ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଯମୁନା ନଦୀକୁ ସ୍ୱଚ୍ଛ କରିବା, ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ଏବଂ ଦିଲ୍ଲୀରେ ସ୍ୱେରେଜ୍ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର.ପାଟିଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, କେନ୍ଦ୍ର ଗୃହ ସଚିବ, ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟର ସଚିବ, ଦିଲ୍ଲୀର ମୁଖ୍ୟ ସଚିବ ଏବଂ କେନ୍ଦ୍ର ତଥା ଦିଲ୍ଲୀ ସରକାରଙ୍କ ଅନେକ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ। ବୈଠକରେ ଉଦବୋଧନ ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ କହିଥିଲେ ଯେ ଯମୁନା କେବଳ ଏକ ନଦୀ ନୁହେଁ, ବରଂ ବିଶ୍ୱାସର ପ୍ରତୀକ ଏବଂ ଏହାର ସ୍ୱଚ୍ଛତାକୁ ମୋଦୀ ସରକାର ପ୍ରାଥମିକତା ଦେଉଛନ୍ତି। ଶ୍ରୀ ଶାହ କହିଥିଲେ ଯେ ଜଳ ଶକ୍ତି ମନ୍ତ୍ରଣାଳୟ ସମସ୍ତ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସ୍.ଟି.ପି.) ପାଇଁ ଏକ ମାନକ ପରିଚାଳନା ପ୍ରକ୍ରିୟା (ଏସ୍.ଓ.ପି) ବିକଶିତ କରିବା ଉଚିତ, ଯେଉଁଥିରେ ସେଗୁଡ଼ିକର ଗୁଣବତ୍ତା, ରକ୍ଷଣାବେକ୍ଷଣ ଏବଂ ନିଷ୍କାସନ ପାଇଁ ମାନକ ପ୍ରତିଷ୍ଠା କରାଯିବା ଉଚିତ। ଏହି ଏସ୍.ଓ.ପି କୁ ଅନ୍ୟ ରାଜ୍ୟଗୁଡ଼ିକ ସହିତ ମଧ୍ୟ ସେୟାର କରାଯିବ ଉଚିତ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ଅମିତ ଶାହ ଗୁରୁତ୍ୱାରୋପ କରି କହିଥିଲେ ଯେ ଯମୁନା, ପାନୀୟ ଜଳ ଏବଂ ଦିଲ୍ଲୀରେ ଜଳ ନିଷ୍କାସନ ପାଇଁ ଆଗାମୀ ୨୦ ବର୍ଷକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯିବା ଉଚିତ। ଯମୁନାକୁ ସଫା କରିବାରେ ଦିଲ୍ଲୀ ଜଳ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଆଲୋକପାତ କରିଥିଲେ ଏବଂ ଏହାକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ବୋର୍ଡରେ ଖାଲି ଥିବା ପଦବୀଗୁଡ଼ିକୁ ତୁରନ୍ତ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଦିଲ୍ଲୀର ଜଳ ବିତରଣ ଦକ୍ଷତା ବୃଦ୍ଧି କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ସମଗ୍ର ସହରରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ପାଇଁ ପ୍ରଭାବଶାଳୀ ଜଳ ପରିଚାଳନା ଆବଶ୍ୟକ। ସେ କହିଥିଲେ, ଦିଲ୍ଲୀରେ ଜଳ ଯୋଗାଣ ପାଇଁ ଜଳ ବୋର୍ଡ ପାଇପ ଲାଇନରେ ଲିକ୍ ରୋକିବା ସହିତ ଜଳ ବଣ୍ଟନ ଢାଞ୍ଚାକୁ ସୁଦୃଢ଼ କରିବା ଉଚିତ। ଶ୍ରୀ ଶାହ ଡ୍ରେନ୍ ସଫା କରିବା ପାଇଁ ବିଶ୍ୱସ୍ତରୀୟ ଜ୍ଞାନକୌଶଳର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।
Comments are closed, but trackbacks and pingbacks are open.