ସାଇବର ଠକଙ୍କୁ ଚୂନ ଲଗାଇଲେ ଯୁବକ, ଫେରିପାଇଲେ ଟଙ୍କା

24

ଭୁବନେଶ୍ୱର: ସାଇବର ଲୁଟେରାମାନେ ବିଭିନ୍ନ କୌଶଳ ଅବଲମ୍ବନ କରି ସାଧାରଣ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଉଛନ୍ତି । ହେଲେ ଘଟଣା ଘଟିଛି କିଛି ଓଲଟା । ସାଇବର ଠକଙ୍କୁ ଚୂନ ଲଗାଇଛନ୍ତି ଜଣେ ଯୁବକ । ସେ ସେମାନଙ୍କଠାରୁ ୨୨ ହଜାର ଠକେଇ ଟଙ୍କାକୁ ମାତ୍ର ୫ ମିନିଟ୍‌ରେ ଫେରାଇ ଆଣିବାରେ ସଫଳ ହୋଇଛନ୍ତି । ଦିନକୁ ଦିନ ବଢ଼ିବାରେ ଲାଗିଛି ସାଇବର କ୍ରାଇମ୍ । ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କୁ ଠକୁଛନ୍ତି ସାଇବର ଠକ । ହେଲେ ଜଣେ ଯୁବକ ଏମିତି କାମ କରିଛନ୍ତି ଯେ ସାଇବର ଲୁଟେରା ବି ୟାଙ୍କ ଜାଲରୁ ବର୍ତ୍ତିପାରିନାହାନ୍ତି । ଆଉ ନିଜର ଝାଳବୁହା ଧନକୁ ଫେରିପାଇଛନ୍ତି । ପ୍ରଥମେ ଯୁବକଙ୍କୁ ଫୋନ୍ କରି ଇଆଡୁସିଆଡୁ ଅନେକ ପ୍ରଶ୍ନ କରି ଟଙ୍କା ବ୍ୟାଙ୍କ ଆକାଉଣ୍ଟ ଓ ୟୁପିଆଇ ନମ୍ବର ଜାଣି ୨୨ ହଜାର ଟଙ୍କା ଲୁଟ୍ କରିଥିଲେ ସାଇବର ଲୁଟେରା । ଆକାଉଣ୍ଟରୁ ଟଙ୍କା କଟିବା ପରେ ଚିନ୍ତାରେ ଥିଲେ ଯୁବକ । କ’ଣ କରିବେ ଆଉ କେମିତି କରିବେ ସେ ନେଇ କିଛି ବୁଦ୍ଧିବାଟ ଦିଶୁନଥିଲା ତାଙ୍କୁ । ହେଲେ ନିଜସ୍ୱ ଉଦ୍ୟମରେ ବାରମ୍ବାର କଲ୍ କରିଥିଲେ ସାଇବର ଲୁଟେରାଙ୍କୁ । ଖାଲି ଏତିକି ନୁହେଁ, ବରଂ ସେମାନଙ୍କ ବ୍ୟାଙ୍କ ଡିଟେଲ୍ସର ସବିଶେଷ ତଥ୍ୟ ସଂଗ୍ରହ କରିବା ସହ ନିଜର ଝାଳବୁହା ଟଙ୍କାକୁ ଫେରିପାଇଥିଲେ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ସୂଚନା ମୁତାବକ ଯୁବକଙ୍କ ଦରମା ପାଇବା ପରେ ସେ ୟୁପିଆଇ ମାଧ୍ୟମରେ ଘରକୁ ଟଙ୍କା ପଠାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ କୌଣସି ତ୍ରୁଟି କାରଣରୁ ଟଙ୍କା ପଠାଇ ପାରିନଥିଲେ । ସେଥିପାଇଁ ସେ ଫୋନ୍ ପେ’ର କଷ୍ଟମର୍ କେଆରକୁ ଫୋନ କରିଥିଲେ । କଲ୍ କରିଥିବା ନମ୍ବରଟି କଷ୍ଟମର କେଆରକୁ ଲାଗିବା ବଦଳରେ ସାଇବର ଲୁଟେରାଙ୍କ ପାଖକୁ ଲାଗିଯାଇଥିଲା । ଲୁଟେରାମାନେ ସମାଧାନ କରିବା ଆଳରେ ଯୁବକଙ୍କର ଆକାଉଣ୍ଟ ନଂ, ୟୁପିଆଇ ନମ୍ବର ମାଗିଥିଲେ । ଏହାପରେ ଯୁବକ ଜଣକ ସାଙ୍ଗମାନଙ୍କ ଜରିଆରେ ଜାଣିପାରିଲେ ଯେ ଲୁଟେରାମାନେ ତାଙ୍କୁ ଠକିବା ପାଇଁ ପ୍ରହସନ କରୁଛନ୍ତି । କିନ୍ତୁ ଯୁବକ ଜଣକ ଚାଲାଖି ଦେଖାଇ ଲୁଟେରାଙ୍କ ସହ ଛଳନା କରି ନିଜ ଆକାଉଣ୍ଟରେ ଥିବା ଟଙ୍କାକୁ ନିଜ ସାଙ୍ଗ ଆକାଉଣ୍ଟକୁ ପଠାଇ ଦେଇଥିଲେ । ତା’ପରେ ସାଇବର ସେଲ୍ ଯାଇ ଏ ନେଇ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ ।

Comments are closed, but trackbacks and pingbacks are open.