ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ‘ପ୍ରାନ୍ତୀୟ ସଭା ଓ ଲଘୁ ଅଧିବେଶନ’ରେ କେନ୍ଦ୍ରମନ୍ତ୍ରୀ

18

ସମ୍ବଲପୁର ସମେତ ଓଡ଼ିଶାର ସବୁ ସହରରେ ଓ୍ୱେଲଥ୍ କ୍ରିଏସନ କରିବାର ଦାୟିତ୍ୱ ନେବା – ଧର୍ମେନ୍ଦ୍ର ପ୍ରଧାନ

• ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚ ସମାଜରେ ସେବାର ନୂଆ ପରମ୍ପରା ତିଆରି କରିଛି
• ଶକ୍ତି ; ସେବା ଓ ସାହାଯ୍ୟ କରିବା ପାଇଁ ଉପଯୋଗ ହେବା ଦରକାର
• ଟେକ୍ନୋଲୋଜି ମାଧ୍ୟମରେ ଦୁନିଆକୁ ହାତମୁଠାକୁ ଆଣିବାକୁ ହେବ
• ଓଡ଼ିଶା ଏବଂ ଭାରତର ଭାଗ୍ୟ ଓ ଭବିଷ୍ୟତକୁ ବଦଳାଇବାରେ ଯୁବଶକ୍ତି ନେବେ ବଡ ଭୂମିକା

ଭୁବନେଶ୍ୱର/ସମ୍ବଲପୁର, ଏପ୍ରିଲ ୦୬ – ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚ ସମ୍ବଲପୁର ସମେତ ଓଡ଼ିଶାର ସବୁ ସହରରେ ଓ୍ୱେଲଥ୍ କ୍ରିଏସନ କରିବା ପାଇଁ ଉଦ୍ୟମ କରିବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶନିବାର ମା’ ସମଲେଶ୍ୱରୀଙ୍କ ପୁଣ୍ୟ ଭୂମି ଏବଂ ମହାନଦୀ ତଟରେ ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ବାର୍ଷିକ ପ୍ରାନ୍ତୀୟ ସଭା ଓ ଲଘୁ ଅଧିବେଶନ ୨୦୨୪ “ଉତ୍କର୍ଷ”ର ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୁବଶକ୍ତି ହେଉଛି ରାଷ୍ଟ୍ରଶକ୍ତି । ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚ ସମାଜରେ ସେବାର ନୂଆ ସଂସ୍କାର ଓ ପରମ୍ପରା ତିଆରି କରିଛି । ଶକ୍ତି ସେବା ପାଇଁ ଉପଯୋଗ ହେବା ଦରକାର । ଶକ୍ତି ସାହାଯ୍ୟ କରିବା ପାଇଁ ହେବା ଦରକାର । ଏହି ପରିପ୍ରେକ୍ଷୀରେ ପ୍ରଗତି, ଉନ୍ନତି ଓ ବିକାଶ ଦିଗରେ ଅଗ୍ରସର ହେବା ପାଇଁ ମାରଓ୍ୱାଡି ମଞ୍ଚ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସ୍ୱାଗତଯୋଗ୍ୟ । ଅସହାୟ ଲୋକଙ୍କ ସେବା କରି ଏବଂ ଅନ୍ୟ ସାମାଜିକ କଲ୍ୟାଣରେ ସାମିଲ ହୋଇ ଧରାପୃଷ୍ଠରେ ସେବାର ନୂଆ ପରମ୍ପରା ତିଆରି କରିବାରେ ସଂଗଠନର ଯୋଗଦାନ ଅତୁଳନୀୟ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଓ୍ୱେଲଥ୍ କ୍ରିଏଟରଙ୍କୁ ସମ୍ମାନ ଦେଇଥିଲେ । ଆଜି ଆମ ଦେଶ ୨୦୪୭ ସୁଦ୍ଧା ବିକଶିତ ଭାରତ ହେବାର ଲକ୍ଷ୍ୟରେ ଅଗ୍ରସର ହେଉଛି । ଭାରତ ପଞ୍ଚମ ବୃହତ୍ତମ ଅର୍ଥନୈତିକ ରାଷ୍ଟ୍ରରେ ପରିଣତ ହୋଇଛି । ଏହି ସମୟରେ ଓଡ଼ିଶାର ଯୋଗଦାନ କ’ଣ ରହିବ ତଥା ସମ୍ବଲପୁର ଭଳି ବିଭିନ୍ନ ଅନ୍ୟାନ୍ୟ ଜିଲ୍ଲାର ଯୋଗଦାନ କଣ ରହିବ ତା’ ଉପରେ ଚିନ୍ତା କରିବା ଦରକାର । ଆଜି ପରିବର୍ତ୍ତିତ ଟେକ୍ନୋଲୋଜି ସମୟରେ ଦୁନିଆକୁ ହାତମୁଠାକୁ ଆଣିବାକୁ ହେବ । ଓଡ଼ିଶା ଏବଂ ସମଗ୍ର ଭାରତବର୍ଷର ଭାଗ୍ୟ ଓ ଭବିଷ୍ୟତକୁ ବଦଳାଇବାରେ ଯୁବଶକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Comments are closed, but trackbacks and pingbacks are open.