ଆଜି ରାଜଧାନୀ ଭୁବନେଶ୍ୱର ର ୭୪ ତମ ପ୍ରତିଷ୍ଠା ଦିବସ

27

ମନ୍ଦିର ମାଳିନୀ ରାଜଧାନୀ ଭୁବନେଶ୍ୱରର ଆଜି ୭୪ ତମ ପ୍ରତିଷ୍ଠା ଦିବସ । ୬୦୦ ମନ୍ଦିର ବିଶିଷ୍ଟ ଭୁବନେଶ୍ୱର ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଜନ୍ମ ନେଇଥିଲା I ଐତିହ୍ୟ ସହର ଭୁବନେଶ୍ୱର ଏବେ ଅତ୍ୟାଧୁନିକ । ଭୁବନେଶ୍ୱରର ଲମ୍ବା ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ । ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ । ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ବଦଳିଛି I ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ସ୍ପୋଟର୍ସର ହବ୍ ଭାବେ ବି ବେଶ ପରିଚିତ । ରୋଜଗାର ପାଇଁ ବି ଅନେକ ଲୋକଙ୍କ ପ୍ରଥମ ଚଏସ ପାଲଟିଛି ଭୁବନେଶ୍ୱର। ଏହି ୭୪ ବର୍ଷ ମଧ୍ୟରେ ବହୁ ଲୋକଙ୍କୁ କର୍ମ ସଂସ୍ଥାନ ଯୋଗାଇଛି ରାଜଧାନୀ।

୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନହୋର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର “ଅଟୋ କଏନ୍ସବର୍ଗର”। ୧୯୪୮ ମସିହା ଅପ୍ରେଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା । ସେହି ପ୍ରତିଷ୍ଠା ଫଳକଟି ବର୍ତ୍ତମାନ ବିଧାନ ସଭା ସନ୍ନିକଟ ପାଚେରୀ ନିକଟରେ ଲାଗିଛି । ୧୯୪୮ରୁ ପ୍ରତିବର୍ଷ ଅପ୍ରେଲ ୧୩ତାରିଖ ଦିନ, “ଭୁବନେଶ୍ୱର ପ୍ରତିଷ୍ଠା ଦିବସ” ଭାବରେ ପାଳନ କରାଯାଏ ।

ତେବେ ତିନି ଦିନ ଧରି ପ୍ରତିଷ୍ଠା ଦିବସ ପାଳନ କରାଯିବ । ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟି, ସୂଚନା ଓ ଲୋକସଂପର୍କ ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ବିଏମସି ପକ୍ଷରୁ ମିଳିତ ଭାବେ ପାଳନ କରାଯିବ । ମୁଖ୍ୟ ଅତିଥି ଭାବେ ଯୋଗଦେବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏଥିପାଇଁ ଲୋୟର ପିଏମଜିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।


ରାଜଧାନୀର ବିଭିନ୍ନ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରେଡ୍ ଅନୁଷ୍ଠିତ ହେବ । ମୋଟ୍ ୭୨ଟି ଟ୍ରୁପ୍ ପରେଡରେ ଭାଗ ନେବେ । କଲେଜ ସ୍ତରରେ ୧୨ଟି ଟ୍ରୁପ୍ ହୋଇଥିବା ବେଳେ ହାଇସ୍କୁଲସ୍ତରରେ ବାଳିକା ୱିଙ୍ଗର ୮ଟି ଗ୍ରୁପ୍, ବାଳକ ୱିଙ୍ଗର ୨୬ଟି ଗ୍ରୁପ୍, ବ୍ୟାଣ୍ଡ ତିନିଟି ଗ୍ରୁପ୍ ଓ ଡେୟାରଡେଭିଲର ତିନିଟି ଗ୍ରୁପ୍ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ପରେଡ୍‌ ପରେ ରାଜଧାନୀର ୧୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ ସମ୍ମାନ’ରେ ସମ୍ମାନିତ କରାଯିବ । କୋଭିଡ୍‌ ଯୋଦ୍ଧା ଭାବେ ଡ. ସଂଘମିତ୍ରା ପତି ଓ ଶୁଭେନ୍ଦୁ ସାହୁ, ବିଶିଷ୍ଟ ଶିଳ୍ପପତି ପଙ୍କଜଲୋଚନ ମହାନ୍ତି, ବୈଜ୍ଞାନିକ ଡ. ଅଜୟ ପରିଡ଼ା, ହକି ଖେଳାଳୀ ଦୀପଗ୍ରେସ୍‌ ଏକ୍କା, ଆଇନଜୀବୀ ଡ. ମଧୁମାଧବ ଜେନା, ଚିକିତ୍ସକ ଡା. ଅଶୋକ ନନ୍ଦ, ସମାଜସେବୀ ନୀଳମଣି ମିଶ୍ର, ଟ୍ରାଫିକ୍‌ କନଷ୍ଟେବଳ ଶେଷଦେବ ସାହୁ, ନର୍ସ ଶ୍ରୀମତୀ ହାରାମଣୀ ଦାଶ, ପୋଷ୍ଟମ୍ୟାନ୍‌ ବି୍ଳବ ରଞ୍ଜନ ମଲ୍ଲିକ ଓ ସୁଇପର ସୁଷମା ଦେଇଙ୍କୁ ଉକ୍ତ ସମାରୋହରେ ବାଚସ୍ପତି ସମ୍ମାନିତ କରିବେ ।

ଏହାପରେ ଏକ ସାଧାରଣ ସଭା ଆୟୋଜିତ ହେବ । ସେହିପରି ଅପରାହ୍ନରେ ଉକ୍ରଳ ମଣ୍ଡପ ଠାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗୀତା, ସାଧାରଣ ସଭା ସହ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ । ଏହାପରେ ସଂସ୍କୃତି ବିଭାଗ ପକ୍ଷରୁ ସଂଗୀତ ପରିବେଷଣ କାର୍ଯ୍ୟକ୍ରମ ରହିଛି । ସେହିପରି ୧୪ ଓ ୧୫ ତାରିଖରେ ଉକ୍ରଳ ମଣ୍ଡପ ଠାରେ ସଙ୍ଗୀତ ଓ ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ରହିଛି । ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଥିବାରୁ ପ୍ରଶାସନ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

Comments are closed, but trackbacks and pingbacks are open.