କଟକ: ଏସସିବି ମେଡିକାଲର ମାନସିକ ରୋଗ ବିଭାଗରେ ଚିକିତ୍ସାଧୀନ ଥିବା ଜଣେ ରୋଗୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଘଟଣାରେ କମିଶନରେଟ୍ ପୋଲିସ ତଦନ୍ତ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୃତ ରୋଗୀଜଣକ ହେଉଛନ୍ତି ଯାଜପୁର ଅଞ୍ଚଳର ଶ୍ରୀକାନ୍ତ ଦାସ। ଗତ ସେପ୍ଟେମ୍ବର ୨୮ ତାରିଖରେ ତାଙ୍କୁ ଏହି ବିଭାଗରେ ଭର୍ତ୍ତି କରାଯାଇଥିବା ବେଳେ ସେପ୍ଟେମ୍ବର ୩୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା।ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେଯେ ଶ୍ରୀକାନ୍ତଙ୍କୁ ମାନସିକ ରୋଗ ବିଭାଗରେ ପ୍ଲାଷ୍ଟିକ ପାଇପ୍ ସାହାଯ୍ୟରେ ବହୁତ ନିର୍ଦ୍ଧୁମ ମାଡ଼ ମରାଯାଇଥିଲା। ମୃତଦେହ ଉପରେ ଅନେକ କ୍ଷତ ଓ ମାଡ଼ର ଦାଗ ରହିଥିବା ସେମାନେ ଦେଖିବାକୁ ପାଇଥିଲେ। ଏହା ପରେ ପରିବାର ପକ୍ଷରୁ କଟକର ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା। ଅନ୍ୟପଟେ ଶ୍ରୀକାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହାର ସତ୍ୟତା ପ୍ରକାଶ ପାଇଛି। ତାଙ୍କ ଶରୀରରେ ଏକାଧିକ ସ୍ଥାନରେ ଆଘାତ ଲାଗିଥିବା ଏବଂ ମାଡ଼ ଯୋଗୁଁ ହିଁ ତାଙ୍କର ମୃତ୍ୟୁ ହୋଇଥିବା କଥା ରିପୋର୍ଟରୁ ସ୍ପଷ୍ଟ ହୋଇଛି।କଟକ ଡିସିପିଙ୍କ ସୂଚନା ଅନୁଯାୟୀ, ତଦନ୍ତ ପରେ ମାନସିକ ରୋଗ ବିଭାଗରେ କାର୍ଯ୍ୟରତ ଜଣେ ଆଟେଣ୍ଡାଣ୍ଟ ଏବଂ ଜଣେ ସୁରକ୍ଷାକର୍ମୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l
Comments are closed, but trackbacks and pingbacks are open.