ଭୁବନେଶ୍ବର: ବଢ଼ିଲା ଶରଣକୁଳ ଥାନାର ପୂର୍ବତନ ଆଇଆଇସିଙ୍କ ଅଡ଼ୁଆ । ହାଇକୋର୍ଟରେ ଜାମିନ୍ ଆବେଦନ ଖାରଜ । ଜାମିନ୍ ଆବେଦନ ଖାରଜ ପରେ ଏବେ ସୁଜିତ କୁମାରଙ୍କ ମୁଣ୍ଡରେ ଝୁଲୁଛି ଗିରଫଦାରୀ ଭୟ । ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ହେବା ପରେ ଫେରାର ଅଛନ୍ତି ପୂର୍ବତନ ଆଇଆଇସି । ସୁଜିତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି କ୍ରାଇମବ୍ରାଞ୍ଚର ସିଏଡବ୍ଲୁ ବା କ୍ରାଇମ ଏଗେନ୍ଷ୍ଟ ୱିମେନ । ହାଇକୋର୍ଟରେ ଆଗୁଆ ଜାମିନ ଖାରଜ ସହ କୋର୍ଟରେ ଆତ୍ମସମର୍ପଣ କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ପରେ ସୁଜିତଙ୍କୁ ନିଲମ୍ବନ କରାଯାଇଥିଲା । ଏହାସହ ଶରଣକୁଳ ଥାନାରେ ୧୩୩/୨୬ରେ ଦୁଷ୍କର୍ମ ମାମଲା ରୁଜୁ କରାଯିବା ସହ ପୁଲିସ ତଦନ୍ତ ଚଳାଇଥିଲା । ଏହାପରେ ମାମଲା କ୍ରାଇମବ୍ରାଞ୍ଚର ସିଏଡବ୍ଲୁକୁ ହସ୍ତାନ୍ତର ହୋଇଥିଲା । କ୍ରାଇମବ୍ରାଞ୍ଚ୍ ତଦନ୍ତ କରିବା ସହ ସୁଜିତଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା ପାଇବା ସହ ପ୍ରାଥମିକ ପ୍ରମାଣ ହାସଲ କରିଥିଲା । ପୂର୍ବରୁ ହାଇକୋର୍ଟ ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ଏବଂ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୁଜିତ୍ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇ ମେଡିକାଲ ଟେଷ୍ଟ ଓ ବୟାନ ରେକର୍ଡ କରାଇଥିଲେ । କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ତଥ୍ୟ ଓ ପ୍ରମାଣ ଦାଖଲ କରାଯିବା ପରେ, ଗତ ୨୦ ତାରିଖ ଦିନ ହାଇକୋର୍ଟ ଶୁଣାଣି କରି ତାଙ୍କର ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି ଏବଂ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed, but trackbacks and pingbacks are open.