ଖରସ୍ରୋତା ନଦୀରେ ଅଘଟଣ : ମିଳିଲା ଆଉ ୨ ମୃତ ଦେହ

39

ଗତକାଲି ଯାଜପୁର ଜିଲ୍ଲା ବଡ଼ସୁଆର ଖରସ୍ରୋତା ନଦୀର ମଙ୍ଗଳାଘାଟରେ ୭ଜଣ ଯୁବକ ବୁଡି ଯାଇଥିଲେ I ସାଙ୍ଗ ହୋଇ ହୋଲି ଖେଳି ସାରି ଗାଧୋଇ ଯିବା ସମୟରେ ଏହି ଅଘଟଣ ଘଟି ଯାଇଥିଲା I ଏହି ଘଟଣାରେ ଗତକାଲି ଦୁଇଜଣ ଯୁବକ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ୬ ଜଣ ନିଖୋଜ ଥିଲେ I ତେବେ ଆଜି ଅଗ୍ନିଶମ କର୍ମଚାରୀ ଙ୍କ ଦ୍ୱାରା ଜଣ ଜଣ କରି ୨ ଜଣ ଙ୍କ ମୃତଦେହ ଉଦ୍ଧାର ହୋଇଛି। ଏବଂ ଆଉ ଦୁଇ ଜଣ ଏ ପର୍ଯ୍ୟନ୍ତ ନିଖୋଜ ଅଛନ୍ତି I ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି ଘଟିଛି। ନିଖୋଜ ଥିବା ଆଉ ଜଣଙ୍କ ସନ୍ଧାନ ଜାରି ରହିଛି। ତେବେ ଗତକାଲି ଜଣେ ଯୁବକ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ପାଇଥିଲେ I ମୃତ ଓ ନିଖୋଜ ପିଲାମାନଙ୍କ ବୟସ ୧୬ରୁ ୨୨ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି ସମସ୍ତେ +୨ ଓ +୩ ର ଛାତ୍ର ଥିଲେ I

ସୂଚନାନୁସାରେ , ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ବନ୍ଧମୁଣ୍ଡ ଗାଁର ରଶ୍ମିରଂଜନ ଜେନା, କରଣ ଜେନା, କୃଷ୍ଣ ଜେନା, ଶୁଭମ୍ ଜେନା, ଅମିତ ଜେନା, ଜାଲପୁରର ବିଶ୍ୱଜିତ ଜେନା ଓ ଯାଜପୁର ଟାଉନ୍‌ର ସମ୍ୱିତ ଜେନା ଗାଧୋଇବା ପାଇଁ ଖରସ୍ରୋତା ନଦୀକୁ ଯାଇଥିଲେ। ମଙ୍ଗଳାଘାଟରେ ଗାଧଉଥିବା ବେଳେ ସାଙ୍ଗମାନଙ୍କ ମଧ୍ୟରେ ଗୋଟିଏ ବାଇଗଣ କୁ ପାଣିକୁ ଫୋପାଡ଼ି ଖେଳ ଚାଲିଥିଲା I ତେବେ ବାଇଗଣଟି ହାତରୁ ଖସି ପାଣିକୁ ଚାଲିଯାଇଥିବା ବେଳେ,ଜଣେ ସାଙ୍ଗ ଆଣିବାକୁ ଯାଇ ଗଣ୍ଡରେ ପଡିଯାଇଥିଲା I ସେଠାରୁ ବାହାରି ନ ପାରିବାରୁ ଜଣେ ପରେ ଜଣେ ସାଙ୍ଗ ଉଦ୍ଧାର କରିବାକୁ ଯାଇ ସମସ୍ତେ ଗଣ୍ଡ ର ଅତଳ ଗର୍ଭକୁ ଚାଲି ଯାଇଥିଲେ I ହେଲେ ଆଉ ବାହାରି ପାରିନଥିଲେ। ସେପଟେ ପରିବାର ଲୋକ ଖୋଜି ଖୋଜି ଆସି ନଦୀ କୂଳରେ ପହଞ୍ଚିଥିଲେ। ହେଲେ କାହାରିକୁ ପାଇନଥିଲେ। କିନ୍ତୁ ନଦୀ ପଠାରେ ସେମାନଙ୍କ ଲୁଗା ଓ ଚପଲ୍‌ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ସାହି ଭାଇଙ୍କୁ କହିଥିଲେ।

ଅଗ୍ନିଶମ ବିଭାଗ ଆସିବା ପୂର୍ବରୁ ଗାଁ ଲୋକେ ୧୭ ବର୍ଷୀୟ ଯୁବକ ଅମିତ ଜେନାକୁ ଉଦ୍ଧାର କରିଥିଲେ। ହେଲେ ଅନ୍ୟମାନଙ୍କୁ ପାଇନଥିଲେ। ପରେ ଯାଜପୁର ଓ ବିଞ୍ଝାରପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ନଦୀ ଗର୍ଭରୁ ଟାଉନର ୨୧ ବର୍ଷିୟ ସମ୍ବିତ ଜେନା ଓ ବନ୍ଧମୁଣ୍ଡାର ୧୬ ବର୍ଷିୟ ଶୁଭମ୍‌ ଜେନାଙ୍କ ମୃତଦେହ ଉଦ୍ଧାର କରିଥିଲେ।
ପବିତ୍ର ଦୋଳ ପୂର୍ଣ୍ଣମୀ ପାଇଁ ଗାଁ ରେ ଅଷ୍ଟମ ପ୍ରହରୀ ନାମ ସଂକୀର୍ତନ ଚାଲିଥିବାବେଳେ I କାଳ ର କୃର ପ୍ରହାର ରେ ନିସ୍ତବ୍ଧ ହେଇଯାଇଛନ୍ତି ଗ୍ରାମବାସୀ I ଆଖିକୁ ଲୁହ ସୁଖୁ ନ ଥିବାବେଳେ, ଅନେକ ଙ୍କ ଘରେ ଚୁଲି ଜଳି ନାହିଁ I ଘରର ବଢ଼ିଲା ପୁଅକୁ ହରାଇ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ ।

Comments are closed, but trackbacks and pingbacks are open.