ଜନଜାତି ଛାତ୍ରଛାତ୍ରୀଙ୍କ ତୂଳୀରେ ଆଦିବାସୀ ଜୀବନଶୈଳୀ ଓ ସଂସ୍କୃତି

523

ଭୁବନେଶ୍ୱର : ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଦିବସକୁ ଜନଜାତୀୟ ଗୌରବ ଦିବସ ରୂପେ ପାଳନ କରାଯିବ । ନଭେମ୍ବର ୧୫ ରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ଦିବସକୁ ସର୍ବଭାରତୀୟସ୍ତରରେ ପାଳନ କରାଯିବ । ଏନେଇ ଆଜି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଅନୁସନ୍ଧାନ ଏବଂ ତାଲିମ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଆଦିବାସୀ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଚୟନ ହୋଇଥିବା ମୋଟ 60 ଜଣ ଆଦିବାସୀ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ଏସସିଏସଟିଆରଟିଆଇର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।


ଏ ଅବସରରେ ଶ୍ରୀ ତ୍ରିପାଠୀ କହିଛନ୍ତି, ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ କଳାତ୍ମକ ପ୍ରତିଭାକୁ ସାମ୍ନାକୁ ଆଣିବାକୁ ବିଭାଗ ସର୍ବଦା ପ୍ରୟାସ ଜାରି ରଖିଛି । ଆଦିବାସୀଙ୍କ ସଂସ୍କୃତି ଓ ଐତିହ୍ୟକୁ ମଞ୍ଚ ପ୍ରଦାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । “ଆଦିବାସୀ ଜୀବନଶୈଳୀ ଓ ସଂସ୍କୃତି” ବିଷୟବସ୍ତୁ ଉପରେ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିବା ବେଳେ ବିଜୟୀ ହୋଇଥିବା 6 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।
ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଅଧ୍ୟାପକ ଶ୍ରୀ ମାନସ ରଞ୍ଜନ ଜେନା ଓ ବି.କେ କଲେଜ୍ ଅଫ୍ ଆର୍ଟ୍ସ ଆଣ୍ଡ କ୍ରାଫ୍ଟର ଅଧ୍ୟାପକ ଶ୍ରୀ ଚନ୍ଦ୍ରଶେଖର ସେଠୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଏସସିଏସଟିଆରଟିଆଇର ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସମରେନ୍ଦ୍ର ଭୂତିଆ ଓ ଧନ୍ୟବାଦ ଅର୍ପଣ କରିଥିଲେ ଉପନିର୍ଦ୍ଦେଶିକା ଶ୍ରୀମତୀ ସାଗରିକା ପ୍ରିୟଦର୍ଶିନୀ ।

Comments are closed, but trackbacks and pingbacks are open.