ହର ଘର ତ୍ରିରଙ୍ଗା ଅଭିଯାନ ରେ ଉତ୍ତର ପ୍ରଦେଶରେ ୪.୭୬ ଲକ୍ଷ ସ୍ଥାନରେ ଉଡ଼ିବ ତ୍ରିରଙ୍ଗା

12

ଭାରତର ୭୫ତମ ସ୍ୱାଧୀନତା ଦିବସ ପାଖେଇ ଆସୁଛି । ଏଥିପାଇଁ ସାରା ଦେଶରେ ପାଳିତ ହେଉଛି ଅମୃତ ମହୋତ୍ସବ Iଏହାକୁ ସ୍ମରଣୀୟ କରିବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ହର ଘର ତ୍ରିରଙ୍ଗା ଅଭିଯାନ ।ଏଥିରେ ସମସ୍ତ ସରକାରୀ ତଥା ବେସରକାରୀ ସଂସ୍ଥାଗୁଡ଼ିକ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଉପଲକ୍ଷେ ଉତ୍ତର ପ୍ରଦେଶ ସରକାର ଦେଶର ୭୫ତମ ସ୍ୱାଧୀନତା ଦିବସକୁ ଅଧିକ ସ୍ମରଣୀୟ କରିବାକୁ ଉଦ୍ୟମ କରିଛି । ସରକାର ୪.୨୬ କୋଟି ଘର ଓ ୫୦ ଲକ୍ଷ ସରକାରୀ ଓ ଘରୋଇ କାର୍ଯ୍ୟାଳୟରେ ଜାତୀୟ ପତାକା ‘ତ୍ରିରଙ୍ଗା’ ଉଡ଼ାଇବାକୁ ଲକ୍ଷ୍ୟ ରଖିଛି ।

ଯୋଗୀ ସରକାର ଏହାରି ମଧ୍ୟ ୩.୮୬ କୋଟି ଜାତୀୟ ପତାକା ପ୍ରସ୍ତୁତ କରିସାରିଛନ୍ତି । ଅମୃତ ମହୋତ୍ସବ ଅବସରରେ ଏଥର ଦେଶର ପ୍ରତ୍ୟେକ ଘରେ ‘ହର ଘର ତ୍ରିରଙ୍ଗା’ ଉଡ଼ିବ । ମୋଟ ଲକ୍ଷ୍ୟରୁ ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ୨ କୋଟି ଜାତୀୟ ପତାକା ବିତରଣ କରିବ । ସେହିପରି ୨୦ ହଜାର ଏନଜିଓ ଓ ଘରୋଇ ସଂସ୍ଥା ଦ୍ୱାରା ୧.୧୫ କୋଟି ପତାକା ପ୍ରସ୍ତୁତ କରାଯିବ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଉଦ୍ୟମରେ ୯୬ ଲକ୍ଷ ପତାକା ପ୍ରସ୍ତୁତ କରିସାରିଛନ୍ତି । ଜିଲ୍ଲା ସ୍ତରରେ ୨.୨୬ କୋଟି ପତାକା ପ୍ରସ୍ତୁତ ହୋଇଛି । ସେହିପରି ଏନ୍‌ଜିଓ ଓ ୟୁପି ଖଦୀ ଓ ଗ୍ରାମଦ୍ୟୋଗ ଶିଳ୍ପ ୩୬.୪ ଲକ୍ଷ ତ୍ରିରଙ୍ଗା କରିଛି । ଘରୋଇ ସଂସ୍ଥା ଦ୍ୱାରା ୩.୩ ଲକ୍ଷ ତ୍ରିରଙ୍ଗା ସିଲେଇ କରାଯାଇଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କହିଛନ୍ତି ଯେ, ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ବିଶ୍ୱ ପାଇଁ ଏକ ବାର୍ତ୍ତା ହେବ । ଭାରତର ବିକାଶ ଯାତ୍ରା, ସମ୍ମାନ, ସୁରକ୍ଷା ଓ ସଂସ୍କୃତିରେ ସମସ୍ତ ଭାରତୀୟଙ୍କ ଭୂମିକା ରହିଛି ବୋଲି ଜଣାପଡ଼ିବ । ଦେଶର ପ୍ରତ୍ୟେକ ଘରେ ତ୍ରିରଙ୍ଗା ଲାଗିବା ଦ୍ୱାରା ବିଶ୍ୱବାସୀଙ୍କ ପାଇଁ ଏକ ଭଲ ବାର୍ତ୍ତା ପ୍ରେରଣ ହେବ ।

Comments are closed, but trackbacks and pingbacks are open.