ସୁନା ସ୍ଥାନ ନେଲା ବିଲାତି

45

ଭୁବନେଶ୍ବର : ବିଗତ କିଛିଦିନ ହେଲା ପରିବା ଏବଂ ତେଜରାତି ସାମଗ୍ରୀ ଦର ବୃଦ୍ଧି ପାଇଥିବା ବେଳେ ବିଲାତି କିଲୋପିଛା ଦର ୧୫୦ରୁ ଟଙ୍କା ଛୁଇଁଥିଲା। ପରବର୍ତ୍ତୀ ସମୟରେ ଦର ହ୍ରାସ ପାଇବାରୁ ବଜାରରେ ୧୨୦ ଟଙ୍କାରେ ବିକ୍ରି କରାଯାଉଥିଲା, କିନ୍ତୁ ରବିବାର ବିଲାତି କିଲୋପିଛା ଦର ବୃଦ୍ଧି ପାଇ ୨୦୦ ଟଙ୍କା ଟପିଛି। ବିଲାତି ଦର ବୃଦ୍ଧି ପାଇବା ଯୋଗୁଁ ଏହାକୁ ଲୋକେ ଆଉ କିଣୁନାହାନ୍ତି। ଦର ଶୁଣି ମୁହଁ ଫେରାଇ ଚାଲି ଯାଉଛନ୍ତି। ସମସ୍ତ ପ୍ରକାର ତରକାରୀ ପାଇଁ ବିଲାତି ଆବଶ୍ୟକ ଥିବାବେଳେ ଦର ବଢ଼ିବା ସାଧାରଣ ଖାଉଟିଙ୍କ ପକେଟକୁ ବାଧୁଛି।

ଏବେ ପେଟ୍ରୋଲ, ଡିଜେଲ ଗ୍ୟାସ ଦର ସରତାଳ ଦେଇ ପନିପରିବା ଦର ମଧ୍ୟ ବଢିଚାଲିଛି। ଦରଦାମ ବୃଦ୍ଧିକୁ ନେଇ ବିଭିନ୍ନ ରାଜନୈତିକ ଦଳ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରବିବାରଠାରୁ ବିଲାତି ଦର ନୂଆ ରେକର୍ଡ ସୃଷ୍ଟି କରିଛି। ଭୁବନେଶ୍ବର ୟୁନିଟ-୧ ହାଟ ଗୋଦାମରେ ବିଲାତି କିଲୋପିଛା ୧୯୦ ଟଙ୍କାରେ ଛୋଟ ବେପାରୀଙ୍କୁ ବିକ୍ରି କରାଯାଇ ଥିବାବେଳେ ଛୋଟ ବେପାରୀ ଖାଉଟିଙ୍କୁ ୨୦୦ରୁ ୨୧୦ ଟଙ୍କାରେ ବିକ୍ରି କରିଛନ୍ତି। ଲଘୁଚାପ ଏବଂ ମୌସୁମୀ ପ୍ରଭାବରେ ଦେଶରେ ବର୍ଷା ବିତ୍ପାତ ଦେଖାଦେଇଥିବାରୁ ବିଲାତି ଅମଳ ଉପରେ ପ୍ରଭାବିତ ହୋଇଛି। ବେଙ୍ଗାଲୁରୁରେ ବିଲାତି ଟ୍ରେ (୨୬ରୁ ୨୭କେଜି) ୪ ହଜାର ଟଙ୍କାରେ କିଣିବାକୁ ପଡୁଛି। ଓଡ଼ିଶାର ବେପାରୀ ବେଙ୍ଗାଲୁରୁରୁ ବିଲାତି ଚଢ଼ା ଦରରେ ଆଣିବା ଦ୍ବାରା ପରିବହନ ଖର୍ଚ୍ଚ ସହିତ ଅନ୍ୟାନ୍ୟ ଖର୍ଚ୍ଚକୁ ମିଶାଇଲେ ଗୋଦାମରେ କିଲୋପିଛା ୧୯୦ଟଙ୍କାରେ ବିକ୍ରି କରୁଛନ୍ତି। ଏହିଭଳି ପରିସ୍ଥିତି ଆଉ କିଛିଦିନ ଲାଗି ରହିବା ସମ୍ଭାବନା ଥିବାବେଳେ ଅଗଷ୍ଟ ୧୫ପରଠାରୁ ଦର ଖସିବ ବୋଲି ବ୍ୟବସାୟୀ ଆଶା କରୁଛନ୍ତି।

ପୂର୍ବବର୍ଷ ଗୁଡିକୁ ଦେଖିଲେ ରାଜ୍ୟରେ କେବେ ବି ବିଲାତି ଦର କିଲୋପିଛା ୨୦୦ ଟଙ୍କା ଛୁଇଁ ନଥିଲା। ୟୁନିଟ-୧ ହାଟ ପରିବା ବ୍ୟବସାୟୀ କବିର ସ୍ବାଇଁ କହନ୍ତି, ୪୦ ବର୍ଷ ପରିବା ବ୍ୟବସାୟ ଭିତରେ କୌଣସି ବର୍ଷ ବିଲାତି ଦର ୨୦୦ ଟଙ୍କା ଟପିନାହିଁ; କିନ୍ତୁ ଚଳିତ ବର୍ଷ ପ୍ରଥମ କରି ଏତେ ଟଙ୍କାରେ ଗ୍ରାହକଙ୍କୁ ବିକ୍ରୟ କରାଯାଉଛି। ସପ୍ତାହେ ହେଲା ବିଲାତି କିଲୋ ୮୦ରୁ ୯୦ ଟଙ୍କାରେ ବିକ୍ରି କରାଯାଉଥିଲା, ଛୋଟ ପରିବା ବେପାରୀ ୧୨୦ ଟଙ୍କାରେ ବିକୁଥିଲେ। ହେଲେ ପୁଣି ଦର ବୃଦ୍ଧି ପାଇଛି। ବିଲାତି ପାଇଁ ବେଙ୍ଗାଲୁରୁ ଏବଂ ନାସିକ ଉପରେ ରାଜ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ। ତେଣୁ ରାଜ୍ୟରେ ବିଲାତି ଅଭାବ ଯୋଗୁଁ ଦର ବୃଦ୍ଧି ପାଇଛି। ପୁଣି ବାହାର ରାଜ୍ୟରୁ ଆମଦାନୀ କରାଯାଉ ଥିବାରୁ ପରିବହନ ବ୍ୟବସ୍ଥାକୁ ଦେଖିଲେ ଓଡ଼ିଶା ବଜାରରେ ଦର ଅଧିକ ରହୁଛି। ଓଡ଼ିଶାର ଚାଷୀମାନେ ବିଲାତି ଚାଷ କରନ୍ତି, ହେଲେ ତାହା ରାଜ୍ୟର ଆବଶ୍ୟକତାକୁ ମେଣ୍ଟାଇ ପାରୁନାହିଁ। ଡିସେମ୍ବର ୧୫ରୁ ଅମଳ ହୋଇ ଏପ୍ରିଲ ୧୫ ସୁଦ୍ଧା ବିଲାତି ବଜାରରେ ଉପଲବ୍ଧ ହୋଇଥାଏ। ଏହି ସମୟରେ ଦର କମିଥାଏ, କିଲୋପିଛା ଟଙ୍କାଏରେ ବିକ୍ରି କରାଯାଉ ଥିବାବେଳେ ଅଭାବୀ ବିକ୍ରି ଯୋଗୁଁ ଚାଷୀ ଜମିରୁ ଫସଲ ଅମଳ କରନ୍ତି ନାହିଁ। ଟ୍ରାକ୍ଟର ଚଢ଼ାଇ ବିଲାତି ଫସଲ ନଷ୍ଟ କରି ଦିଅନ୍ତି। ଏପ୍ରିଲ ୧୫ ପରେ ଓଡ଼ିଶା ଅମଳ ବିଲାତି ମିଳିବା ସ୍ବପ୍ନ ହୋଇଯାଏ। ରାଜ୍ୟରେ ଶୀତଳ ଭଣ୍ଡାର ଅଭାବରୁ ବଳକା ବିଲାତି ଗଚ୍ଛିତ କରି ରଖାଯାଇ ପାରୁନାହିଁ। ଫଳରେ ୯ମାସ ବାହାର ରାଜ୍ୟରୁ ବିଲାତି ଆମଦାନୀ କରାଯାଉଛି। ପୁଣି କୋରାପୁଟ ଏବଂ କନ୍ଧମାଳ ଆଦି ଶୀତଳ ବାୟୁମଣ୍ଡଳ ଜିଲାଗୁଡିକରେ ବିଲାତି ଚାଷ କରାଯାଉ ଥିବାବେଳେ ଅନ୍ୟାନ୍ୟ ଜିଲାରେ ବାୟୁମଣ୍ଡଳ ଉଷ୍ଣ ରହିବା ଯୋଗୁଁ ଚାଷୀ ଏହି ଚାଷ କରନ୍ତି ନାହିଁ। ଗରମ ବାୟୁମଣ୍ଡଳରେ ବିଲାତି ଚାଷ ଭଲ ହୋଇ ନ ଥାଏ।

Comments are closed, but trackbacks and pingbacks are open.