ଭୁବନେଶ୍ୱର: ରାଜ୍ୟରେ ପାଣିପାଗର ଦ୍ୱୈତ ରୂପ ଦେଖିବାକୁ ମିଳିଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷାର ସମ୍ଭାବନା ଥିବା ବେଳେ ଏହା ପରେ ତାତିରୁ ନିସ୍ତାର ମିଳିବ ନାହିଁ। ଆସନ୍ତାକାଲିଠାରୁ ରାଜ୍ୟରେ ପାରଦ ଉପରମୁହାଁ ହେବା ସହ ୧୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ଖରା ଓ ଗୁଳୁଗୁଳି ଜନଜୀବନକୁ ଅତିଷ୍ଠ କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ବର୍ତ୍ତମାନ ଓଡ଼ିଶା ଉପରେ ଏକ ଟ୍ରପ୍ଲାଇନ୍ ସକ୍ରିୟ ରହିଥିବାରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୧ଟି ଜିଲ୍ଲାରେ ବର୍ଷା ଓ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି। ଏଥିସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ। ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ହେଲା: କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ଯାଜପୁର, ଭଦ୍ରକ ଓ ବାଲେଶ୍ୱର। ଶନିବାରଠାରୁ କାଳବୈଶାଖୀର ପ୍ରଭାବ କମିବା ସହ ଖରାର ପ୍ରକୋପ ବଢ଼ିବ। ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି। ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ସମସ୍ତ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ପ୍ରବଳ ଗରମ ସହ ଗୁଳୁଗୁଳି ଅନୁଭୂତ ହେବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ଆଲର୍ଟ’ ଜାରି କରାଯିବା ସହ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
Comments are closed, but trackbacks and pingbacks are open.