ଦେବଗଡ଼ ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

241

ଓଡ଼ିଶାକୁ ଆସୁଥବା କେନ୍ଦ୍ରୀୟ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ କ’ଣ ପାଇଁ ? ଧର୍ମେନ୍ଦ୍ର ପ୍ରଧାନ

• ରାଜ୍ୟ ସରକାରଙ୍କୁ ଘାରିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରେୟ ନେଇଯିବା ଡର
• ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବରୁ ଜାତୀୟ ରାଜପଥ ୫୫ କାମ ଅଟକି ରହିଛି
• ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ସମସ୍ତ କାମ ସହଜ ହୋଇଯିବ
• ଦୁଇଟି ପଦ୍ମଫୁଲରେ ଭୋଟ ଦେବାକୁ ନିବେଦନ କଲେ କେନ୍ଦ୍ରମନ୍ତ୍ରୀ
• ପୁରୁଣାଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିରରେ ବଡ଼ଠାକୁରଙ୍କ ପୂଜାର୍ଚ୍ଚନା କଲେ

ଦେବଗଡ଼, ଏପ୍ରିଲ ୩୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରେୟ ନେଇଯିବା ଡରରେ ଅନେକ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରୁନାହାନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ କାରଣରୁ ଜାତୀୟ ରାଜପଥ ୫୫ର କାମ ଅଟକି ରହିଛି ବୋଲି ଦେବଗଡ଼ ବିଧାନସଭା ପ୍ରାର୍ଥୀ ସୁବାସ ପାଣିଗ୍ରାହୀଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ସାମିଲ ହୋଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି, ଜାତୀୟ ରାଜପଥ ୫୩ର କାମ ସରିଛି । ଜାତୀୟ ରାଜପଥ ୫୫ର ୯୦ ପ୍ରତିଶତ କାମ ଶେଷ ହୋଇଛି । ଆଉ ଯାହା କାମ ବାକି ରହିଛି ତାହା ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ହୋଇପାରୁନି । ରାଜ୍ୟ ସରକାର ଜାଣିଶୁଣି ଜମି ଅଧିଗ୍ରହଣ ବିଳମ୍ବ କରୁଛନ୍ତି । ଓଡ଼ିଶାକୁ ଯାହା ସବୁ କେନ୍ଦ୍ରୀୟ ଯୋଜନା ଆସୁଛି, ସେସବୁକୁ ନବୀନ ପଟ୍ଟନାୟକ ବିରୋଧ କରୁଛନ୍ତି । କାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁ ହୋଇଯିବ, ସେହି ଡର ବିଜେଡି ସରକାରକୁ ଘାରୁଛି । ଲଜିଷ୍ଟିକ ପାର୍କ ଓ ୱାଟର ୱେ କାର୍ଯ୍ୟ ମଧ୍ୟ ଥିବା କଥା ଦୋହରାଇଛନ୍ତି ଶ୍ରୀ ପ୍ରଧାନ । ବ୍ରାହ୍ମଣୀ ନଦୀ ଅବବାହିକାରେ ୱାଟର ୱେ କାମ ଧାମରାରୁ ପାରାଦୀପ ଦେଇ ତାଳଚେର ପର୍ଯ୍ୟନ୍ତ ଚାଲିଛି । ଏହାକୁ ବାରକୋଟ ପର୍ଯ୍ୟନ୍ତ ସଂପ୍ରସାରଣ କରାଯିବ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ସମସ୍ତ କାମ ସହଜ ହୋଇଯିବ । ରାଜସ୍ୱ ବିଭାଗ ପକ୍ଷରୁ ଜମି ଅନୁମୋଦନ କରାଇ କାମ ଶେଷ କରାଯିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

ଜାତୀୟ ରାଜପଥର ଜାଲ ଦେବଗଡ଼ରେ କିଏ ବିଛେଇଥିଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ । ରେଲୱେ ଲାଇନ ବାରକୋଟରୁ ଆରମ୍ଭ ହୋଇ ଝାରସୁଗୁଡ଼ା, ତିଲେଇବଣି, ରିଆମାଳ, ଦେଓଗଡ଼ ମ୍ୟୁନିସିପାଲଟି ପର୍ଯ୍ୟନ୍ତ ଯିବ । ଏସବୁ କାମ ବିଜେପି ସରକାର କରିଛି ନା ଆଉ କିଏ କରିଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପ୍ରଧାନ ।

ଦେବଗଡ଼ ବିଧାନସଭା ପ୍ରାର୍ଥୀ ସୁବାସ ପାଣିଗ୍ରାହୀ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ । ଦେବଗଡ଼ବାସୀ ମୋଦୀ ଗ୍ୟାରେଣ୍ଟି ଉପରେ ଭରସା କରି ରାଜ୍ୟରେ ସରକାର ବଦଳାଇବାକୁ ନିଷ୍ପତ୍ତି ନେଇସାରିଛନ୍ତି । ରାଜ୍ୟର ଦୁର୍ନୀତିଗସ୍ତ ବିଜେଡି ସରକାରକୁ ବଦଳାଇ ଏକ ପ୍ରଗତିଶୀଳ ନରେନ୍ଦ୍ର ମୋଦୀଙ୍କ ଡବଲ ଇଞ୍ଜିନ ସରକାର ଆଣିବା ପାଇଁ ମନସ୍ଥ କରିଛନ୍ତି । ଓଡ଼ିଆ ଅସ୍ମିତା, ସ୍ୱାଭିମାନର ସୁରକ୍ଷା ପାଇଁ ହେଉଥିବା ଏହି ନିର୍ବାଚନରେ ଦୁଇଟି ପଦ୍ମଫୁଲରେ ଭୋଟ ଦେଇ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର ଆଣିବାକୁ ଲୋକଙ୍କୁ ସେ ନିବେଦନ କରିଛନ୍ତି ।

ନାମାଙ୍କନ ଦାଖଲ କାର୍ଯ୍ୟକ୍ରମ ପୂର୍ବରୁ ପୁରୁଣାଗଡ଼ ସ୍ଥିତ ଜଗନ୍ନାଥ ମନ୍ଦିରରେ ବଡ଼ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ ଶ୍ରୀ ପ୍ରଧାନ ।

Comments are closed, but trackbacks and pingbacks are open.