ସ୍ୱାଦ ହିସାବରେ ପପକର୍ଣ୍ଣ ଉପରେ ଲାଗିଲା ୩ ପ୍ରକାରର ଟ୍ୟାକ୍ସ

43

ନୂଆଦିଲ୍ଲୀ: ରାଜସ୍ଥାନର ଜୈସଲମେରରେ ଅନୁଷ୍ଠିତ ଜିଏସଟି ପରିଷଦର ୫୫ତମ ବୈଠକରେ ପପକର୍ଣ୍ଣ ଉପରେ ଟ୍ୟାକ୍ସକୁ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପପକର୍ଣ୍ଣକୁ ତିନି ପ୍ରକାର ଟ୍ୟାକ୍ସ ସ୍ଲାବରେ ଅନ୍ତର୍ଭୁକ୍ତ କରାଯାଇଛି । ପପକର୍ଣ୍ଣ ଉପରେ ନୂତନ ଜିଏସଟି ଦର ପ୍ରସ୍ତାବରେ ରେଡି-ଟୁ-ଇଟ୍ ପାଇଁ ୫%, ପ୍ରି-ପ୍ୟାକେଜ୍ ପାଇଁ ୧୨% ଏବଂ କାରାମେଲ ପପକର୍ଣ୍ଣ ପାଇଁ ୧୮% ଟିକସ ସାମିଲ ହୋଇଛି । ଜିଏସଟି ପରିଷଦ ରେଡି-ଟୁ-ଇଟ୍ ପପକର୍ଣ୍ଣ ଉପରେ ଟିକସ ଲାଗୁ ବିଷୟରେ ମଧ୍ୟ ଆଲୋଚନା କରିଛି । ଲୁଣ ଏବଂ ମସଲା ମିଶ୍ରିତ ପପକର୍ଣ୍ଣକୁ ବିନା ପ୍ୟାକରେ ବିକ୍ରି ଉପରେ ୫% ଜିଏସଟି ଲାଗିବ । ପୂର୍ବରୁ ପ୍ୟାକ୍ ହୋଇଥିବା ପପକର୍ଣ୍ଣ ଉପରେ ୧୨% ଜିଏସଟି ଲାଗିବ । ଏହାର ଅର୍ଥ, ୨୦ ଟଙ୍କାର ପ୍ରି-ପ୍ୟାକ୍ ପପକର୍ଣ୍ଣର ଦାମ୍ ଉପରେ ୧୨% ଜିଏସଟି ଲାଗୁ ହେବ । ଅବଶ୍ୟ, ଚିନି ସହିତ ମିଶ୍ରିତ କାରାମେଲ ପପକର୍ଣ୍ଣକୁ ଚିନି କନଫେକ୍ସନାରୀ ଭାବରେ ବିବେଚନା କରାଯିବ, ଯାହା ଉପରେ ୧୮% ଜିଏସଟି ଲାଗିବ ।ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଶନିବାର ବସିଥିବା ଜିଏସଟି କାଉନସିଲ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେଥିରୁ ପପକର୍ଣ୍ଣ ଉପରେ ନୂଆ ଟ୍ୟାକ୍ସ ମୂଲ୍ୟ ଅନ୍ୟତମ । ପରିଷଦ ପପକର୍ଣ୍ଣ ଉପରେ ଗୋଟିଏ ନୁହେଁ, ବରଂ ତିନି ପ୍ରକାରର ଜିଏସଟି ରେଟ୍ସ ଲଗାଇବା ଉପରେ ସହମତି ପ୍ରକାଶ କରିଛି । ଖାସ୍ କଥା ହେଉଛି, ବଜାରରେ ଉପଲବ୍ଧ ଏହାର ଫ୍ଲେଭର୍ସ ମୁତାବକ ଜିଏସଟି ଲାଗୁ ହେବ । ତେବେ କହି ରଖୁଛୁ, ଜିଏସଟି ପରିଷଦ ମୁତାବକ, ପପକର୍ଣ୍ଣ ଉପରେ କୌଣସି ପ୍ରକାରର ନୂତନ ଟିକସ ଲାଗୁ କରାଯାଇ ନାହିଁ । ବୈଠକରେ କେବଳ ପୂର୍ବରୁ ଲାଗୁ ଥିବା ଟ୍ୟାକ୍ସର ଦରଗୁଡ଼ିକୁ ସ୍ପଷ୍ଟ କରାଯାଇଛି । କାରଣ, କିଛି ସେକ୍ଟର ଏହା ଉପରେ ଭିନ୍ନ ଭିନ୍ନ ଟିକସ ହାର ଦାବି କରୁଥିଲେ । ଏମିତିରେ କୌଣସି ପ୍ରକାର ବିବାଦର ସମାଧାନ ପାଇଁ ଏହି ଟିକସ ହାରଗୁଡ଼ିକୁ ବର୍ତ୍ତମାନ ସ୍ପଷ୍ଟ କରି ଦିଆଯାଇଛି ।

Comments are closed, but trackbacks and pingbacks are open.