ରଜନୀଗନ୍ଧା ଫୁଲ ଚାଷ

28

ଅନ୍ୟାନ୍ୟ ଫୁଲ ତୁଳନାରେ ରଜନୀଗନ୍ଧାର ବଜାର ଚାହିଦା ଅଧିକ । ଫୁଲତୋଡ଼ା ସଜାଇବା ତଥା ପର୍ବପର୍ବାଣୀରେ ଏହା ଆବଶ୍ୟକ ହୋଇଥାଏ । ଏଥିରୁ ସୁଗନ୍ଧଯୁକ୍ତ ଅତର ପ୍ରସ୍ତୁତ ହୁଏ । ଏହି ଗଛ ମେକ୍‌ସିକୋରେ ଜନ୍ମ ହୋଇଥିବା କଥା ଜଣାଯାଏ ।
ଉଷ୍ଣ-ଆର୍ଦ୍ର ଜଳବାୟୁରେ ଏହା ଚାଷ କରାଯାଇପାରିବ । ବାୟୁମଣ୍ଡଳର ଉତ୍ତାପ ୨୦ରୁ ୩୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିଲେ ଗଛ ଭଲ ବଢ଼େ । ବିଭିନ୍ନ ପ୍ରକାରର ମାଟିରେ ରଜନୀଗନ୍ଧ୍ରା ଚାଷ କରାଯାଇପାରିବ । ତେବେ ଦୋରସା ଓ ମଟାଳ ଦୋରସା ମାଟିରେ ଏହା ଭଲ ହୋଇଥାଏ । ଜମି ନିଗିଡ଼ା ହେବା ଆବଶ୍ୟକ । ମାଟିର ଅମ୍ଳ ପରିମାପକ ମୂଲ୍ୟ ୬.୫ରୁ ୭.୫ ମଧ୍ୟରେ ରହିବା ଉଚିତ ।
ରଜନୀଗନ୍ଧା କିସମକୁ ସିଙ୍ଗଲ, ଡବଲ ଏବଂ ସେମିଡବଲ ଭାବରେ ଚିହ୍ନା ଯାଇଥାଏ । ପାଖୁଡ଼ାର ସ୍ତର ଅନୁଯାୟୀ ଏପରି ନାମକରଣ ହୋଇଥାଏ । ବାଙ୍ଗାଲୋର ସିଙ୍ଗଲ, ମେକ୍‌ସିକାନ୍ ସିଙ୍ଗଲ, ଶିଙ୍ଗାର, ସ୍ୱର୍ଣ୍ଣରେଖା, ରଜତ ରେଖା, ଭୈରବ, ସୁଭାଷିନ, ପର୍ଲ ଡବଲ, କାଲାକ।। ଡଲ ଆଦି କିସମରୁ ଭଲ ଫୁଲ ମିଳିଥାଏ ।
ରଜନଗନ୍ଧା ଗଛକୁ ମେ-ଜୁନ୍ ମାସରେ ଲଗାଇବା ଉଚିତ । କନ୍ଦରୁ ଗଛ ଲଗାଯାଇଥାଏ । ଏକ ଏକର ଜମିରେ ଲଗାଇବା ପାଇଁ ୬-୮ କ୍ୱିିଣ୍ଟାଲ କନ୍ଦ ଦରକାର ହୋଇଥାଏ । ପ୍ରତି ଲିଟର ପାଣି ସହିତ ୧ ଗ୍ରାମ ବାଭିଷଟିନ ଓ ୨ ମିଲିଲିଟର କ୍ଲୋରୋପାଇରିଫସ୍ ମିଶାଇ ସେହି ପାଣିରେ କନ୍ଦକୁ ବିଶୋଧ କରିଦେବା ଆବଶ୍ୟକ । କ୍ଲୋରୋପାଇରିଫସ ମିଶାଇ ସେହି ପାଣିରେ କନ୍ଦକୁ ବିଶୋଧନ କରିଦେବା ଆବ୍ୟକ । ଧାଡ଼ିକୁ ଧାଡ଼ି ୩୦ ସେଣ୍ଟିମିଟର ଗଛକୁ ଗଛ ୨୦ ସେଣ୍ଟିମିଟର ଦୂରତାରେ କନ୍ଦ ଲଗାଇବାକୁ ହେବ । ଏକ ଏକର ଜମିରେ ପ୍ରାୟ ୬୭ ହଜାର ଗଛ ଲାଗି ପାରିବ । ଶେଷ ଓଡ଼ ଚଶେ ବେଳେ ଏକର ପ୍ରତି ୫୦-୬୦ କ୍ୱିଣ୍ଟାଲ ସଢ଼ା ଗୋବରଖତ ବା କମ୍ପୋଷ୍ଟ ପ୍ରୟୋଗ କରିବାକୁ ହେବ । କନ୍ଦ ଲଗାିବା ସମୟରେ ଏକର ପ୍ରତି ୩୦ କିଲୋଗ୍ରାମ ଯବକ୍ଷାର, ୮୦ କିଲୋଗ୍ରାମ ଫସଫରସ ଓ ୪୦ କିଲୋଗ୍ରାମ ପଟାସ ପ୍ରୟୋଗ କରିବା ଦରକାର । ଏଥିପାଇଁ ୧୭୬ କିଲୋଗ୍ରାମ ଡିଏପି ଓ ୬୭ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଦରକାର ହେବ । ଏହା ବଦଳରେ ୨୨୫ କିଲୋଗ୍ରାମ ଗ୍ରୋମୋର (୧୪-୩୫-୧୪) ଏବଂ ୧୪ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଆବଶ୍ୟକ ହେବ ।

ଗଛ ଲଗାଇବାର ଏକ ମାସ ପରେ ଏକର ପ୍ରତି ୨୫ କିଲୋଗ୍ରାମ ଯବକ୍ଷାର ବା ୫୫ କିଲୋଗ୍ରାମ ୟୁରିଆ ବ୍ୟବହାର କରିବାକୁ ପଡ଼ିବ । ଏହାର ଏକ ମାସ ପରେ ଏକର ପ୍ରତି ୨୫ କିଲୋଗ୍ରାମ ଯବକ୍ଷର ଓ ୪୦ କିଲୋଗ୍ରାମ ପଟାସ ଅବଶ୍ୟକ ହେବ । ଏଥିପାଇଁ ୫୫ କିଲୋଗ୍ରାମ ୟୁରିଆ ଏବଂ ୬୭ କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଦରକାର ପଡ଼ିବ ।
ମଝିରେ ମଝିରେ ଘାସ ବାଛି ଦେବା ଉଚିତ । ମାଟିର ଆବଶ୍ୟକତାକୁ ଚାହିଁ ପାଣି ମଡ଼ାଯାଇପାରେ ।
ରଜନୀଗନ୍ଧା ଗଛରେ ସୂତ୍ରଜୀବ ଆକ୍ରମଣ କରିଥାନ୍ତି । ଏହାଦ୍ୱାରା ଗଛ ବଢ଼ିପାରେ ନାହିଁ । ପତ୍ରର ଅଗ୍ରଭାଗ ଶୁଖିଯାଏ । ଫୁଲ ବାହାରି ନ ପାରି ମରିଯାଏ । ଜମି ପ୍ରସ୍ତୁତିବେଳେ ଏକର ପ୍ରତି ୧୦-୧୨ କିଲୋଗ୍ରାମ କାର୍ବୋଫ୍ୟୁରାନ ପ୍ରୟୋଗ କଲେ ଏହି ରୋଗ ହୁଏନାହିଁ । ଫସଲ କିଆରିରେ ପ୍ରତି ଲିଟର ପାଣି ସହିତ ୨ ମିଲିଲିଟର ମାର୍ଶାଲ ବା ଆୟୁଧ ମିଶାଇ ସ୍ପ୍ରେ କଲେ ଏହା ଦମନ ହୋଇପାରିବ ।
ମୂଳସଢ଼ା ରୋଗ ହେଲ ପତ୍ର ହଳଦିଆ ପଡ଼େ । କାଣ୍ଡ ସଢ଼ିଯାଏ । କନ୍ଦ ପଚି ଯାଇଥାଏ । ଏହାକୁ ଦମନ କରିବା ପାଇଁ ପ୍ରତି ଲିଟର ପାଣି ସହିତ ୩ ଗ୍ରାମ ବ୍ଲାଇଟକସ-୫୦ ବା ଧନୁକପ ମିଶାଇ ଗଛର ମୂଳକୁ ସ୍ପ୍ରେ କରିବା ଆବଶ୍ୟକ ।
ଏହି ଫସଲରେ ଜଉପୋକ ଲାଗିଥାନ୍ତି । ଏମାନେ ପତ୍ର ଏବଂ ଫୁଲରୁ ରସ ଶୋଷି ଖାଇଦିଅନ୍ତି । ଉକୁଣିଆ ପୋକ ମଧ୍ୟ ଗଛରୁ ରସ ଶୋଷି ଖାଇଦିଏ । ଏହା ଯୋଗୁ ଫୁଲ ଅମଳ କମିଯାଏ । ଏମାନଙ୍କୁ ଦମନ କରିବା ପାଇଁ ପ୍ରତି ଲିଟର ପାଣି ସହିତ ୨ ମିଲିଲିଟର ମେଟାସିଷ୍ଟକ୍‌ସ ବା ଧନୁସଷ୍ଟକ୍‌ସ ମିଶାଇ ଫସଲରେ ସ୍ପ୍ରେ କରାଯାଇପାରେ ।
ବେଳେବେଳେ କଢ଼ଖିଆ ପୋକ ଗଛରେ ଲାଗନ୍ତି । ଏମାନେ ଫୁଲ ଓ କଢ଼କୁ ଖାଇଦିଅନ୍ତି । ଫଳରେ ଫୁଲ ଅମଳ କମିଯାଏ । ଏହାକୁ ଦମନ କରିବା ପାଇଁ ପ୍ରତି ଲିଟର ପାଣି ସହିତ ୨ ମିଲିଲିଟର ମାଲାଥିଅନ ବା କୁଇନାଲଫସ୍ ମିଶାଇ ଗଛରେ ପ୍ରୟୋଗ କରିବା ଉଚିତ ।
ରଜନୀଗନ୍ଧା ଲଗାିବାର ୪-୫ ମାସ ପରେ ଫୁଲ ଫୁଟିଥାଏ । ଛୋଟ କନ୍ଦା ଲଗାଇଲେ ଫୁଲ ଆସିବାକୁ ୭-୮ ମାସ ଲାଗିଯାଏ । ସକାଳେ ବା ଅପରାହ୍ନରେ ଫୁଲ ତୋଳିବା ଉଚିତ । ଫୁଲ ସହିତ ଲମ୍ବା ଡେମ୍ଫ କଟାଯାଇଥାଏ । ଫୁଲକୁ ସିଲଭର ନାଇଟ୍ରେଟ୍ ଦ୍ରବଣରେ ବୁଡ଼ାଇଲେ ଅଧିକ ଦିନ ସତେଜ ରହେ । ଗଛ ଲଗାଇବାର ତିନି ବର୍ଷ ପରେ କନ୍ଦ ଅମଳ ହୋଇଥାଏ । ଏକ ଏକର ଜମିରୁ ପ୍ରାୟ ୨୦ କ୍ୱିଣ୍ଟାଲ ଫୁଲ ମିଳିପାରିବ । ସେହିପରି ଏକର ପ୍ରତି ୭୦-୮୦ କ୍ୱିଣ୍ଟାଲ କନ୍ଦ ଅମଳ ହୋଇଥାଏ ।

Comments are closed, but trackbacks and pingbacks are open.