ଭୁବନେଶ୍ୱରରେ ‘ନୂଆଁଖାଇ ଭେଟଘାଟ୍’ରେ କେନ୍ଦ୍ରମନ୍ତ୍ରୀ  

31

ଭୁବନେଶ୍ୱର, ସେପ୍ଟେମ୍ବର ୨୮ – ନବାନ୍ନ ଖାଇବାର ସାଂସ୍କୃତିକ ପରମ୍ପରା ନୂଆଁଖାଇକୁ ଆଜି ଭାରତ ସ୍ୱୀକାର କରିଛି । ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଜୀଙ୍କ ଠାରୁ ଆରମ୍ଭ କରି ଅନେକ ତୁଙ୍ଗ ନେତୃତ୍ୱ ଏହି ପର୍ବର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛନ୍ତି । ଏହା ଆମ ସମାଜ ଓ ସଂସ୍କୃତି ପାଇଁ ବଡ଼ ଉପଲବ୍ଧି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ୱର ଠାରେ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ଓ୍ୱେଷ୍ଟର୍ଣ୍ଣ ଓଡ଼ିଶା ଯୁବା ମଞ୍ଚ’ ପକ୍ଷରୁ ଆୟୋଜିତ ‘ନୂଆଁଖାଇ ଭେଟଘାଟ୍’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି,  ନୂଆଁଖାଇ ହେଉଛି ଆନନ୍ଦ ଓ ଉଲ୍ଲାସ ମନାଇବାର ଅନନ୍ୟ ପର୍ବ । ନୂଆଁଖାଇ ଆଉ ଏକ ଆଞ୍ଚଳିକ ପର୍ବ ହୋଇ ରହିନାହିଁ ବରଂ ଜାତୀୟ ପର୍ବରେ ରୂପାନ୍ତରିତ ହୋଇସାରିଛି । ଆଗାମୀ ଦିନରେ ଏହି ପର୍ବକୁ ଆହୁରି ଭବ୍ୟ ଭାବେ ପାଳନ କରିବା ପାଇଁ ସମସ୍ତେ ପ୍ରତିଜ୍ଞା କରିବା ଦରକାର ।

ବିଗତ ବର୍ଷ ଧରି ଭୁବନେଶ୍ୱରରେ ‘ଓ୍ୱେଷ୍ଟର୍ଣ୍ଣ ଓଡ଼ିଶା ଯୁବା ମଞ୍ଚ’ ପକ୍ଷରୁ ନୂଆଁଖାଇ ଭେଟଘାଟର କାର୍ଯ୍ୟକ୍ରମ ଆୟୋଜନ ହେବା ଖୁସିର ବିଷୟ । ରାଜ୍ୟର ସଂସ୍କୃତି ଓ ଐତିହ୍ୟ ପରମ୍ପରାର ପ୍ରଚାର ପ୍ରସାର କରୁଥିବାରୁ ଆୟୋଜକ ବନ୍ଧୁ ମାନଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

Comments are closed, but trackbacks and pingbacks are open.