ଡଲାର୍ ତୁଳନାରେ ‘ଟଙ୍କା’ ମୂଲ୍ୟ ପୁଣି କମିଲା

124

ନୂଆଦିଲ୍ଲୀ: ଆମେରିକା ପକ୍ଷରୁ ବର୍ଦ୍ଧିତ ଶୁଳ୍କ ଏବଂ ଏହାସହ ସୃଷ୍ଟି ହୋଇଥିବା ବାଣିଜ୍ୟ ଅନିଶ୍ଚିତତା ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବ ଭାରତୀୟ ଅର୍ଥନୀତିକୁ ଖରାପ କରିଚାଲିଛି। ଗୁରୁବାର ପୁଣିଥରେ ଭାରତୀୟ ରୁପି’ ଟଙ୍କା ଆମେରିକାର ଡଲାର୍ ତୁଳନାରେ ସର୍ବକାଳୀନ ନିମ୍ନସ୍ତରରେ ଅର୍ଥାତ୍ ୮୮.୪୪୨୫ରେ ପହଞ୍ôଚଛି। ଗୁରୁବାର ଅପରାହ୍ଣ ୨:୨୦ ସୁଦ୍ଧା, ଭାରତର ‘ମୁଦ୍ରା’ ମୂଲ୍ୟ ଡଲାର ତୁଳନାରେ ୮୮.୪୪୨୫ରେ କାରବାର କରୁଥିଲା, ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ବୁଧବାର ବନ୍ଦ ହୋଇଥିବା ୮୮.୧୨୮୮ ତୁଳନାରେ ୩୪ ପଇସା ହ୍ରାସ ବୋଲି ସ୍ପଷ୍ଟ ହୋଇଛି। ସିଧାସଳଖ କହିଲେ ବୁଧବାର ସୁଦ୍ଧା ଯେଉଁଠି ଡଲାର୍ ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ସହିତ ୮୮.୧୨୮୮ ରହିଥିଲା ସେତେବେଳେ ଗୁରୁବାର ଏହା ଆହୁରି ୩୪ପଇସା ହ୍ରାସ ପାଇଛି। ନିକଟ ଅତୀତରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଟଙ୍କାର ଏପ୍ରକାର ଅବମୂଲ୍ୟାୟନକୁ ରୋକିବା ଦିଗରେ ଅବଶ୍ୟ ହସ୍ତକ୍ଷେପ କରିଛି ଏବଂ କେତେକ ପଦକ୍ଷେପ ଗ୍ରହଣ କରିଛି। ତେବେ ଏସବୁର ସକାରାତ୍ମକ ପ୍ରଭାବ ଆଗାମୀ ଦିନରେ ହୁଏତ ଦେଖିବାକୁ ମିଳିପାରେ। ବଜାର ଅଂଶଗ୍ରହଣକାରୀମାନେ ବିଶ୍ୱାସ କରନ୍ତି ଯେ କେନ୍ଦ୍ରୀୟ ବ୍ୟାଙ୍କ ଆର୍‌ବିଆଇ ଏପ୍ରକାର ଅସ୍ଥିରତାକୁ କମ୍ କରିବା ପାଇଁ ଡଲାର୍ ବିକ୍ରୟ ଭଳି ନିଷ୍ପତ୍ତି ଗ୍ରହଣ କରିପାରେ। କାରଣ ଆଗାମୀ ଦିନରେ ଟଙ୍କାର ଦୁର୍ବଳତା ଜାରି ରହିପାରେ ବୋଲି ଆଇଏଫ୍‌ଏ ଗ୍ଲୋବାଲ୍‌ର ସିଇଓ ଅଭିଷେକ ଗୋଏଙ୍କା ମତ ଦେଇଛନ୍ତି। ପ୍ରକାଶ ଚଳିତବର୍ଷ ଭାରତର ଋଣ ଓ ଇକ୍ୱିଟି ବଜାରରୁ ୧୧.୭ ବିଲିଅନ୍ ଡଲାର୍ ବିଦେଶୀ ନିବେଶ ପ୍ରତ୍ୟାହାର ହୋଇଛି।

Comments are closed, but trackbacks and pingbacks are open.