ଭୁବନେଶ୍ୱର: ଜେଲରୁ ବାହାରିଲେ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ । 14 ମାସ ପରେ ମଙ୍ଗଳବାର ଦିନ ସକାଳ ସମୟରେ ଭୁବନେଶ୍ୱର ସ୍ଥିତ ଝାରପଡ଼ା ଜେଲ୍ରୁ ବାହାରିଲେ ଅର୍ଚ୍ଚନା ନାଗ । ତେବେ ଅର୍ଚ୍ଚନାଙ୍କୁ ନେବା ପାଇଁ ତାଙ୍କ ସ୍ୱାମୀ ଜଗବନ୍ଧୁ ଜେଲରେ ପହଞ୍ଚିଥିଲେ । ଆଜି ଜେଲରୁ ବାହାରିବା ପରେ ଗଣମାଧ୍ୟମକୁପ୍ରତିକ୍ରିୟା ରଖିଥିଲେ ଅର୍ଚ୍ଚନା । ବ୍ଲାକମେଲିଂ ସାମ୍ରାଜ୍ୟ ସମ୍ପର୍କରେ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନରେ ସେ କହିଥିଲେ, ସବୁ ତଥ୍ୟ ପ୍ରମାଣ ମୁଁ କୋର୍ଟରେ ଦାଖଲ କରିବି । କୋର୍ଟଙ୍କ ଉପରେ ମୋର ଭରସା ଅଛି ।
ବହୁ ଚର୍ଚ୍ଚିତ ହନିଟ୍ରାପ୍ ମାମଲାରେ ବ୍ଲାକ୍ମେଲର ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଥିଲା । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟରୁ ମିଳିଥିଲା ଜାମିନ । 2 ଲକ୍ଷ ଟଙ୍କାର 2 ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନ ପାଇଛନ୍ତି । ତେବେ ସାକ୍ଷୀଙ୍କୁ ପ୍ରଭାବିତ ନକରିବା, ପ୍ରମାଣ ନଷ୍ଟ ନକରିବା ଏବଂ ପ୍ରତ୍ୟେକ ତାରିଖରେ କୋର୍ଟରେ ହାଜିରା ଦେବା ଲାଗି ସର୍ତ୍ତ ରଖିଛନ୍ତି ମାନ୍ୟବର ହାଇକୋର୍ଟ । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଅର୍ଚ୍ଚନା ଜାମିନ ପାଇସାରିଛନ୍ତି । ମୋଟ ତିନୋଟି ମାମଲାରେ ଜାମିନ ପାଇସାରିଛନ୍ତି ଅର୍ଚ୍ଚନା । ଦୀର୍ଘ 14 ମାସ ଧରି ଝାରପଡ଼ା ଜେଲ୍ରେ ଥିଲେ ଅର୍ଚ୍ଚନା ନାଗ ।
ଶେଷରେ ମଙ୍ଗଳବାର (ଡିସେମ୍ବର 12) ଦିନ ଜେଲ୍ରୁ ବାହାରିଛନ୍ତି ଅର୍ଚ୍ଚନା ନାଗ । ସୂଚନାଯୋଗ୍ୟ ଯେ, ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ ସେମାନଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ କରିଥିଲେ । ଏଥିରେ ତାଙ୍କୁ ସହଯୋଗ କରୁଥିଲେ ସ୍ବାମୀ ଜଗବନ୍ଧୁ । ଏମିତି ଅଭିଯୋଗ ଆସିବା ପରେ ତାଙ୍କୁ ଏବଂ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା ପୋଲିସ । ଏନେଇ ଅଧିକ ଖୋଳତାଡ ଆରମ୍ଭ କରିଥିଲା କମିଶନରେଟ୍ ପୋଲିସ । ପରେ ସହଯୋଗୀ ଖଗେଶ୍ବରଙ୍କୁ ମଧ୍ୟ ବାନ୍ଧିଥିଲା ପୋଲିସ । ଏହି ମାମଲାର ତଦନ୍ତ ଇଡି ଦ୍ବାରା କରାଯାଇଥିଲା । ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ବିଳାସପୂର୍ଣ୍ଣ କୋଠା ସମେତ ଖଗେଶ୍ୱରଙ୍କ କୋଠାକୁ ମଧ୍ୟ ଇଡି ଜବତ କରିଥିଲା ।
Comments are closed, but trackbacks and pingbacks are open.