ଆଜି ବର୍ଷର ଶେଷ କ୍ୟାବିନେଟ :୯ ଟି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି ଉପରେ ବାଜିଲା ମୋହର,ସରକାରୀ କର୍ମଚାରୀଙ୍କ ପାଇଁ ବଢ଼ିଲା ୩% ମହଙ୍ଗା ଭତ୍ତା

20

ଆଜି ବର୍ଷର ଶେଷ କ୍ୟାବିନେଟ ବୈଠକରେ ୯ଟି ଗୁରୁତ୍ତ୍ୱପୂର୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି କ୍ୟାବିନେଟ୍ ବୈଠକ । ଏହି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ରେ ଉଚ୍ଚଶିକ୍ଷା ସହିତ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଥିବା ଜଣାପଡିଛି ।
ସେହିଭଳି ରାଜ୍ୟର ସରକରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ତିନି ପ୍ରତିଶତ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ୦୧.୦୭.୨୦୨୧ରୁ ପିଚ୍ଛିଲା ଭାବରେ ଲାଗୁ ହେବ। ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀ ମାନଙ୍କ ଟି.ଆଇରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ଏହାଦ୍ବାରା ରାଜ୍ୟର ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ତଥା ପେନ୍‌ସନଭୋଗୀ ଉପକୃତ ହେବେ ।

ଏହା ସହିତ ସପ୍ତମ ବେତନ କମିଶନ ବାବଦ ୩୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ କର୍ମଚାରୀମାନେ ସପ୍ତମ ବେତନ କମିସନ ଅନୁଯାୟୀ ଜାନୁଆରୀ ୨୦୧୬ରୁ ଅଗଷ୍ଟ ୨୦୧୭ ମଧ୍ୟରେ ବର୍ଦ୍ଧିତ ଦରମାର ୫୦ ପ୍ରତିଶତ ପାଇସାରିଛନ୍ତି। ନିଷ୍ପତି ଅନୁଯାୟୀ ୫ ମହାନଗର ନିଗମରେ ରହୁଥିବା ବସ୍ତି ବାସିନ୍ଦାଙ୍କ ପାଇଁ କ୍ୟାବିନେଟରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ୫ଟି ମହାନଗର ନିଗମର ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯିବା ସହ ସେହି ବସ୍ତିର ଉନ୍ନତି କରାଯିବ । ଏହାଦ୍ୱାରା ୯୩୮ଟି ବସ୍ତିର ଲୋକେ ଉପକୃତ ହେବେ । ୧ ଲକ୍ଷ ୯୦ ହଜାର ପରିବାରର ୮ ଲକ୍ଷ ୫୮ ହଜାର ଲୋକ ଉପକୃତ ହେବେ । ପୂର୍ବରୁ ୧୦୯ଟି ମୁନିସିପାଲଟି ଓ ଏନଏସିର ୧ ଲକ୍ଷ ୭୫ ହଜାର ପରିବାର ଉପକୃତ ହୋଇସାରିଛନ୍ତି ।

Leave A Reply

Your email address will not be published.