ସ୍ୱାସ୍ଥ୍ୟବୀମାକୁ ନେଇ ସୁପ୍ରିମ କୋର୍ଟ ଙ୍କ କଡା ଆଭିମୁଖ୍ୟ,ଶୁଣାଇଲେ ରାୟ

18

ସ୍ୱାସ୍ଥ୍ୟ ବୀମା କରିବା ପରେ କମ୍ପାନୀ ବର୍ତ୍ତମାନର ସ୍ୱାସ୍ଥ୍ୟ କଥା କହି ହିତାଧିକାରୀଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ମନା କରିପାରିବ ନାହିଁ । କିମ୍ବା ହିତାଧିକାରୀ ଙ୍କୁ ଅସୁବିଧା ସମୟରେ ନିରାଶ କରିପାରିବେ ନାହିଁ I ସ୍ବାସ୍ଥ୍ୟବୀମା କମ୍ପାନୀର କୌଣସି ବାହାନା ଚଳିବ ନାହିଁ ବୋଲି ସ୍ୱାସ୍ଥ୍ୟ ବୀମା କମ୍ପାନୀଙ୍କ ପ୍ରତି କଡା ଆଭିମୁଖ୍ୟ ପୋଷଣ କରିବା ସହିତ ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟ ଇନସ୍ୟୁରେନ୍ସ କ୍ଲେମକୁ ନେଇ ଏକ ମାମଲାର ଶୁଣାଣି କରି କହିଛନ୍ତି, ଏକ ବୀମା କମ୍ପାନୀ ପଲିସି ଇସୁ ପରେ ପ୍ରସ୍ତାବ ଫର୍ମରେ ବୀମାଭୁକ୍ତ ବ୍ୟକ୍ତିଙ୍କ ଦ୍ୱାରା ପ୍ରକାଶିତ ବର୍ତ୍ତମାନର ସ୍ୱାସ୍ଥ୍ୟାବସ୍ଥାକୁ ଦର୍ଶାଇ କୌଣସି ହେଲ୍ଥ କ୍ଲେମ୍‌କୁ ଖାରଜ କରିପାରିବେ ନାହିଁ। ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ ଓ ଜଷ୍ଟିସ ଭିଭି ନାଗରତ୍ନାଙ୍କ ଦ୍ୱାରା ଗଡିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।
ବୀମାର ଲାଭ ଉଠାଇଥିବା ବ୍ୟକ୍ତିଙ୍କର ଅନେକ କର୍ତ୍ତବ୍ୟ ରହିଛି। ସେ ଫର୍ମରେ ନିଜ ଜାଣତରେ ସମସ୍ତ ତଥ୍ୟ ବୀମା କମ୍ପାନୀକୁ ପ୍ରଦାନ କରିବା ଉଚିତ। ଏହାଦ୍ୱାରା ହିତାଧିକାରୀ ସବୁକିଛି ଜାଣିଛି ବୋଲି ଗ୍ରହଣ କରାଯାଇଥାଏ। ତେବେ ସେ ଯାହା ଜାଣିଥାନ୍ତି ତାହା ସେ ଫର୍ମରେ ପୂରଣ କରିବେ। ହିତାଧିକାରୀଙ୍କୁ ବର୍ତ୍ତମାନର ସ୍ୱାସ୍ଥ୍ୟଅବସ୍ଥା କଥା କହି କମ୍ପାନୀ ଟଙ୍କା ଦେବାକୁ ମନା କରିପାରିବ ନାହିଁ। କାରଣ ଅନେକ ବ୍ୟକ୍ତି ଡାଇବେଟିସ୍, ରକ୍ତଚାପ ଆଦି ରୋଗ ଥିଲେ ଜାଣିପାରନ୍ତି ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମକୋର୍ଟ ମନମୋହନ ନନ୍ଦା ନାମକ ଜଣେ ବ୍ୟକ୍ତି କରିଥିବା ଆବେଦନର ଶୁଣାଣି କରିଥିଲେ । ଯେଉଁଥିରେ ସେ ରାଷ୍ଟ୍ରୀୟ ଉପଭୋକ୍ତା ବିଭାଗ ନିବାରଣ ଆୟୋଗ ବା ଏନସିଡିଆରସିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ ଦେଇଥିଲେ। ଏଥିରେ ଆୟୋଗ ଆମେରିକାରେ ଚିକିତ୍ସିତ ହୋଇଥିବା ଖର୍ଚ୍ଚ କମ୍ପାନୀ ଦେବ ନାହିଁ ବୋଲି କହିଥିଲେ।
ମନମୋହନ ‘ଓଭରସିଜ୍‌ ମେଡିକ୍ଲେମ ବିଜନେସ୍ ଆଣ୍ଡ ହଲିଡେ’ ପଲିସି କିଣିଥିଲେ। ଏହାପରେ ସେ ଆମେରିକା ଯାଇଥିଲେ। ସାନ ଫ୍ରାନସିସ୍କୋରେ ପହଁଚିବା ପରେ ତାଙ୍କୁ ହୃଦଘାତ ହୋଇଥିଲା। ଏହାପରେ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇ ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା। ଏହାପରେ ସେ ବୀମା ଟଙ୍କା ନେବାକୁ ଆବେଦନ କରିଥିଲେ । କିନ୍ତୁ କମ୍ପାନୀ ବ୍ୟକ୍ତିଙ୍କର ହାଇପରଲିପିଡିମିଆ ଓ ଡାଏବେଟିସ୍ ଥିବା କହିଥିଲା। ଏହି ସବୁ ତଥ୍ୟ ମନମୋହନ ଫର୍ମରେ ଲେଖିନଥିବା କମ୍ପାନୀ କହି ତାଙ୍କ ହେଲ୍ଥ କ୍ଳେମ୍‌କୁ ଖାରଜ କରିଦେଇଥିଲା।
ଏବେ ସୁପ୍ରିମକୋର୍ଟ କମ୍ପାନୀ ଦ୍ୱାରା ବୀମା ଆବେଦନ ଖାରଜକୁ ବେଆଇନ ବୋଲି କହିଛନ୍ତି। ଯେଉଁ ରୋଗ ବୀମାରୁ ସମ୍ପୂର୍ଣ୍ଣ ଭାବେ ବାଦ୍ ପଡିନି ସେଥିପାଇଁ କମ୍ପାନୀ କ୍ଷତିପୂରଣ ଦେବାକୁ ମନା କରିପାରିବ ନାହିଁ ବୋଲି କହିଛନ୍ତି କୋର୍ଟ।

Leave A Reply

Your email address will not be published.