ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧବିରତି ପ୍ରସଙ୍ଗରେ ହୋଇପାରିଲାନି ଡିଲ୍ । ଆଲାସ୍କାରେ ଟ୍ରମ୍ପ-ପୁଟିନ ମହାବୈଠକ । ଦୁଇ ସୁପରପାୱାର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ୧୫୦ ମିନିଟ ଧରି ଚାଲିଲା ଆଲୋଚନା । କିନ୍ତୁ କୌଣସି ଠୋସ ନିଷ୍କର୍ଷ ବାହାରିପାରିନାହିଁ । ୟୁକ୍ରେନରେ ଯୁଦ୍ଧ ଶେଷ କରିବା ପାଇଁ ଟ୍ରମ୍ପ-ପୁଟିନ କୌଣସି ଚୁକ୍ତିରେ ପହଞ୍ଚି ପାରିଲେ ନାହିଁ । ଆଲୋଚନା ପରେ ଉଭୟ ଟ୍ରମ୍ପ ଓ ପୁଟିନ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଡିଲ ନହେବା ଯାଏ କୌଣସି ବୁଝାମଣା ହୋଇପାରିବ ନାହିଁ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି । ଆଲୋଚନା ବେଶ ଗଠନମୂଳକ ଥିଲା । ଅନେକ ପ୍ରସଙ୍ଗରେ ଆଲୋଚନା କରାଯାଇଛି । କିନ୍ତୁ କୌଣସି ପୂର୍ଣ୍ଣ ବୁଝାମଣାରେ ପହଞ୍ଚି ପାରିନାହୁଁ । ଏପର୍ଯ୍ୟନ୍ତ କୌଣସି ଚୁକ୍ତି ହୋଇନାହିଁ। ଶାନ୍ତି ଫେରାଇ ଆଣିବା ପାଇଁ ଏକ ଉପଯୁକ୍ତ ସୁଯୋଗ ପାଇଛୁ । କିନ୍ତୁ ଏଯାଏତାହା ହାସଲ କରିପାରିନାହୁଁ ବୋଲି ଟ୍ରମ୍ପ କହିଛନ୍ତି ।
ଏନେଇ ସେ ନାଟୋ ନେତାଙ୍କ ସହ ଫୋନରେ ଆଲୋଚନା କରିବେ। ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମଧ୍ୟ ଫୋନରେ ବୈଠକ ବିଷୟରେ ଜଣାଇବେ ବୋଲି ସେ କହିଛନ୍ତି। ସେହିପରି ଆଲୋଚନା ପରେ ପୁଟିନ କହିଛନ୍ତି, ଯୁଦ୍ଧର ଅବସାନ ହେଉ ବୋଲି ରୁଷିଆ ଚାହେଁ। ୟୁକ୍ରେନ ଜନସାଧାରଣ ଆମର ଭାଇଭଳି । ୟୁକ୍ରେନରେ ସୁରକ୍ଷା ସୁନିଶ୍ଚିତ ହେବା ଆବଶ୍ୟକ। ଆମେ ଏହା ଉପରେ କାମ କରିବାକୁ ପ୍ରସ୍ତୁତ। ସଙ୍କଟର ସମସ୍ତ ମୂଳ କାରଣକୁ ନିଶ୍ଚିତ ଭାବେ ଦୂର କରାଯିବା ଉଚିତ୍ । ଯଦି ୨୦୨୨ରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହୋଇଥାନ୍ତେ, ତେବେ ରୁଷ-ଯୁକ୍ରେନ ଯୁଦ୍ଧ ହୋଇନଥାନ୍ତା ବୋଲି ପୁଟିନ କହିଛନ୍ତି ।ପରବର୍ତ୍ତୀ ବୈଠକ ମସ୍କୋରେ କରିବାକୁ ପ୍ରସ୍ତାବ ଦେଇଥିଲେ ପୁଟିନ। କିନ୍ତୁ ଟ୍ରମ୍ପ କହିଛନ୍ତି ଆମେ ଦେଖିବୁ । ଖୁବ ଶୀଘ୍ର କଥା ହୋଇପାରୁ ଏବଂ ସମ୍ଭବତଃ ଶୀଘ୍ର ଭେଟିପାରୁ ।
Comments are closed, but trackbacks and pingbacks are open.