ସାମ୍ନାକୁ ଆସିଲା ରାମଲାଲାଙ୍କ ୩ୟ ପ୍ରତିମୂର୍ତ୍ତି

56

ଅଯୋଧ୍ୟା: ମୈସୁରର ଶିଳ୍ପୀକାର ଅରୁଣ ଯୋଗୀରାଜଙ୍କ ଦ୍ୱାରା କୃଷ୍ଣକାୟ ମୁଗୁନି ପଥରରେ ନିର୍ମିତ ୫ ବର୍ଷୀୟ ବାଳକ ସୁଲଭ ରାମଲାଲାଙ୍କ ପ୍ରତିମା ମନ୍ଦିର ଗର୍ଭଗୃହରେ ସ୍ଥାପିତ ହୋଇସାରିଛି । କିନ୍ତୁ ରାମଲାଲାଙ୍କ ଅନ୍ୟ ଦୁଇଟି ମୂର୍ତ୍ତିକୁ ନେଇ ଏବେ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି । ଦିନକ ପୂର୍ବେ ରାଜସ୍ଥାନର ମୂର୍ତ୍ତିକାର ସତ୍ୟନାରାୟଣ ପାଣ୍ଡେ ଶୁଭ୍ର ମାର୍ବଲ ପଥର ଖଣ୍ଡରେ ନିର୍ମାଣ କରିଥିବା ରାମଲାଲାଙ୍କ ପ୍ରତିମୂର୍ତ୍ତିର ଫଟୋକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସାର୍ବଜନୀନ କରାଯାଇଥିଲା ।

ଗର୍ଭଗୃହରେ ଥିବା ରାମଲାଲାଙ୍କ ପରି ଏହି ପ୍ରତିମୂର୍ତ୍ତିରେ ମଧ୍ୟ ସୁନା ନିର୍ମିତ ଧନୁ ଏବଂ ତୀର ଶୋଭା ପାଉଛି । ତେବେ ବୁଧବାର ମନ୍ଦିର ଟ୍ରଷ୍ଟ ପକ୍ଷରୁ ରାମଲାଲାଙ୍କ ଆଉ ଏକ ପ୍ରତିକୃତିକୁ ସାର୍ବଜନୀନ କରାଯାଇଛି । ରାମଲାଲାଙ୍କ ଏହି ମୂର୍ତ୍ତିକୁ ବେଙ୍ଗାଲୁରୁର ମୂର୍ତ୍ତିକାର ଜିଏସ୍ ଭଟ୍ଟ ନିର୍ମାଣ କରିଛନ୍ତି । ଏହି ପ୍ରତିମାରେ ପ୍ରଭୁ ରାମଙ୍କୁ ୫ବର୍ଷର ଶିଶୁ ରୂପରେ ଦର୍ଶାଯାଇଛି । କଳାପଥରେ ରାମଙ୍କ ଏହି ପ୍ରତିମାକୁ ନିର୍ମାଣ କରାଯାଇଛି ।

ବାସ୍ତବରେ ଗର୍ଭଗୃହ ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ରାମଲାଲାଙ୍କ ପ୍ରତିମୂର୍ତ୍ତି ମଧ୍ୟରୁ ଯେଉଁ ୩ଟି ପ୍ରତିମୂର୍ତ୍ତିକୁ ଚୟନ କରାଯାଇଥିଲା ସେଥିମଧ୍ୟରୁ ଏହି ୨ଟି ପ୍ରତିମୂର୍ତ୍ତିଟି ଅନ୍ୟତମ ଥିଲେ । ଗର୍ଭଗୃହରେ କେଉଁ ମୂର୍ତ୍ତିକୁ ସ୍ଥାପନ କରାଯିବ ସେନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯିବା ପରେ ଏହି ଦୁଇଟି ମୂର୍ତ୍ତି ବାଦ୍ ପଡିଯାଇଥିଲେ । ଏହି ଦୁଇ ପ୍ରତିମୂର୍ତ୍ତିକୁ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାନଯାଇ ମନ୍ଦିରର ଅନ୍ୟ ପ୍ରାନ୍ତରେ ସ୍ଥାପନ କରାଯିବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ସମ୍ପ୍ରତି ଏହି ମୂର୍ତ୍ତୀ ମନ୍ଦିର ଟ୍ରଷ୍ଟ ନିକଟରେ ରହିଛି । ଆଗାମୀ ଦିନରେ ମନ୍ଦିରର ଅନ୍ୟ ପ୍ରାନ୍ତରେ ରାମଲାଲାଙ୍କ ଏହି ପ୍ରତିମୂର୍ତ୍ତି ଶୋଭାବର୍ଦ୍ଧନ କରିବ ।

Comments are closed, but trackbacks and pingbacks are open.