ପୁରୀ: ରଥଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ। ଆଜି ରାତିରେ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବ। ହେରାପଞ୍ଚମୀ ନୀତି ପାଇଁ ଶ୍ରୀମନ୍ଦିର ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରେ ବିଶେଷ ନୀତି ଅନୁଷ୍ଠିତ ହେବ। ରୁକ୍ମିଣୀ ହରଣ ଏକାଦଶୀ ଦିନ ମହାପ୍ରଭୁଙ୍କ ସହିତ ମହାଲକ୍ଷ୍ମୀ ବା ଶ୍ରୀଦେବୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ମହାପ୍ରଭୁଙ୍କ ଗଇଁଠାଳ ଫିଟି ନ ଥିବାବେଳେ ମହାପ୍ରଭୁ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନକରି ଜ୍ୱରରେ ପୀଡ଼ିତ ହୋଇଥିଲେ। ଅଣସର ଘରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ରଥଯାତ୍ରାରେ ଜନ୍ମବେଦିକୁ ଆସିଛନ୍ତି। ଫଳରେ ନବବିବାହିତା ମା’ ମହାଲକ୍ଷ୍ମୀ ମହାପ୍ରଭୁଙ୍କ ବିରହ ବେଦନା ସହି ନ ପାରି ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କୁ ଫେରାଇ ଆଣିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ମହାପ୍ରଭୁ ମହାଲକ୍ଷ୍ମୀଙ୍କୁ ଦର୍ଶନ ଦେବେ, କିନ୍ତୁ ଶ୍ରୀମନ୍ଦିରକୁ ଫେରିବେ ନାହିଁ। ଅଭିମାନିନୀ ମା’ ମହାଲକ୍ଷ୍ମୀ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ। ଶ୍ରୀମନ୍ଦିର ସ୍ଵତ୍ୱଲିପି ଅନୁଯାୟୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହଙ୍କ ସନ୍ଧ୍ୟା ଆଳତି ପରେ ଶ୍ରୀମନ୍ଦିରରେ ମା’ଙ୍କ ବିଶେଷ ନୀତି ଅନୁଷ୍ଠିତ ହେବ। ପରେ ମହାଲକ୍ଷ୍ମୀ ବଡ଼ଦାଣ୍ଡ ଦେଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରିବେ। ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବା ପୂର୍ବରୁ ନନ୍ଦିଘୋଷ ରଥ ନିକଟରେ ବନ୍ଦାପନା ନୀତି ଅନୁଷ୍ଠିତ ହେବ ଓ ପରେ ଭିତରକୁ ବିଜେ କରିବେ। ସେଠାରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଦ୍ୱାର ବନ୍ଦ କରାଯିବ। ମହାଲକ୍ଷ୍ମୀ ଅଭିମାନ କରି ନାକଚଣା ଦ୍ୱାର ଦେଇ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବା ସମୟରେ ନାକଚଣା ଦୁଆର ପାଖରେ ଭିତରଚ୍ଛ ସେବକ ମହାଲକ୍ଷ୍ମୀଙ୍କୁ ବନ୍ଦାପନା କରିବା ସହ ଦହିପଟି ମଣୋହି କରିବେ। ପରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗି ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରିବେ।
Comments are closed, but trackbacks and pingbacks are open.