ମାର୍ଚ୍ଚ ୧୫ରେ ମହାନଦୀ ଜଳ ଅବବାହିକା ଅଞ୍ଚଳ ପରିଦର୍ଶନ କରିବେ ଟ୍ରିବ୍ୟୁନାଲ

32

ମହାନଦୀ ଜଳ ବିବାଦକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସହମତି ସୃଷ୍ଟି ହୋଇ ନପାରିବାରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନିଜେ ବିବାଦୀୟ ଅବବାହିକା ଅଞ୍ଚଳ ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ମାର୍ଚ୍ଚ ୧୫ରେ ଟ୍ରିବ୍ୟୁନାଲ ମହନଦୀ ଅବବାହିକା ଅଞ୍ଚଳ ଗସ୍ତ କରି ଉଭୟ ପକ୍ଷଙ୍କ ବିବାଦ ପ୍ରସଙ୍ଗ ନିଜେ ଦେଖିବେ ବୋଲି ସୋମବାର ନିର୍ଦ୍ଦେଶ ଦେଇଛନ୍ତି ।ଟ୍ରିବ୍ୟୁନାଲ ଆକାଶମାର୍ଗରୁ ମଧ୍ୟ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ କରିବେ । ଟ୍ରିବ୍ୟୁନାଲଙ୍କ ଗସ୍ତ ପରେ ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨୫ରେ ହେବ ।

ବିଚାରପତି ଏ ଏମ୍‌ ଖାନୱିଲ୍‌କରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ନିକଟରେ ମହାନଦୀ ଜଳ ବିବାଦ ନେଇ ସୋମବାର ଶୁଣାଣି ଅନୁଷ୍ଠିତ ହୋଇଥିଲା । ଉଭୟ ଛତିଶଗଡ଼ ଓ ଓଡ଼ିଶା ସମେତ ଅନ୍ୟପକ୍ଷଙ୍କ ଓକିଲମାନେ ମଧ୍ୟ ଉପସ୍ଥିତ ଥିଲେ । ଟ୍ରିବ୍ୟୁନାଲଙ୍କ ଗସ୍ତ ପୂର୍ବରୁ ଉଭୟ ଛତିଶଗଡ଼ ଓ ଓଡ଼ିଶାର ଟେକ୍ନିକାଲ ଟିମ୍‌ ଓ ଆସେସରମାନଙ୍କ ମଧ୍ୟରେ ଆଲୋଚନା କରି ଗସ୍ତ ସମ୍ବନ୍ଧୀୟ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବା ସକାଶେ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟସୂଚୀ ପ୍ରସଙ୍ଗରେ ସେମାନେ ଟ୍ରିବ୍ୟୁନାଲଙ୍କୁ ମଧ୍ୟ ଅବଗତ କରାଇବେ । ଏହି ଗସ୍ତର ସମସ୍ତ ଦାୟିତ୍ୱ ଉଭୟ ଓଡ଼ିଶା ଓ ଛତିଶଗଡ଼ ବହନ କରିବେ ବୋଲି ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି ।

ଉଭୟ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ପୂର୍ବରୁ ହୋଇଥିବା ଆଲୋଚନା ପ୍ରସଙ୍ଗରେ କେତେକ ତଥ୍ୟ ଖଣ୍ଡପୀଠଙ୍କୁ ଦିଆଯାଇଛି । ଏଥିରୁ ଜଣାପଡ଼ିଛି, ମୁଣ୍ଡଳି ଆନିକଟ୍‌ ନିକଟରେ ସୀମା ନିର୍ଦ୍ଧାରଣ କରିବା ସମୟରେ ଛତିଶଗଡ଼ କେତେକ ଆପତ୍ତି ଉଠାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ ଦୁଇ ରାଜ୍ୟଙ୍କ ଟେକ୍ନିକାଲ ଟିମ୍‌ ଓ ଆସେସରଙ୍କ ମଧ୍ୟରେ କେତେକ ବିଷୟ ନେଇ ମତଭେଦ ଦୂର ହୋଇଛି । ଅପରପକ୍ଷେ ମହାନଦୀ ଅବବାହିକାରେ କେତେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ନେଇ ଏବେବି ବିବାଦ ଲାଗିରହିଛି । ଅନ୍ୟପକ୍ଷରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅବଧି ଆସନ୍ତା ମାର୍ଚ୍ଚରେ ସମାପ୍ତ ହେବାକୁ ଯାଉଛି । ତେଣୁ ଏହାର କାର୍ଯ୍ୟକାଳ ବୃଦ୍ଧି ସକାଶେ ସଂପୃକ୍ତ ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରିବା ପାଇଁ ମଧ୍ୟ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଉଭୟ ଓଡ଼ିଶା ଓ ଛତିଶଗଡ଼ର କର୍ତ୍ତୃପକ୍ଷଙ୍କୁ ଏହା ପୂର୍ବରୁ ୩ ଥର ଆପୋସ ଆଲୋଚନା ମାଧ୍ୟମରେ ମହାନଦୀ ଅବବାହିକା ଅଞ୍ଚଳର ବିବାଦ ପ୍ରସଙ୍ଗରେ ସହମତି ସୃଷ୍ଟି ପାଇଁ କୁହାଯାଇଥିଲା । କିନ୍ତୁ ଏହାର କୌଣସି ରାସ୍ତା ବାହାରିଲା ନାହିଁ । ଏଣୁ ଟ୍ରିବ୍ୟୁନାଲ ବିବାଦୀୟ ଅଞ୍ଚଳ ପରିଦର୍ଶନ କରିବାକୁ ସ୍ଥିର ହୋଇଛି । ଏହାପରେ ହିଁ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ହେବ ।

Comments are closed, but trackbacks and pingbacks are open.