ସମ୍ବଲପୁରରେ ନୂଆଁଖାଇ ପାଳନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

127

ଭୁବନେଶ୍ଵର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରେ ନୂଆଁଖାଇ ପାଳନ କରିଛନ୍ତି। ସେ କେତେକ ବିଧାୟକ ଓ ରାଜ୍ୟ ବାହାରୁ ଆସିଥିବା ସାମ୍ବାଦିକ ଓ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ସହ ମା’ ସମଲେଶ୍ୱରୀ ମନ୍ଦିରକୁ ଯାଇ ଅଧିଷ୍ଠାତ୍ରୀ ଦେବୀଙ୍କ ଦର୍ଶନ କରିଥିଲେ। ଏହାପରେ ସେଠାରେ ନବାନ୍ନ ପ୍ରସାଦ ଗ୍ରହଣ କରିଥିଲେ। ସେଠାରେ ତାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଥିଲେ। ଏହି ଅବସରରେ ରାଜ୍ୟ ବାହାରୁ ଆସିଥିବା ଅତିଥିମାନଙ୍କ ସହ ସମ୍ବଲପୁରର କଳା, ସଂସ୍କୃତି, ଐତିହ୍ୟ, ଇତିହାସ ଓ ପର୍ଯ୍ୟଟନ ସମ୍ପଦ ସମ୍ପର୍କରେ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ। ଏହି ଅବସରରେ ସେ ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କ ଅଞ୍ଚଳ ଗସ୍ତ କରିବା ସହ ଶ୍ୟାମ ସୁନ୍ଦର ପତିଙ୍କ ବାସଭବନରେ ସପରିବାର ନବାନ୍ନ ଖାଇ ନୂଆଁଖାଇ ପର୍ବ ପାଳନ କରିଥିଲେ। ନୂଆଁଖାଇ ସମ୍ପର୍କରେ ମତାମତ ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ନୂଆଁଖାଇ କେବଳ ଏକ ପର୍ବ ନୁହେଁ ବରଂ ଏହା ଏକ ଭାବାବେଗ। ସମସ୍ତେ ଏକାଠି ହେବା ଏବଂ ସାଥିହୋଇ ନବାନ୍ନ ଖାଇବା ଏହି ପର୍ବର ବିଶେଷତ୍ୱ। ନୂଆଁଖାଇରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦ ନେବା ତାଙ୍କର ପରମ ସୌଭାଗ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Comments are closed, but trackbacks and pingbacks are open.