ଏୟାରଲିଫ୍ଟ କୁ ନେଇ ଆମେରିକା କୁ ଧମକ ଦେଲା ତାଲିବାନ

28

ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଭୟ ରେ ଲୋକେ ସେ ସ୍ଥାନ ଛାଡି ପଳାଉଛନ୍ତି I ବିଭିନ୍ନ ରାଷ୍ଟ୍ର ପକ୍ଷରୁ ନିଜ ନିଜ ଦେଶ ଲୋକଙ୍କୁ ଫେରାଇ ନିଆ ଯାଉଛି I ଆମେରିକା ଓ ନାଟୋ ସେନା ଆଫଗାନିସ୍ତାନକୁ ଛାଡ଼ି ଦେଇଛି। କିନ୍ତୁ ଏବେ ଆଫଗାନିସ୍ତାନରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆମେରିକା ଓ ବ୍ରିଟେନ ସେନା କାବୁଲ ବିମାନବନ୍ଦରରେ ମହଜୁଦ ରହିଛନ୍ତି। ତେବେ ଏପରି ସ୍ଥାନାନ୍ତର ପ୍ରକ୍ରିୟାକୁ ନେଇ ଚିହିଁକି ଉଠିଛି ତାଲିବାନ ସଂଗଠନ। ସଂଗଠନ ପକ୍ଷରୁ ଆମେରିକା ଓ ତା’ର ସହଯୋଗୀ ରାଷ୍ଟ୍ରଗୁଡ଼ିକୁ ଆସନ୍ତା ସପ୍ତାହ ସୁଦ୍ଧା ଏୟାରଲିଫ୍ଟ ଶେଷ କରିବାକୁ କୁହାଯାଇଛି। ଏହାପରେ ଯଦି ଏୟାରଲିଫ୍ଟ ଚାଲିଲା, ତା’ହେଲେ ପରିଣାମ ଭୟଙ୍କର ହେବ ବୋଲି ତାଲିବାନ ପକ୍ଷରୁ ଆଜି ଚେତାବାନୀ ଦିଆଯାଇଛି। ସୋମବାର ତାଲିବାନର ପ୍ରବକ୍ତା ସୋହେଲ ସାହିନ ଦେଇଥିବା ବୟାନରେ କହିଛନ୍ତି, ଯଦି ଆମେରିକା ନିଜ ସେନାକୁ ହଟାଇବାରେ ବିଳମ୍ବ କରେ ତେବେ ପରିସ୍ଥିତି ଭୟାବହ ହେବ। ଅଗଷ୍ଟ-୩୧ ପର୍ୟ୍ୟନ୍ତ ତାଲିବାନ ପକ୍ଷରୁ ଶେଷ ଗାଇଡଲାଇନ ଜାରି କରାଯାଇଛି। ସେହିପରି ଆମେରିକା ସୈନ୍ୟମାନେ ସଂପୂର୍ଣ୍ଣ ଭାବେ ଦେଶ ଛାଡ଼ିବା ପରେ ଆଫଗାନନରେ ତାଲିବାନ ସରକାର ଗଠନ କରିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିବ ବୋଲି ଜଣାପଡ଼ିଛି। ଏଥିସହ କାବୁଲ ଏୟାରପୋର୍ଟରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପାଇଁ ତାଲିବାନ ଆମେରିକାକୁ ମଧ୍ୟ ଦାୟୀ କରିଛି। ଆମେରିକା ପୂର୍ବରୁ କହିଥିଲା କି, ଅଗଷ୍ଟ ୩୧ ଭିତରେ ଲୋକଙ୍କୁ ଉଦ୍ଧାର କରିବା ପରେ ସେନାକୁ ପୁଣି ଫେରାଇ ଆଣିବ। ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ନିଜ ବୟାନରେ କହିଥିଲେ କି, ଯଦି ଲୋକଙ୍କୁ ଉଦ୍ଧାର କରିବାର ଲକ୍ଷ୍ୟ ପୂରା ନହୁଏ ତେବେ ଆମେରିକା ସେନା ଅଗଷ୍ଟ ୩୧ ପରେ ବି ଆଫଗାନିସ୍ତାନରେ ରହି ପାରନ୍ତି I କିନ୍ତୁ ବ୍ରିଟେନ ଓ ୟୁରୋପୀୟ ସଂଘ ସମସ୍ତଙ୍କୁ ୩୧ ତାରିଖ ଭିତରେ ସୁରକ୍ଷିତ ଏୟାରଲିଫ୍ଟ କରିବା ଅସମ୍ଭବ ବୋଲି କହିଛନ୍ତି।

Leave A Reply

Your email address will not be published.