ସୁପ୍ରିମ୍‌କୋର୍ଟରେ ୧୩ ହଜାର ଟ୍ରାନ୍ସଫର୍ ପିଟିସନ୍ ପେଣ୍ଡିଂ
ପ୍ରତ୍ୟହ ୧୩୦ କେସ୍‌ର ଶୁଣାଣି ହେବ: ସିଜେଆଇ

17

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୂଡ଼ ଶୁକ୍ରବାର ଫୁଲ୍ କୋର୍ଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଘୋଷଣା କରିଛନ୍ତି ଯେ ସୁପ୍ରିମ୍‌କୋର୍ଟର ପ୍ରତ୍ୟେକ ବେଞ୍ଚ୍ ପ୍ରତିଦିନ ୧୦ଟି ଜାମିନ ଏବଂ ୧୦ଟି ଟ୍ରାନ୍ସଫର୍ ପିଟିସନ୍‌ର ଶୁଣାଣି କରିବେ । ଏହି ଅବସରରେ ସିଜେଆଇ କହିଛନ୍ତି, ସୁପ୍ରିମ୍‌କୋର୍ଟରେ ଏବେ ଟ୍ରାନ୍ସଫର୍ ପିଟିସନ୍‌ର ୧୩ ହଜାର କେସ୍ ପେଣ୍ଡିଂ ରହିଛି । ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ହିଁ କୋର୍ଟକୁ ଶୁଣାଣି ପାଇଁ ଆସୁଥିବା ମାମଲାର ଲିଷ୍ଟିଂ କରିଥାନ୍ତି । ଏଥିପାଇଁ ତାଙ୍କୁ ମାଷ୍ଟର ଅଫ୍ ରୋଷ୍ଟର୍ କୁହାଯାଏ । ସୁପ୍ରିମ୍‌କୋର୍ଟର ୫୦ତମ ସିଜେଆଇ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପୂର୍ବତନ ସିଜେଆଇ ୟୁୟୁ ଲଳିତଙ୍କ ଅବସର ପରେ ନଭେମ୍ବର ୯ ତାରିଖ ପରଠାରୁ ଭାରତର ପ୍ରଧାନ ବିଚାରପତି ପଦ ଦାୟିତ୍ୱରେ ରହିଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୨୪ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ହେବ । ସିଜେଆଇ କହିଛନ୍ତି, ଫୁଲ୍ କୋର୍ଟ ମିଟିଂ ପରେ ଆମେ ପ୍ରତିଦିନ ୧୦ଟି ଟ୍ରାନ୍ସଫର୍ ପିଟିସନ୍‌ର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛୁ । ବର୍ତ୍ତମାନ ଆମର ୧୩ଟି ବେଞ୍ଚ୍ ଚାଲୁଥିବାରୁ ଆମେ ପ୍ରତିଦିନ ୧୩୦ ଏବଂ ପ୍ରତି ସପ୍ତାହରେ ପ୍ରାୟ ୬୫୦ ମାମଲାର ଫଇସଲା କରିବୁ । ଏହି କ୍ରମରେ ୱିଣ୍ଟର ଭାକେସନ୍ ପୂର୍ବରୁ ଅର୍ଥାତ୍ ପାଞ୍ଚ ସପ୍ତାହ ମଧ୍ୟରେ ସମସ୍ତ ଟ୍ରାନ୍ସଫର ପିଟିସନ୍ ଶେଷ ହୋଇଯିବ । ସେହିପରି ଜାମିନ ଆବେଦନକୁ ପ୍ରାଥମିକତା ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛି ବୋଲି ସିଜେଆଇ କହିଛନ୍ତି । ଏଥିପାଇଁ ୧୦ ଟ୍ରାନ୍ସଫର୍ ପିଟିସନ୍ ପରେ ପ୍ରତିଦିନ ୧୦ଟି ବେଲ୍ ପିଟିସନ୍‌ର ମଧ୍ୟ ଶୁଣାଣି କରାଯିବ । କାରଣ ଏହା ବ୍ୟକ୍ତିଗତ ସ୍ୱାଧୀନତାର ମାମଲା ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି । ଏହାପରେ ଆମେ ନିୟମିତ କାର୍ଯ୍ୟ ଆରମ୍ଭ କରିବୁ ।
ସକାଳୁ ୧୨ଟା ପର୍ଯ୍ୟନ୍ତ ଲିଷ୍ଟେଡ୍ ମାମଲାର ଫଇସଲା କରୁଥିବା କାରଣରୁ ସେମାନଙ୍କୁ ସପ୍ଲିମେଣ୍ଟାରୀ ବୋର୍ଡ ଅର୍ଥାତ୍ ଏକ୍ସଷ୍ଟ୍ରା ୱାର୍କ ଲୋଡ୍ ନଦେବାକୁ ମିଟିଂରେ ଉପସ୍ଥିତ ଜଜ୍‌ମାନେ ତାଙ୍କୁ ଅନୁରୋଧ କରିଥିଲେ ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ା କହିଛନ୍ତି । ଏହାପରେ ମଧ୍ୟ ସେମାନଙ୍କ ନିକଟକୁ ଆହୁରି ୧୦ଟି ମାମଲା ପଠାଯାଉଛି । ତେଣୁ ପୂରକ ବୋର୍ଡକୁ କମ୍ କରିବା ପାଇଁ ସେ ଉଦ୍ୟମ କରାଯାଉଛି ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ା ଏହି ଅବସରରେ ସୂଚନା ଦେଇଛନ୍ତି ।
ପୂର୍ବତନ ସିଜେଆଇ ୟୁୟୁ ଲଳିତ ନିଜ କାର୍ଯ୍ୟକାଳର ଅନ୍ତିମ ଦିନ କହିଥିଲେ ଯେ ତାଙ୍କ କାର୍ଯ୍ୟକାଳର ଆରମ୍ଭରୁ ନଭେମ୍ବର ୮ ତାରିଖ ମଧ୍ୟରେ ୧୦ ହଜାରରୁ ଅଧିକ ମାମଲାର ଫଇସଲା କରିଛନ୍ତି । ଏହା ବ୍ୟତୀତ ବହୁ ସମୟ ଧରି କିଛି ନା କିଛି ତ୍ରୁୂଟି ଥିବା ୧୩ ହଜାର ମାମଲାର ମଧ୍ୟ ସେ ଫଇସଲା କରିଥିଲେ ।

Comments are closed, but trackbacks and pingbacks are open.