ଆସନ୍ତା କାଲି ସରିବ ପଞ୍ଚାୟତ ନିର୍ବାଚନ : ପ୍ରଚାର ପାଇଁ ହେଭିୱେଟ୍ ଙ୍କ ଦେଖାନାହିଁ

20

ଆସନ୍ତା କାଲି ରାଜ୍ୟରେ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ର ଶେଷ ତଥା ୫ମ ପର୍ଯ୍ୟାୟ ର ଭୋଟ ଗ୍ରହଣ ହେବାକୁ ଯାଉଛି I ପଂଚାୟତ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଏ ପର୍ଯ୍ୟନ୍ତ ୪ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ଆଜି ୨୩ -୦୨ -୨୦୨୨ ରେ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଥିବା ବୁଥ ଗୁଡିକରେ ପୁନଃ ମତଦାନ ହେଇ ଯାଇଛି I ରାଜ୍ୟରେ ପ୍ରମୁଖ ଦୁଇ ଦଳ କଂଗ୍ରେସ ଓ ବିଜେପି ମଧ୍ୟରେ ପଂଚାୟତ ନିର୍ବାଚନର ପ୍ରଚାର ଜୋରଦାର କରାଯାଇଥିଲେ ମଧ୍ୟ ,ପ୍ରଚାର ମୈଦାନ ରେ କୌଣସି ଆଗଧାଡିର ନେତା ବା ହେଭି ୱେଟ ଙ୍କୁ ଦେଖିବାକୁ ମିଳିନାହିଁ I ଏହା ସହିତ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଯେଉଁ ଢଙ୍ଗରେ ନିର୍ବାଚନ ଲଢ଼ିବା କଥା ତାହା ଚଳିତଥର ଦେଖିବାକୁ ମିଳିନି। ବରଂ ଶାସକ ବିଜେଡି ଚଳିତ ପଂଚାୟତ ନିର୍ବାଚନକୁ ନିଜର ଆଗ ଧାଡ଼ିର ଦଳୀୟ ନେତାଙ୍କ ବିନା ସୁଚିନ୍ତିତ ରଣନୀତିରେ ଲଢ଼ିଥିବା ଦେଖିବାକୁ ମିଳିଛି। ୨୦୧୭ ପଂଚାୟତ ନିର୍ବାଚନ ଭଳି ଚଳିତଥର ମଧ୍ୟ ବିଜେଡି ନିଜର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇ ନଥିବାବେଳେ ବିଜେପି ମଧ୍ୟ ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଚାରରୁ ଦୂରେଇ ରଖିଛି।
ସୂଚନା ଅନୁସାରେ, ଫେବୃୟାରୀ ୧୬ରୁ ଆରମ୍ଭ ହୋଇଥିବା ୫ଟି ପର୍ଯ୍ୟାୟ ପଂଚାୟତ ନିର୍ବାଚନର ଶେଷ ତଥା ପଂଚମ ପର୍ଯ୍ୟାୟ ଭୋଟ୍ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ଶେଷ ପର୍ଯ୍ୟାୟରେ ୨୫ଟି ଜିଲ୍ଲାର ୪୮ଟି ବ୍ଲକ ଅନ୍ତର୍ଗତ ୧୩୧ଟି ଜିଲ୍ଲା ପରିଷଦ ଆସନ, ୯୭୫ଟି ପଂଚାୟତରେ ୪୧.୮୮ଲକ୍ଷ ଭୋଟର ୧୩୫୧୪ଟି ବୁଥ ମାଧ୍ୟମରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏହି ଶେଷ ପର୍ଯ୍ୟାୟ ଭୋଟ୍ ପାଇଁ ମଧ୍ୟ ଆଜି ପ୍ରଚାର ଶେଷ ହୋଇଛି। ଚଳିତ ପଂଚାୟତ ନିର୍ବାଚନରେ ଏପର୍ଯ୍ୟନ୍ତ ମତଦାନ ହାର ବେଶ୍ ଉତ୍ସାହଜନକ ରହିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୭.୨%, ଦ୍ୱିତୀୟ ପର୍ଯ୍ୟାୟରେ ୭୮.୩%, ତୃତୀୟ ପର୍ଯ୍ୟାୟରେ ୭୮.୬% ମତଦାନ ଓ ଚତୁର୍ଥ ପର୍ଯ୍ୟାୟରେ ପ୍ରାରମ୍ଭିକ ଆକଳନ ଅନୁସାରେ ୭୩ ପ୍ରତିଶତ ମତଦାନ ହୋଇଛି।
ଚଳିତ ନିର୍ବାଚନରେ ବ୍ୟାପକ ପୁଲିସ ମୁତୟନ ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିବା ନେଇ ପୁଲିସ ଡିଜିଠୁ ଆରମ୍ଭ କରି ରାଜ୍ୟ ନିର୍ବାଚନ କମିଶନ ପର୍ଯ୍ୟନ୍ତ ସମସ୍ତେ ଦାବି କରିଥିଲେ ମଧ୍ୟ ଗତ ଦୁଇ ଦଶନ୍ଧି ମଧ୍ୟରେ ସର୍ବାଧିକ ହିଂସା ଚଳିତ ପଂଚାୟତ ନିର୍ବାଚନରେ ରେକର୍ଡ କରାଯାଇଛି। କେଉଁଠି ଭୋଟର ଲିଷ୍ଟରେ ନାଁ ନାହିଁ ତ, କେଉଁଠି ବୁଥ ରିଗିଂ କରି ଦୁବୃର୍ତ୍ତମାନେ ଭୋଟ ବାକ୍ସ ଛଡ଼ାଇ ନେଇ ପୋଖରୀରେ ପକାଇଛନ୍ତି, କେଉଁଠି ପ୍ରାର୍ଥୀଙ୍କୁ ଅପହରଣ ତ କେଉଁଠି ପ୍ରାର୍ଥୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯିବା ଭଳି ହିଂସାତ୍ମକ କାର୍ଯ୍ୟ ଚଳିତଥରର ନିର୍ବାଚନ ପରିଚାଳନାରେ ଥିବା ତ୍ରୁଟିକୁ ପଦାରେ ପକାଇ ଦେଇଛି। ଅବଶ୍ୟ ନିର୍ବାଚନ କମିଶନଙ୍କ ଉଦ୍ୟମରେ ଗତ ୨୦ବର୍ଷ ଧରି ନିର୍ବାଚନ ହୋଇପାରୁନଥିବା ନିୟମଗିରିର ତ୍ରିଲୋଚନପୁର ଓ ଯାଜପୁରର ନଗଡ଼ାରେ ଭୋଟ୍ ପଡ଼ିଛି।
ରାଜନୀତିକ ଦୃଷ୍ଟିରୁ ଦେଖିଲେ ଚଳିତ ନିର୍ବାଚନରେ କଂଗ୍ରେସର ପ୍ରଚାର ନାଁକୁ ମାତ୍ର ରହିଥିବାବେଳେ ବିଜେପି ମଧ୍ୟ ସେଭଳି ପ୍ରଭାବଶାଳୀ ଢଙ୍ଗରେ (୨୦୧୭ ପଂଚାୟତ ନିର୍ବାଚନ ଭଳି) ପ୍ରଚାର କରିନାହିଁ। କିନ୍ତୁ ବିଜେଡିର ନିର୍ବାଚନ ପରିଚାଳନା ବେଶ୍ ସୁଚିନ୍ତିତ ରଣନୀତି ଆଧାରରେ ହୋଇଥିବା ଦେଖିବାକୁ ମିଳିଛି। ବିଜେଡି ନିଜର ଦଳୀୟ ନେତାମାନଙ୍କୁ ଭରସାକୁ ନନେଇ ନୂଆ ଢଙ୍ଗରେ ଭୋଟରଙ୍କ ପାଖରେ ପହଂଚି ନିଜର ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରିଛି। ଦଳ ନିଜର ଚେହେରା ନବୀନ ପଟ୍ଟନାୟକଙ୍କୁ ମଇଦାନକୁ ଓହ୍ଲାଇ ନଥିବାବେଳେ ଅଧିକାଂଶ ବରିଷ୍ଠ ନେତାମାନଙ୍କୁ ମଧ୍ୟ ପ୍ରଚାର ମଇଦାନରୁ ଦୂରେଇ ରଖିଥିଲା ।

Comments are closed, but trackbacks and pingbacks are open.