ତିନିଦଳର ପାୱାର ଶୋ’

25

ଭୁବନେଶ୍ୱର: ଉପନିର୍ବାଚନ ତାରିଖ ପାଖେଇ ଆସୁଛି । ତେଣେ ପଦ୍ମପୁର ମୁକାବିଲା ମୈଦାନରେ ଧୂଆଁଧାର ପ୍ରଚାର ଚାଲିଛି । ତିନି ପ୍ରମୁଖ ଦଳର ବଡ଼ ବଡ଼ ଚେହେରା ପ୍ରଚାର ରାଲିରେ ସାମିଲ ହୋଇ ପଦ୍ମପୁର ରାଜନୀତିକୁ ଉଷ୍ମ କରିଛନ୍ତି । ନିର୍ବାଚନମଣ୍ଡଳୀରେ ଏବେ ତିନି ଦଳର ପାୱାର ଶୋ’ ଦେଖିବାକୁ ମିଳିଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା, ବରିକେଲ ଓ ବୁଧାପାଲିରେ ପ୍ରଚାର କରିଛନ୍ତି । ବିଜେଡି ପ୍ରାର୍ଥୀଙ୍କ ପାଇଁ ୫ ଜଣ ମନ୍ତ୍ରୀ ରାଜା ସ୍ୱାଇଁ, ସମୀର ରଞ୍ଜନ ଦାଶ, ରୀତା ସାହୁ, ରୋହିତ ପୂଜାରୀ ଓ ନିରଞ୍ଜନ ପୂଜାରୀ ଜୋରଦାର ପ୍ରଚାର କରି ଭୋଟ୍ ମାଗିଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର ମଙ୍ଗ ଧରିଥିଲେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ଏହି ଦୁଇ ହେଭିୱେଟ୍ ଦିନ ପ୍ରାୟ ୧୨ଟା ବେଳେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ ଝାରବନ୍ଧ ବ୍ଲକ୍ ବିଳାସପୁର ଜନସଭା ନିକଟରେ । ଉଭୟ ନେତାଙ୍କୁ ସ୍ଥାନୀୟ ଜନତା ଓ ନେତା ପାଛୋଟି ନେଇଥିଲେ ସଭାମଞ୍ଚକୁ । ମଞ୍ଚ ଉପରୁ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ ବୈଜୟନ୍ତ । କହିଥିଲେ, ନିଜ ମାମୁ ଘର ଏହି ଅଞ୍ଚଳରେ ହୋଇଥିବାରୁ ସେ ପିଲାବେଳୁ ଏଠାକୁ ଆସୁଛନ୍ତି । ତେବେ ସେତେବେଳେ ଯେଉଁ ସମସ୍ୟା ଥିଲା ଏବେ ବି ସେହି ସମସ୍ୟା ରହିଛି ବୋଲି କହି ୨୨ ବର୍ଷର ନବୀନ ସରକାରକୁ କଡ଼ା ସମାଲୋଚନା କରିଥିଲେ । ପିଇବା ପାଣି, ସ୍ୱାସ୍ଥ୍ୟ ସମସ୍ୟା, ଆୟୁଷ୍ମାନ ଯୋଜନା ଲାଗୁ ନକରିବା, ଚାଷୀ ସମସ୍ୟା, ୩୩ ପ୍ରତିଶତ ଜମିରେ ଜଳସେଚନ ନହେବା, ପଦ୍ମପୁରକୁ ଜିଲ୍ଲା ମାନ୍ୟତା ନମିଳିବା ଓ ବରଗଡ଼-ପଦ୍ମପୁର-ନୂଆପଡ଼ା ରେଳ ପ୍ରକଳ୍ପ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ । ଆହୁରି ମଧ୍ୟ କହିଥିଲେ, ଉପକୂଳ ଓଡ଼ିଶାରେ ଧାମନଗରରୁ ପରିବର୍ତ୍ତନ ଆରମ୍ଭ ହୋଇଛି, ପଶ୍ଚିମ ଓଡ଼ିଶାରେ ପଦ୍ମପୁରରୁ ଆରମ୍ଭ ହେବ ପରିବର୍ତ୍ତନ । ଧାମନଗର ହାରିଯିବା ପରେ ବିଜେଡି ଘାବରେଇ ହିଂସା ଆରମ୍ଭ କଲାଣି ବୋଲି ଅଭିଯୋଗ କରିଛନ୍ତି ବୈଜୟନ୍ତ । ସଭାରେ ଯୋଗ ଦେଇଥିବା ଅନ୍ୟ ନେତାମାନେ ବି ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଝାରବନ୍ଧ ବ୍ଲକ୍‌ର ବିଳାଶପୁର, କୁମିର ଓ ଜଗଦଳପୁରରେ ଆୟୋଜିତ ସାଧାରଣସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ବିଜେଡି ଏହାର ଜବାବ ରଖିଛି । ବରିକେଳ, ଚାରପାଲିରେ ସଭା ଓ ଶୋଭାଯାତ୍ରା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିଛନ୍ତି । ବର୍ଷା ନିଜେ ମଧ୍ୟ ବିଭିନ୍ନ ସ୍ଥାନରେ କ୍ୟାଂପେନ୍ କରିଛନ୍ତି । ସେପଟେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଇଁ ଆଜି ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ, ଜୟଜେବ ଜେନା ପ୍ରମୁଖ ପ୍ରଚାର କରିଛନ୍ତି ।
ରବିବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରମୁଖ ବିଜେପି ପାଇଁ ପ୍ରଚାରକୁ ଓହ୍ଲାଇବେ । ସେପଟେ ବିଜେଡିର ନେତାମାନେ ପଦ୍ମପୁରରେ ଡେରା ପକାଇଛନ୍ତି ।
ସେପଟେ ପାଇକମାଲର ଝାରବନ୍ଧ ବ୍ଲକ୍‌ରେ ବିଶାଳ ସମାବେଶ କରି ଭାରତୀୟ ଜନତା ପାର୍ଟି ପ୍ରଚାର କରିଛିି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିଛନ୍ତି, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସେହିପରି ପଶ୍ଚିମ ଓଡିଶାର ବରିଷ୍ଠ ନେତା କେଭି ସିଂଦେଓ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ ପ୍ରମୁଖ ପ୍ରଚାର କରିଛନ୍ତି । ଚାଷୀ ଓ ଅର୍ଚ୍ଚନା ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି ।
ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ବିଜେପି ଓ ବିଜେଡିଠାରୁ ଟିକେ ପଛେଇ ଥିବା କଂଗ୍ରେସ ଏବେ ପୁରା ଦମରେ ପ୍ରଚାର ମୈଦାନକୁ ଓହ୍ଲାଇଛି । କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜେୟଦେବ ଜେନା ସମାବେଶ କରିଛନ୍ତି । ପଦ୍ମପୁରରେ ପ୍ରଥମ ପ୍ରାର୍ଥୀ ଭାବେ ସତ୍ୟଭୂଷଣଙ୍କ ପାଇଁ ଇସ୍ତାହାର ଜାରି କରିଛି କଂଗ୍ରେସ । ଇସ୍ତାହାରରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ସଂଗ୍ରାମ । ପାଇକମାଲକୁ ବିଜ୍ଞାପିତ ଅଂଚଳ ପରିଷଦରେ ପରିଣତ ପାଇଁ ଚେଷ୍ଟା ବରଗଡ ନୂତନ ରେଳ ପ୍ରକଳ୍ପ ପାଇଁ ଦାବି ଜୋରଦାର କରାଯିବାକୁ ପ୍ରତିଶ୍ରୁତି ଦେଇଛି ଦଳ । ପଦ୍ମପୁର ଉପନିର୍ବାଚନ ପାଇଁ ରବିବାର ପ୍ରଚାର ମୈଦାନକୁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପଦ୍ମପୁରରେ ଚାଷୀ ସମସ୍ୟା ଓ ବରଗଡକୁ ନୂଆ ରେଳ ସଂଯୋଗ ବଡ ପ୍ରସଙ୍ଗ ପାଲଟିଛି । ତେଣୁ ବିଭାଗୀୟ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଆଣି ପ୍ରଚାରରେ ମାଇଲେଜ ନେବାକୁ ଯୋଜନା କରିଛି ବିଜେପି । ବିଜେଡି ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର କରିବେ ବୋଲି ସୂଚନା ମିଳିଛି ।

Comments are closed, but trackbacks and pingbacks are open.