ଫ୍ଲୋର ଟେଷ୍ଟ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫାଦେଲେ ଉଦ୍ଧବ ଠାକରେ

23

ଆସନ୍ତାକାଲି ଫ୍ଲୋର ଟେଷ୍ଟ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫାଦେଲେ ଉଦ୍ଧବ ଠାକରେ । ଫେସବୁକ ଲାଇଭ ରେ ଆସି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ଦେଇ ସେ ନିଜର ଇସ୍ତଫା ଘୋଷଣା କରିଛନ୍ତି । ଏହାସହିତ ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି ।

ନିଜର ଇସ୍ତଫା ଘୋଷଣା କରି ସେ କହିଛନ୍ତି “ସମର୍ଥନ ପାଇଁ କଂଗ୍ରେସ ଓ ଏନ୍‌ସିପି କର୍ମୀଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ପ୍ରସ୍ତାବ ପାରିତ ହେଲା ବେଳେ ଶିବସେନା ପାର୍ଟିରୁ ଅନୀଲ ପରବ, ଶୁଭାଶ ଦେଶାଇ ଏବଂ ଆଦିତ୍ୟ ଠାକରେ ଉପସ୍ଥିତ ଥିବା ବେଳେ ଏନ୍‌ସିପି କଂଗ୍ରେସ ସମର୍ଥନ କରିଥିଲେ। କିନ୍ତୁ ଦୁର୍ଭାଗ୍ୟ ଆମ ସରକାରଙ୍କୁ ମାଡ଼ ମାରିଲା” ମୁଁ ଚାହୁଁନି ଶିବ ସୈନିକ ରାସ୍ତାକୁ ଓହ୍ଲାନ୍ତୁ।” ଫେସବୁକରେ ଇସ୍ତଫା ସମ୍ପର୍କରେ ଘୋଷଣା କରିବା ପରେ ଶ୍ରୀ ଠାକରେ ରାଜଭବନରେ ପହଞ୍ଚିଥିଲେ। ସେଠାରେ ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ହସ୍ତାନ୍ତର କରିଛନ୍ତି।

ଉଦ୍ଧବ ଠାକରେଙ୍କ ଇସ୍ତଫା ସହ ମହାରାଷ୍ଟ୍ରରେ ଚାଲିଥିବା ମହା ବିକାଶ ଅଘାଡ଼ି(ଏମଭିଏ) ସରକାରର ପତନ ଘଟିଛି। ଏହି ମେଣ୍ଟ ସରକାରରେ ଶିବସେନା, ଏନସିପି ଓ କଂଗ୍ରେସ ରହିଥିଲେ। ତେବେ ଶିବସେନାର ୪୦ରୁ ଅଧିକ ବିଧାୟକ ବିଦ୍ରୋହ ଘୋଷଣା କରିବାକୁ ଏମଭିଏ ସରକାର ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଇଥିଲା। ଏବେ ଏହି ସଙ୍କଟକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଇଛନ୍ତି।

ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ତାଙ୍କୁ ଗୁରୁବାର ଦିନ ୧୧.୦୫ ଅର୍ଥାତ ଜୁନ ୩୦ରେ ମହାରାଷ୍ଟ୍ର ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକି ଫ୍ଲୋର ଟେଷ୍ଟ ରେ ଦଳର ସଂଖ୍ୟା ଗରିଷ୍ଠତା ର ପ୍ରମାଣ ଦେବାକୁ ନିର୍ଦେଶ ଦେଇଥିଲେ I ଯାହା ପରେ ଶିବସେନା ଏହି ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା । ଶିବସେନାର ମୁଖ୍ୟ ସଚେତକ ସୁନୀଲ ପ୍ରଭୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ସବୁ ପକ୍ଷଙ୍କ ଯୁକ୍ତି ପ୍ରାୟ ୩ ଘଣ୍ଟା ୨୭ ମିନିଟ ଯାଏ ଶୁଣିବା ପରେ ଶିବସେନାର ଆବେଦନକୁ ଖାରଜ କରିଥିଲେ। ରାତି ୯ ପରେ ଶୁଣାଣି ଆରମ୍ଭ କରି ରାଜ୍ୟପାଳ ଙ୍କ ନିଷ୍ପତି ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ I ଏହାର ଅର୍ଥ ସୁପ୍ରିମକୋର୍ଟ ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ କାଏମ ରଖିଥିଲେ।

ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘବୀ ଶିବସେନା ତରଫରୁ ପକ୍ଷ ରଖି କୋର୍ଟକୁ କହିଛନ୍ତି ଯେ, ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ତୁରନ୍ତ ରୋକ ଲଗାଇବାର ଆବଶ୍ୟକତା ରହିଛି ଓ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ହସ୍ତକ୍ଷେପ କରିବା ଉଚିତ ଥିଲା । ଫ୍ଲୋର ଟେଷ୍ଟ ଆଦେଶକୁ ବିରୋଧ କରି ସଞ୍ଜୟ ରାଉତ କହିଛନ୍ତି ଯେ, ଏହି ନିଷ୍ପତ୍ତି ଅସାମ୍ବିଧାନିକ ଓ ଏହା ମାଧ୍ୟମରେ ନିୟମକୁ ଅଣଦେଖା କରାଯାଉଛି ।

ସଞ୍ଜୟ ରାଉତ କହିଛନ୍ତି ଯେ ୧୬ ଜଣ ବିଧାୟକଙ୍କ ଅଯୋଗ୍ୟତା ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ତେଣୁ ଫ୍ଲୋର ଟେଷ୍ଟର ଆଦେଶ ଅସାମ୍ବିଧାନିକ ଅଟେ । ବିଜେପି ରାଜ ଭବନରୁ ରାଜନୀତି କରୁଛି । ସେପଟେ ଏକନାଥ ସିନ୍ଦେ ଗୋଷ୍ଠୀ ଆସନ୍ତାକାଲି ଫ୍ଲୋର ଟେଷ୍ଟ ପାଇଁ ମୁମ୍ବାଇରେ ପହଞ୍ଚିବାକୁ ଘୋଷଣା କରିଛି ।

ତେବେ ଏହାପୂର୍ବରୁ ଆଜି ଗୋଆର ତାଜ ହୋଟେଲରେ ସମସ୍ତ ବିଧାୟକଙ୍କ ରହିବା ବ୍ୟବସ୍ଥା କରାଯାଇଛି ।ସେଠାରେ ଏକାଠି ହୋଇଥିବା ବିଜେପି ନେତାମାନେ ଉତ୍ସବ ମନାଇବା ଆରମ୍ଭ କରିଦେଲେଣି। ହୋଟେଲ୍‌ରେ ଏକାଠି ହୋଇ ସେମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ସପକ୍ଷରେ ନାରା ଲଗାଇଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଦେବେନ୍ଦ୍ର ଫଡନାଭିସ ବିଜେପି ବିଧାୟକଙ୍କୁ ଭେଟିବାକୁ ଯାଇଥିବା ସୂଚନା ମିଳିଛି।

Comments are closed, but trackbacks and pingbacks are open.