ଗଣେଶ ପୂଜାରେ ମୁକ୍ତିଲାଭ କରିବ ତ୍ରିଭାଷୀ ଫିଲ୍ମ ‘ପ୍ରଥା’

27

ଓଡ଼ିଆ, ହିନ୍ଦୀ ଓ ପଞ୍ଜାବୀ ଭାଷାର ଫିଲ୍ମ ‘ପ୍ରଥା’। ଏହା ହେଉଛି ଆମ ଓଡ଼ିଶାର କାହାଣୀ, ଆମ ଗାଁ’ର କାହାଣୀ। ଏହି କାହାଣୀ ଆମ ଓଡ଼ିଶାର ପ୍ରଥା ଓ ପରମ୍ପରା ଉପରେ ଆଧାରିତ। ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୨୧ରେ ଫାଷ୍ଟ ଲୁକ୍ ରିଲିଜ୍ ଓ ସେପ୍ଟେମ୍ବର ୧୫ ରେ ଗଣେଶ ପୂଜା ଅବସରରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ବୋଲି ଚଳଚ୍ଚିତ୍ରର କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ସ୍ବରାଜ, ଶୀତଲ ଓ ମୁମ୍ବାଇରେ ଅବସ୍ଥାପିତ ମଡେଲ୍‌ ଅଭିନେତ୍ରୀ ସିମରନ୍ କୌର। ସିମରନ୍ ଲୋକପ୍ରିୟ ଆନିମେସନ୍ ସିରିଜ୍‌ ‘ଡୋରେମନ୍’ର ନୋବିତା ଚରିତ୍ରର ଭଏସ୍ଓଭର ଆର୍ଟିଷ୍ଟ। ଏମାନଙ୍କ ବ୍ୟତୀତ ଚୌଧୁରୀ ବିକାଶ ଦାସ, ବବି ମିଶ୍ର, ଯଶ ଆଲୱାହଟ୍‌ (ବଲିଉଡ୍ ଅଭିନେତା), ଆଶୁ ବର୍ମା (ପଞ୍ଜାବର ମଡେଲ୍‌, ଅଭିନେତା ଓ ନିର୍ଦ୍ଦେଶକ), ରବି ମିଶ୍ର, ସତିଶ୍‌ ପଟେଲ, ଇଲ୍ଲୁ ବାନାର୍ଜୀ, ଚୌଧୁରୀ ଜୟପ୍ରକାଶ ଦାସ ଏବଂ ଅସିତା ଶତପଥୀଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଆମେ ଯୁଗଯୁଗାନ୍ତରରୁ ବହୁତ କିଛି ପ୍ରଥା, ପରମ୍ପରା ଓ ରୀତିନୀତି ବିନା ପ୍ରଶ୍ନରେ ମାନି ଆସୁଛନ୍ତି। ଏଗୁଡ଼ିକ ମଧ୍ୟରୁ କିଛି ଭଲ ଆଉ କିଛି କ୍ଷତିକାରକ। ଏମିତି ବି କିଛି ପ୍ରଥା ଓ ରୀତିନୀତି ଅଛି ଯାହା ପୂର୍ବ କାଳରେ ଉପଯୁକ୍ତ ଥିଲା ହେଲେ ଆଜିର ସମୟରେ ମୂଲ୍ୟହୀନ। ଏସବୁ ଜାଣି ମଧ୍ୟ ଆମେ ସେସବୁକୁ ଅନୁକରଣ କରି ଆସୁଛନ୍ତି। କାହାଣୀଟି ସେହିପରି କିଛି ପ୍ରଥା, ପରମ୍ପରା, ରୀତିନୀତି ଏବଂ ଏଥିରେ ଥିବା କିଛି ବିଶ୍ବାସ, ଅବିଶ୍ବାସ ଓ ଏଥିରେ ଆସିଥିବା ପରିବର୍ତ୍ତନକୁ ଆମ ସାଧାରଣ ଲୋକ କିପରି ଅପଣାଇବାକୁ ସକ୍ଷମ ହେଉଛନ୍ତି, ତାହା ଦେଖିବାର କଥା। ଗ୍ରାମାଞ୍ଚଳର ଜୀବନ ଶୈଳୀ ଏବଂ ସହରାଞ୍ଚଳର ଜୀବନ ଶୈଳୀ ବିଲକୁଲ ଅଲଗା।

ସ୍ବରାଜ ଲଭରବୟ ଭୂମିକାରୁ ବାହାରି ଏକ ଭିନ୍ନ ଚରିତ୍ରରେ ଅବତୀର୍ଣ୍ଣ ହେଇଛନ୍ତି। ଶୀତଲଙ୍କୁ ଜଣେ ଗାଁ ଝିଅ ଭୂମିକାରେ ଏବଂ ସିମରନ୍ ଜଣେ ଆଧୁନିକା ଲଳନା ଚରିତ୍ରରେ ଦେଖିବାକୁ ମିଳିବେ। ଦର୍ଶକ ଏଥିରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ନାରୀଙ୍କ ମଧ୍ୟରେ ଥିବା ପ୍ରଭେଦ ଦେଖିବାକୁ ପାଇବେ। ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଅସାଦ ନିଜାମ, ସଂଳାପ ବିଜୟ କୁମାର ରାଉଳ, କୋରିଓଗ୍ରାଫର ଆରିୟନ୍‌ ଅଛନ୍ତିl ‘ପ୍ରଥା’ ଚଳଚ୍ଚିତ୍ରଟି କୋରାପୁଟ, ଦିଲ୍ଲୀ ଏବଂ ରାଜସ୍ଥାନରେ ସୁଟ୍ ହୋଇଛି। ଏହାର ପ୍ରଯୋଜନା କରିଛନ୍ତି ସନଲିସା ପଟେଲ୍।

Comments are closed, but trackbacks and pingbacks are open.