍ବସ୍ୱ ସରକାରର ମୁଖା ନ ଖୋଲିବା ପର୍ଯ୍ୟନ୍ତ ଆମେ ବିଜେପିର ମୋର୍ଚ୍ଚା କାର୍ଯ୍ୟକର୍ତ୍ତାମାନେ ବିଶ୍ରାମ ନେବା ନାହିଁ । ଯେ ପର୍ଯ୍ୟନ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ପରିଶ୍ରମ ବଢ଼ାଇବେ ନାହିଁ, ଓଡ଼ିଶାର ଭାଗ୍ୟ ସେ ପର୍ଯ୍ୟନ୍ତ ବିକଶିତ ହୋଇପାରିବ ନାହିଁ । ଏହା ମୋର୍ଚ୍ଚା ପାଖରୁ ଗୁରୁ ଅପେକ୍ଷା ରଖାଯାଇଛି । ଦଳର ୭ଟି ମୋର୍ଚ୍ଚା ଯଥା କୃଷକ, ମହିଳା, ଯୁବ, ଏସସି, ଏସଟି, ଓବିସି ଓ ସଂଖ୍ୟାଲଘୁ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ସେମାନଙ୍କର ଦାୟିତ୍ୱ ପ୍ରଥମେ ବୁଝିବାକୁ ହେବ । ପାର୍ଟିର ନୀତି ଆଦର୍ଶ ଆଧାରରେ ମୋଦି ସରକାରରେ କ୍ରିୟାନ୍ୱୟନ ହେଉଥିବା ସମସ୍ତ ଯୋଜନା ଗୁଡ଼ିକୁ ରାଜ୍ୟର ଘରେ ଘରେ ପହଞ୍ଚାଇବା ପାଇଁ ପଡ଼ିବ । ଦଳ ଅପେକ୍ଷା ଏହାର ଅଧିକ ଦାୟିତ୍ୱ ମୋର୍ଚ୍ଚାର । ଅଧିକ ପରିଶ୍ରମ କରି ନୂଆ ଲୋକଙ୍କୁ ଦଳ ସହ ଯୋଡିବାକୁ ହେବ । ନୂଆ ନେତୃତ୍ୱ ସୃଷ୍ଟି କରିବାକୁ ହେବ । ମୋର୍ଚ୍ଚା ମାନେ ହିଁ ଦଳୀୟ ନେତୃତ୍ୱକୁ ତିଆରି କରିବାର ପ୍ରଥମ ପାଠଶାଳା । ଏହି ପାଠଶାଳାରେ ନୂଆ ଏନରୋଲମେଣ୍ଟ ତଥା ନାମଲେଖା କରିବା ମୋର୍ଚ୍ଚା ଗୁଡ଼ିକର ଦାୟିତ୍ୱ ।

ରାଜ୍ୟ ସରକାର ଚାଷୀଙ୍କୁ ଦେଉଥିବା ପ୍ରତିଶ୍ରୁତି ପାଳନ ହେଉନାହିଁ । ଗଲା ନିର୍ବାଚନ ସମୟରେ ରାଜ୍ୟ ସରକାର ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦ ହଜାର ଟଙ୍କା କୁଆଡେ ଗଲା ? ପ୍ରଧାନମନ୍ତ୍ରୀ ମୋଦି କୃଷିଜାତ ସାମଗ୍ରୀ ପାଇଁ ଦେଉଥିବା ଏମଏସପିର ଉଚିତ୍ ମୂଲ୍ୟ ଚାଷୀଙ୍କୁ ମିଳୁନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଧାନମନ୍ତ୍ରୀ ପଠାଉଛନ୍ତି କିନ୍ତୁ ରାଜ୍ୟ ସରକାର ଭାରତ ସରକାରଙ୍କୁ ଦେଉଥିବା ଚାଷୀ ତାଲିକାରେ ତାରତମ୍ୟ ରହୁନାହିଁ । କୃଷକ ମୋର୍ଚ୍ଚା ବାରମ୍ବାର ସରକାରଙ୍କୁ ଏହା ପ୍ରଶ୍ନ ପଚାରିବା ସହ ସବୁ ଚାଷୀଙ୍କ ପାଖରେ କଥାକୁ ପହଞ୍ଚାଇବା ଦରକାର । ସେହିପରି ମାତୃ ଓ ଶିଶୁ ମୃତ୍ୟୁହାରରେ ଓଡ଼ିଶା ଆଗରେ ରହିଛି । ଗର୍ଭବତୀ ମହିଳାମାନେ ଖଟିଆରେ ବୁହା ହେଉଛନ୍ତି । ଏ ସରକାର ବାହାପିଆ ନୀତି ଆପଣାଇଛି । ଧୃତରାଷ୍ଟ୍ର ଦୋଷରେ ଗ୍ରସିତ ସରକାର ଆଖିରେ ଅନ୍ଧପୁଟୁଳି ବାନ୍ଧିଛି । ପିଏମ ଆବାସ ଯୋଜନାରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ, ଯେ ପଛୁଆ ଜାତିର ଲୋକଙ୍କୁ ସ୍ୱୀକୃତି ଦେଉନାହିଁ । ମୋଦି ସରକାର ଓବିସି ବର୍ଗଙ୍କୁ ସାମ୍ବିଧାନିକ ପ୍ରଦତ୍ତ ସଂରକ୍ଷଣ ପ୍ରଦାନ କରୁଛନ୍ତି । କିନ୍ତୁ ରାଜ୍ୟରେ ବହୁସଂଖ୍ୟକ ପଛୁଆ ବର୍ଗଙ୍କ ପାଇଁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗୁ ହେଉନାହିଁ । ଓଡିଶା ଏକ ମାତ୍ର ରାଜ୍ୟ ଭାବରେ ଏହି ଅଧିକାରକୁ ଆଙ୍ଗୁଠି ଗେଞ୍ଜି ଛଡ଼ାଇ ନେଇଛନ୍ତି । ମୋଦି ସରକାର ଏସସି ଓ ଏସଟି ବର୍ଗଙ୍କୁ ଗୁରୁତ୍ୱ ଦେଇଥିବା ବେଳେ ରାଜ୍ୟ ସରକାର ଅବହେଳା କରୁଛନ୍ତି । ଦଳୀୟ କର୍ମୀଙ୍କୁ ଟଙ୍କା ବାଣ୍ଟିବା ପାଇଁ ପିଡବ୍ଲୁଡି କୋଡ୍ ବଦଳାଯାଉଛି । ସ୍ଥାନୀୟ ସରକାର ସାଢେ ୪ କୋଟି ଓଡ଼ିଆଙ୍କ ରାଜସ୍ୱକୁ ଦଳୀୟ ପାଣ୍ଠି ଭାବେ ବ୍ୟବହାର କରୁଛନ୍ତି । ରାଜ୍ୟରେ ଆଜି ଅନେକ ସ୍ଥାନରେ ଦାନ ମାଝୀଙ୍କ ଭଳି ଘଟଣା ଘଟୁଛି । ଏହା ବିରୁଦ୍ଧରେ ସବୁ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନଙ୍କୁ ସ୍ୱର ଉତ୍ତୋଳନ କରିବାକୁ ହେବ ।

ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଗସ୍ତରେ ଆସି କାର୍ଯ୍ୟକର୍ତ୍ତା ମାନଙ୍କୁ ଆଗାମୀ ଦିନର ସ୍ପଷ୍ଟ ରାଜନୈତିକ ରଣନୀତି ନେଇ ଗୁରୁମନ୍ତ୍ର ଦେଇଛନ୍ତି । ଏହି ସମ୍ମିଳନୀରେ ନଡ୍ଡାଜୀଙ୍କ ମାର୍ଗଦର୍ଶନରେ ସଂଯୁକ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାମାନେ ଅନୁପ୍ରାଣିତ ହୋଇ ଦଳର ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ଶ୍ରୀ ପ୍ରଧାନ ଆଶାପ୍ରକଟ କରିଛନ୍ତି ।

Comments are closed, but trackbacks and pingbacks are open.