ପୋଖରୀ ଖୋଳା କୁ ନେଇ ଅଭାବନୀୟ କାଣ୍ଡ : ଭାଇ କୁ ହତ୍ୟା କଲା ସମ୍ପର୍କୀୟ ଭାଇ ,ପ୍ରତି ଆକ୍ରମଣ ରେ ହତ୍ୟା ଅଭିଯୁକ୍ତ ର ପତ୍ନୀ ଓ ପୁଅ ଗୁରୁତର

25

ପୋଖରୀ ଖୋଳାକୁ କେନ୍ଦ୍ର କରି ଢେଙ୍କାନାଳ ରେ ଘଟି ଯାଇଛି ଅଭାବନୀୟ କାଣ୍ଡ I ସମ୍ପର୍କୀୟ ଭାଇଙ୍କୁ ଗୁଳି କରି ହତ୍ୟା କରିଛି ଭାଇ ।ଏହିଭଳି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ଦଳେଇ ନାୟକ। ତାଙ୍କୁ ୫୬ ବର୍ଷ ହୋଇଥିଲା। ତାଙ୍କ ଛାତି ଓ ବାମ ହାତରେ ଗୁଳି ବାଜିଛି। ଦଳେଇ ନାୟକଙ୍କୁ ପରିବାର ଲୋକେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଢେଙ୍କାନାଳ ସଦର ଥାନା ପୁଲିସ୍ ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ପାଇଁ କନ୍ଧପାଳ ଗାଁକୁ ଯାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଢେଙ୍କାନାଳ ଏସ୍‌ଡିପିଓ ବିକାଶ ବେହୁରାଙ୍କ ସୂଚନା ଅନୁଯାୟୀ, ମୃତକ ଦଳେଇ ନାୟକ ଓ ଅଭିଯୁକ୍ତ ନୃପତ୍ତି ନାୟକ ଗୋଟିଏ କୁଟୁମ୍ବର। ସେମାନେ ଅଲଗା ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ଭଲ ସଂପର୍କ ନାହିଁ। ନୃପତ୍ତି ନାୟକ ଜଣେ ଠିକାଦାର। ସେ ପାଖରେ ଥିବା ଏକ ପୋଖରୀରୁ ଟ୍ରାକ୍ଟର ଓ ଟ୍ରକ୍ ଲଗାଇ ମାଟି ଉଠାଉଥିଲା। ହେଲେ ଏହାକୁ ୧୦ ଦିନ ହେଲା ବିରୋଧ କରି ଆସୁଥିଲେ ଦଳେଇ ନାୟକ ଓ ତାଙ୍କ ପରିବାର ଲୋକେ। ଗାଁ ରାସ୍ତାଟି ଅଣଓସାରିଆ ହୋଇଥିବାରୁ ତଥା ଟ୍ରକ୍ ଆଦି ଗଲେ ତାହା ନଷ୍ଟ ହୋଇଯାଉଥିବାରୁ ସେହି ବାଟରେ ମାଟି ନ ନେବାକୁ ସେମାନେ ନୃପତ୍ତିଙ୍କୁ କହିଥିଲେ। କିନ୍ତୁ ନୃପତ୍ତି ଶୁଣୁ ନଥିଲା। ଆଜି ସକାଳେ ପୁଣି ମାଟି ନେବାକୁ ଟ୍ରାକ୍ଟର ଆସିବା ବେଳେ ଦଳେଇ ନାୟକ ଠେଙ୍ଗା ଧରି ରାସ୍ତାରେ ଏହାକୁ ଅଟକାଇଥିଲେ। ଏହା ପରେ ଅଭିଯୁକ୍ତ ନୃପତ୍ତି, ତାଙ୍କ ଭାଇ ଓ ବାପା ସେଠାରେ ପହଞ୍ଚିଥିଲେ। ନୃପତ୍ତି ବନ୍ଧୁକ ଧରିଥିଲା। ସେଥିରେ ସେ ଦଳେଇ ନାୟକଙ୍କୁ ଗୁଳି କରିଥିଲା।

ଅନ୍ୟପକ୍ଷରେ ଏହି ଘଟଣା ଏତିକିରେ ଶେଷ ହୋଇ ନ ଥିଲା ଗୁଳିମାଡ କରିଥିବା ନୃପତି ଙ୍କ ପତ୍ନୀ ଓ ପୁଅକୁ ମୃତ ଦଳେଇ ନାୟକ ଙ୍କ ପରିବାର ଲୋକ ପ୍ରତି ଆକ୍ରମଣ କରିଛନ୍ତି । ଘରେ ପଶି ହତ୍ୟା ଅଭିଯୁକ୍ତ ନୁରୁ ନାୟକଙ୍କ ପତ୍ନୀ ଓ ତିନି ବର୍ଷର ପୁଅକୁ ଆକ୍ରମଣ କରାଯାଇଛି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଢେଙ୍କାନାଳ ମେଡିକାଲରେ ଭର୍ତି କରାଯାଇଛି ।

Comments are closed, but trackbacks and pingbacks are open.