ସ୍ଥାନାନ୍ତର ହେବ ଭୁବନେଶ୍ୱର ର ୟୁନିଟ-୧ ପରିବା ମାର୍କେଟ

19

ସ୍ଥାନାନ୍ତର ହେବ ଭୁବନେଶ୍ୱର ର ୟୁନିଟ-୧ ହାଟ ରେ ଥିବା ପରିବା ମାର୍କେଟ। ସହର ଉପକଣ୍ଠ ଭଗବାନପୁରକୁ ଏହା ସ୍ଥାନାନ୍ତରିତ ହେବ। ସେଠାରେ ପରିବା ହୋଲସେଲ ମାର୍କେଟ ଲାଗି ଶୀତଳଭଣ୍ଡାର ଠାରୁ ଆରମ୍ଭ କରି ସବୁ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ଓ ଭିତ୍ତିଭୂମି ରହିବ । ଏଥିଲାଗି ଭଗବାନପୁରରେ ଚିହ୍ନଟ ହୋଇଛି ୧୦ ଏକର ଜମି । ସହର ଭିତରେ ଗହଳି କମାଇବା ସହ ଟ୍ରାଫିକ ସମସ୍ୟା ଦୂର ପାଇଁ ନିଆଯାଇଛି ଏ ନିଷ୍ପତ୍ତି । ଏଥିଲାଗି ଆଜି ବିଏମସି ଅଫିସରେ ବସିଥିଲା ପ୍ରାରମ୍ଭିକ ବୈଠକ । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ବିନୟ କୁମାର ଦାସ।
ମାର୍କେଟ୍ ସ୍ଥାନାନ୍ତର ନିଷ୍ପତ୍ତିକୁ ସ୍ୱାଗତ କରିଛି ରାଜଧାନୀ କଞ୍ଚା ପରିବା ବ୍ୟବସାୟୀ ମହାସଂଘ। ୧୯୫୭ ମସିହାରୁ ୟୁନିଟ-୧ରେ ୪ ଏକର ଜାଗା ଉପରେ ଅଛି ପରିବା ହୋଲ୍‌ସେଲ୍‌ ମାର୍କେଟ। ଏବେ ଏଠାରେ ୪୯ ଜଣ ପରିବା ହୋଲ୍‌ସେଲ୍‌ ବ୍ୟବସାୟୀ ଅଛନ୍ତି। ପ୍ରତିଦିନ ଏଠାକୁ ୨୦୦ ଟ୍ରକ ଯିବା ଆସିବା କରୁଛି। ତେବେ ଏଠାରେ ସ୍ଥାନ ଅଭାବରୁ ପରିବା ହୋଲସେଲ ମାର୍କେଟକୁ ସ୍ଥାନାନ୍ତର କରିବା ଲାଗି ୨୦୦୭ରୁ ଦାବି କରି ଆସୁଥିଲା ସଂଘ। ତେଣୁ ଭଗବାନପୁରରେ ସମସ୍ତ ହୋଲସେଲ ଦୋକାନୀଙ୍କ ପାଇଁ ଦୋକାନ ଗୃହ କରିବା ସହ ବିଜୁଳି ,ପାଣି ର ସୁବିଧା ସୁଯୋଗ ଯୋଗାଇ ଦେଲେ ସ୍ଥାନାନ୍ତରଣରେ କୌଣସି ଅସୁବିଧା ଦେଖାଦେବନି ବୋଲି ବ୍ୟବସାୟୀ ମହାସଂଘ ପକ୍ଷରୁ କୁହାଯାଇଛି । ଯେହେତୁ ସହର ଉପକଣ୍ଠକୁ ପରିବା ହୋଲସେଲ ମାର୍କେଟ ଉଠିଯିବ ତେଣୁ ସହରର ଗହଳି ମଧ୍ୟ କିଛି ମାତ୍ରାରେ କମ ହୋଇଯିବ ।

Leave A Reply

Your email address will not be published.