ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ଅଧିନରେ ପରିଚାଳିତ ୪ଶହରୁ ଅଧିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ନାହାନ୍ତି। ସେହିଭଳି ସାଢ଼େ ତିନି ହଜାରରୁ ଅଧିକ ଶିକ୍ଷକ ପଦବୀ ଓ ୨ହଜାରରୁ ଅଧିକ ଅଣଶିକ୍ଷକ ପଦବୀ ବି ଖାଲି ପଡ଼ିଛି। ରାଜ୍ୟର ସମସ୍ତ ଜିଲ୍ଲାରେ ବିଭାଗ ଅଧିନରେ ୧୭୬୨ଟି ବିଦ୍ୟାଳୟ ଥିବାବେଳେ ସର୍ବାଧିକ ୧୬୭ଟି କରି ବିଦ୍ୟାଳୟ କୋରାପୁଟ ଓ ମୟୁରଭଞ୍ଜ ଜିଲ୍ଲାରେ ରହିଛି। ରାୟଗଡ଼ା ଜିଲ୍ଲାରେ ୧୪୭ଟି ବିଦ୍ୟାଳୟ ରହିଥିବାବେଳେ କନ୍ଧମାଳ ଜିଲ୍ଲାରେ ୧୪୪ ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୩୭ଟି ଏବଂ ଝାରସୁଗୁଡ଼ା ଜିଲ୍ଲାରେ ୩୭ଟି ବିଦ୍ୟାଳୟ ଅଛି। ସବୁଠାରୁ କମ୍ ୩ଟି ବିଦ୍ୟାଳୟ ଜଗତ୍ସିଂହପୁର ଜିଲ୍ଲାରେ ରହିଛି। ତେବେ ଏହିସବୁ ବିଦ୍ୟାଳୟରେ ପାଠ ପଢ଼ାଇବା ପାଇଁ ୧୧,୬୭୬ଟି ପଦବୀ ରହିଥିବା ବେଳେ ଏଥିରୁ ୩୬୯୦ଟି ପଦବୀ ଖାଲି ରହିଛି। ପ୍ରଧାନଶିକ୍ଷକ, କଳା ଶିକ୍ଷକ, ଗଣିତ ଶିକ୍ଷକଙ୍କ ପଦବୀ ଖାଲି ପଡ଼ିଥିବା ବେଳେ କୃଷି, ସଙ୍ଗୀତ, ସିଲାଇ ଶିକ୍ଷା, କାଠ କାମ ଆଦି ପାଇଁ ଥିବା ଶିକ୍ଷକ ପଦବୀ କିନ୍ତୁ ଖାଲି ନାହିଁ। ତେବେ ଏହିସବୁ ବିଦ୍ୟାଳୟରେ ୬୯୫୦ଟି ସେବକ/ସେବିକା/ପ୍ରଧାନସେବକ/ପ୍ରଧାନସେବିକା ପଦବୀ ଥିବାବେଳେ ଏଥିରୁ ୨୫୫୨ଟି ଖାଲି ରହିଛି। ବିଭାଗ ପକ୍ଷରୁ ବିଦ୍ୟାଳୟଗୁଡିକ ପାଇଁ ୭୦ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟକ୍ଷ ପଦବୀ ରହିଥିବାବେଳେ ଏହି ସମସ୍ତ ପଦବୀ ଖାଲି ଅଛି। ସେହିଭଳି ଦ୍ୱିତୀୟ ଓ ତୃତୀୟଶ୍ରେଣୀ ପାହ୍ୟାରେ ୪୨୯ଟି ପ୍ରଧାନଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୭୭ଟି ଖାଲି ରହିଛି। ବିଦ୍ୟାଳୟ ଇଂରାଜୀ ଶିକ୍ଷାଦାନ ପାଇଁ ଥିବା ୭୪ଟି ଶିକ୍ଷକ ପଦବୀ ମଧ୍ୟରୁ ୨୩ଟି ଖାଲି ପଡିଥିବାବେଳେ ୭୨ଟି ଗଣିତ ଶିକ୍ଷକ ପଦବୀ ମଧ୍ୟରୁ ୧୭ଟି ଓ ୭ଟି କମ୍ପ୍ୟୁଟର ଶିକ୍ଷକ ପଦବୀ ମଧ୍ୟରୁ ୩ଟି ଖାଲି ପଡ଼ିଛି। ବିଦ୍ୟାଳୟଗୁଡ଼ିକ ପାଇଁ ୨୧୬ଟି ବହୁଭାଷୀ ଶିକ୍ଷକ ପଦବୀ ରହିଥିବାବେଳେ ଏଥିରୁ ୧୪୯ଟି ପଦବୀ ଖାଲି ପଡ଼ିଥିବା ଜଣାଯାଇଛି। କେବଳ ଶିକ୍ଷକ ପଦବୀ ନୁହେଁ, ଏହିସବୁ ବିଦ୍ୟାଳୟରେ ୨ହଜାରରୁ ଅଧିକ ଅଣଶିକ୍ଷକ ପଦବୀ ବି ଖାଲି ପଡ଼ିଛି। ଏହିସବୁ ବିଦ୍ୟାଳୟ ପାଇଁ ୩୦୭୯ଟି ମହିଳା ମାଟ୍ରନ୍ ପଦବୀ ଥିାବବେଳେ ସେଥିରୁ ୬୮୭ଟି ଖାଲି ପଡ଼ିଛି। ୩୪୯ଟି ଏଏନଏମ ପଦବୀରୁ ୯୦ଟି ଖାଲି ଥିବାବେଳେ ୩୯୦ଟି କନିଷ୍ଠ କିରାଣୀ ପଦବୀରେ ମାତ୍ର ୨୦୭ ଜଣ କାର୍ଯ୍ୟରତ ଅଛନ୍ତି। ପରୀକ୍ଷାଗାରରେ ନିଯୁକ୍ତ ସହାୟକ ପଦବୀ ବି ଖାଲି ରହିଛି। ଚାରିଟି ପରୀକ୍ଷାଗାରରେ ଥିବା ୩୧ଟି କରି ସହାୟକ ପଦବୀ ମଧ୍ୟରୁ ୨୧ଟି ଖାଲି ପଡ଼ିଛି।
Comments are closed, but trackbacks and pingbacks are open.