ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

25

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି(ଏନ୍‌ଇପି) ହେଉଛି ଏକ ଦାର୍ଶନିକ ଦସ୍ତାବିଜ, ଯାହା ଜ୍ଞାନ ଆଧାରିତ ଅର୍ଥନୀତି ଓ ସମାଜ ଗଠନ ଦିଗରେ ସହାୟକ ହେବ । ଶିକ୍ଷା ବ୍ୟବସ୍ଥାକୁ ନୂଆ ରୂପ ଦେବା ତଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ରାସ୍ତା ପରିଷ୍କାର କରିବା ପାଇଁ ରବିବାର ଉତ୍ତରାଖଣ୍ଡରେ ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦(ଏନ୍‌ଇପି) କ୍ରିୟାନ୍ୱୟନର ଶୁଭାରମ୍ଭ କରି ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାଛଡ଼ା ସେ କହିଛନ୍ତି ଯେ ନୂଆ ଶିକ୍ଷା ନୀତି ଆଧାରରେ ପିଲାଙ୍କୁ ୩ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ମୌଳିକ ଶିକ୍ଷା ପ୍ରଦାନ କରାଯିବ । ଖେଳ ଶିକ୍ଷାକୁ ପ୍ରାଥମିକତା ଦିଆଯିବ । ଏହି ତିନି ବର୍ଷର ଅବଧିକୁ ଶିକ୍ଷା ନୀତିରେ ବାଲ୍‌ବାଟିକା ଭାବରେ ଗ୍ରହଣ କରାଯାଇଛି । ପ୍ରଥମ ଥର ପାଇଁ ବାଲ୍‌ବାଟିକାକୁ ସ୍କୁଲ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହିପରି ଏକ ବ୍ୟବସ୍ଥାକୁ ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହେଉଛି ଉତ୍ତରାଖଣ୍ଡ । ନୂଆ ଶିକ୍ଷା ନୀତି ୩ରୁ ୨୩ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିର ଜ୍ଞାନ, ଗୁଣାତ୍ମକ ଶିକ୍ଷା, କୌଶଳ ସହ କ୍ଷମତା ବଢ଼ାଇବାରେ ସହଯୋଗୀ ହେବ ବୋଲି ସେ କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଧନ ସିଂହ ରାୱତଙ୍କ ସହ ରାଜ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଓ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଉତ୍ତରାଖଣ୍ଡ ବାଲବାଟିକା, ଆଞ୍ଚଳିକ ଭାଷା, ବିଦ୍ୟାଳୟ ପ୍ରସ୍ତୁତି କାର୍ଯ୍ୟକ୍ରମ, ଦକ୍ଷତା ବିକାଶ ସହ ଅନେକ ପଦକ୍ଷେପକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ରାସ୍ତା ପରିଷ୍କାର କରୁଛି । ଏକ ସୁଦୃଢ଼ ଶିକ୍ଷା ଏବଂ ଦକ୍ଷତା ବିକାଶ ଇକୋସିଷ୍ଟମ ସହ ଉତ୍ତରାଖଣ୍ଡ ରାଜ୍ୟର ଯୁବପିଢିଙ୍କୁ ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସାମ୍ନା କରିବା ପାଇଁ ଆବଶ୍ୟକୀୟ ଜ୍ଞାନ ଓ ଦକ୍ଷତା ଭିତ୍ତିରେ ପ୍ରସ୍ତୁତ କରିବ । ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହରିଦ୍ୱାର ସ୍ଥିତ ପତଞ୍ଜଳି ଯୋଗପୀଠ ଠାରେ ବାବା ରାମଦେବଙ୍କ ସହ ଆଚାର୍ଯ୍ୟ କୁଲମ ବାର୍ଷିକ ସମାରୋହରେ ଯୋଗ ଦେଇଥିଲେ । ଏହାବ୍ୟତୀତ ଉତ୍ତରାଖଣ୍ଡର ଶିକ୍ଷା ମନ୍ତ୍ରୀଙ୍କ ସହ ରାନିପୁର ସ୍ଥିତ ହରିଦ୍ୱାର ରାଜକୀୟ ଇଣ୍ଟର କଲେଜ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ।

Comments are closed, but trackbacks and pingbacks are open.