ଅଣ୍ଡର୍‌-୧୭ ଫିଫା ମହିଳା ବିଶ୍ୱକପ୍ ଉଦ୍‌ଘାଟିତ

33

ଭୁବନେଶ୍ୱର: ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଫିଫା ପକ୍ଷରୁ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଆରମ୍ଭ ହୋଇଛି । ଦ୍ୱିତୀୟ ଥର ପାଇଁ ଭାରତରେ କୌଣସି ଫିଫା ବିଶ୍ୱକପ୍ ଆୟୋଜିତ ହେଉଥିବା ବେଳେ ମଙ୍ଗଳବାର ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ସାଢ଼େ ୪ଟା ବେଳେ ମରକ୍କୋ ଓ ବ୍ରାଜିଲ୍ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍ ମାଧ୍ୟମରେ ଏଠାରେ ବିଶ୍ୱକପ୍ ଆକ୍ସନ୍ ଆରମ୍ଭ ହୋଇଥିଲା । ତେବେ ଦିନର ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ଏହାକୁ ବିଧିବଦ୍ଧ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ନିଶିଥ୍ ପରମାଣିକ, ସର୍ବଭାରତୀୟ ଫୁଟବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌) ସଭାପତି କଲ୍ୟାଣ ଚୌବେ ଓ ଫିଫା ମହାସଚିବ ଫାତମା ସମୌରା ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ସହ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ୍ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥିମାନେ ଭାରତୀୟ ଦଳର ଅଧିନାୟିକା ଆସ୍ତାମ୍ ଓରାଓଁ ଓ ଆମେରିକା ଅଧିନାୟିକା ରିଲି ଜ୍ୟାକ୍‌ସନ୍‌ଙ୍କ ସହ ପରିଚିତ ହୋଇ ସେମାନଙ୍କୁ ପ୍ରତିଯୋଗିତା ପାଇଁ ଶୁଭକାମନା ଦେଇଥିଲେ । ପରେ ସେ ଉଭୟ ଦଳର ଖେଳାଳିଙ୍କୁ ମଧ୍ୟ ଭେଟିଥିଲେ । ଏହାପରେ କଳିଙ୍ଗ ଷ୍ଟାଡିୟମ୍ ଆକାଶ ରଙ୍ଗ ବେରଙ୍ଗର ଆତସବାଜିରେ ଝଲସି ଉଠିଥିଲା । ଷ୍ଟାଡିୟମ୍‌ରେ ଘରୋଇ ଭାରତକୁ ସମର୍ଥନ କରିବା ସକାଶେ ପହଞ୍ଚିଥିବା ପାଖାପାଖି ସାଢ଼େ ୪ ହଜାର ଦର୍ଶକ ଏହାକୁ ମନଭରି ଉପଭୋଗ କରିଥିଲେ । ଅତିଥିମାନେ ଭାରତ ଓ ଆମେରିକା ମ୍ୟାଚ୍‌କୁ ବେଶ୍ କିଛି ସମୟ ଉପଭୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ଅତିଥିମାନଙ୍କୁ ମେମେଣ୍ଟୋ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ । ଏହାପରେ ଭାରତ ଓ ଆମେରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ଟି ଏକତରଫା ରହିଥିଲା । ଏହି ମ୍ୟାଚ୍‌ରେ ଭାରତଠାରୁ ର‌୍ୟାଙ୍କିଙ୍ଗ୍‌ରେ ଯଥେଷ୍ଟ ଉପରେ ଥିବା ଆମେରିକା ୮ଟି ଗୋଲ୍ କରି ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ଭାବେ ଏକତରଫା କରିଦେଇଥିଲା । ନବମ ମିନିଟ୍‌ରେ ଗୋଲ୍ ଦେଇ ଆମେରିକାକୁ ଆଗୁଆ କରାଇଥିଲେ ମେଲିନା ଆଞ୍ଜେଲିକା ରେବିମ୍ବାସ୍ । ପରବର୍ତ୍ତୀ ସମୟରେ ସେ ୩୧ତମ ମିନିଟ୍‌ରେ ତାଙ୍କର ଦ୍ୱିତୀୟ ଗୋଲ୍ ବି ଦେଇଥିଲେ । ଏହାଛଡ଼ା ପଞ୍ଚଦଶ ମିନିଟ୍‌ରେ ଚାର୍ଲଟ୍ ରୁଥ୍ କୋହଲର୍‌, ୨୩ତମ ମିନିଟ୍‌ରେ ଓନିକା ପାଲେଶମା ଗାମେରୋ, ୩୯ତମ ମିନିଟ୍‌ରେ ଜିସେଲ୍ ଥମ୍ପ୍‌ସନ୍‌, ୫୧ତମ ମିନିଟ୍‌ରେ ଏଲା ମେରୀ ଏମ୍ରି ଗୋଲ୍ ଦେଇଥିଲେ । ସେହିପରି ଆମେରିକାକୁ ଦ୍ୱିତୀୟାର୍ଦ୍ଧ ଖେଳରେ ମ୍ୟାଚ୍‌ର ୫୯ତମ ମିନିଟ୍‌ରେ ପେନାଲ୍‌ଟି ମିଳିଥିଲା, ଯାହାକୁ ଗୋଲ୍‌ରେ ପରିଣତ କରି ଦଳକୁ ୭-୦ରେ ଆଗୁଆ କରାଇଥିଲେ ଟେଲର୍ ମାରି ସୁଆରେଜ୍ । ଦଳ ପକ୍ଷରୁ ଅଷ୍ଟମ ଗୋଲ୍‌ଟି ୬୨ତମ ମିନିଟ୍‌ରେ ମିଆ ଏଲିଜାବେଥ୍ ସ୍କୋର୍ କରିଥିଲେ । ଏହି ଏକତରଫା ମ୍ୟାଚ୍‌ରେ ଆମେରିକା କବଳରେ ୭୯ ପ୍ରତିଶତ ବଲ୍ ରହିଥିଲା । ସେହିପରି ଆମେରିକା ଖେଳାଳିମାନଙ୍କ ମଧ୍ୟରେ ୬୪୧ଟି ପାସ୍ ଦିଆଯାଇଥିବା ବେଳେ ଭାରତୀୟ ଖେଳାଳିମାନେ ମାତ୍ର ୧୭୬ଟି ପାସ୍ ଦେଇପାରିଥିଲେ ।

Comments are closed, but trackbacks and pingbacks are open.