ଭୁବନେଶ୍ୱର ଠାରେ ମହିମା ସମାଜର ‘ସନ୍ଥ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ

22

ଭୁବନେଶ୍ୱର: କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସନ୍ଥକବି ଭୀମଭୋଇ ଚେୟାର ପ୍ରତିଷ୍ଠା ହେବ I ଆଜି (ଶନିବାର) ଭୁବନେଶ୍ୱର ଠାରେ “ବିଶ୍ୱପ୍ରସିଦ୍ଧ ମହିମା ଧର୍ମ ଗବେଷଣା ପରିଷଦ ଚାରିଟେବୁଲ ଟ୍ରଷ୍ଟ” ଦ୍ୱାରା ଆୟୋଜିତ ‘ସନ୍ଥ ସମାବେଶ’ରେ ଯୋଗ ଦେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ମାଘ ସପ୍ତମୀ ମହାମେଳା ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ସନ୍ଥକବି ଭୀମ ଭୋଇ ମଣ୍ଡପ ଓ ପାଠାଗାରର ଶୁଭ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ । ମହିମା ଧର୍ମରେ ଦର୍ଶନ ଏବଂ ଗବେଷଣାର ଆବଶ୍ୟକତା ରହିଛି । ଆଗକୁ ୟୁଜିସିର ଅନୁମତି କ୍ରମେ ଓଡ଼ିଶାରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏକ ଚେୟାର ପ୍ରତିଷ୍ଠା ହେବ ।

ସେ କହିଛନ୍ତି ଯେ ମହିମା ଗୋସାଇଁ ଓ ଭୀମଭୋଇ ଯୁଗଦ୍ରଷ୍ଟା ଥିଲେ । ପାଖାପାଖି 200 ବର୍ଷ ତଳେ ମହିମା ଗୋସାଇଁ ଭବିଷ୍ୟତକୁ ଦେଖିପାରିଥିଲେ । ମହିମା ଧର୍ମର ମହାନ ବାର୍ତ୍ତାର ପ୍ରଚାର ଯୋଗୁଁ ବିଶେଷତଃ ଗରିବ ଶ୍ରେଣୀ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ଏହି ଆଧ୍ୟାତ୍ମିକ ଦୁନିଆ, ପରମ୍ପରା ତଥା ବ୍ୟବସ୍ଥା ସହ ଯୋଡ଼ି ହୋଇଛନ୍ତି ।

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ”; ଏହା ହେଉଛି ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ କାଳଜୟୀ ବିଚାର, ଯାହା ଆଜି ସାରା ବିଶ୍ୱକୁ ଦିଗଦର୍ଶନ ଦେଉଛି । ଭୀମଭୋଇ କେବଳ ମହିମାପନ୍ଥୀଙ୍କ ଭିତରେ ସୀମିତ ନୁହଁନ୍ତି । ଜଣେ ସମାଜବାଦୀ, ସମ୍ବେଦନଶୀଳ, ମାନବବାଦୀ କବି ଭାବେ ସେ ସାରା ଓଡ଼ିଶାବାସୀଙ୍କର ଗର୍ବ ଓ ଗୌରବ ଅଟନ୍ତି । ଶୂନ୍ୟ-ଅଲେଖ ମାହାତ୍ମ୍ୟ ତଥା ମହିମା ବିଚାର ଦର୍ଶନର ବିଶ୍ୱବ୍ୟାପୀ ପ୍ରଚାର ପ୍ରସାର ଏବଂ ମହିମା ସାହିତ୍ୟର କଳେବର ବୃଦ୍ଧି ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ପରମ ପୂଜ୍ୟ ମହିମା ସାଧୁ ସନ୍ଥ ମାନଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ ।

Comments are closed, but trackbacks and pingbacks are open.