ରାଜ୍ୟର ୧୦୬ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୬୪୨ ଶିକ୍ଷକ ଓ ୨୬୦ ଅଣଶିକ୍ଷକ ପଦ ସୃଷ୍ଟି କଲେ ରାଜ୍ୟ ସରକାର

1,010

ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି । ରାଜ୍ୟ ସରକାର ମୋଟ ୯୦୨ଟି ପଦବୀ ତିଆରି କରିଛନ୍ତି । ଏଥିରେ ୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦ ରହିଛି । ଖୁବ୍ ଶୀଘ୍ର ଏନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ । ୬୪୨ ପୋଷ୍ଟ ଗ୍ରାଜୁଏଟ ଟିଚର(ପିଜିଟି) ପଦବୀ, ୨୪ ଲାବୋରେଟୋରୀ ଆସିଷ୍ଟାଣ୍ଟ୍‌, ୨୪ ଲାବୋରେଟୋରୀ ଆଟେଣ୍ଡାଣ୍ଟ୍‌, ୧୦୬ ଆସିଷ୍ଟାଣ୍ଟ୍ ଲାଇବ୍ରେରିଆନ, ୧୦୬ ଜୁନିୟର କ୍ଲର୍କ ପଦବୀ ସୃଷ୍ଟି ହୋଇଛି ।

ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଧ୍ୟାନ ଦେଇଆସୁଛନ୍ତି । ବିଦ୍ୟାଳୟଗୁଡି଼କର ଭିତ୍ତିଭୂମି ବିକାଶ ସହ ଶିକ୍ଷକ, ଅଣଶିକ୍ଷକ ପଦରେ ନିଯୁକ୍ତି ଦେଉଛନ୍ତି । ଏହି କ୍ରମରେ ୯୦୨ ପଦବୀକୁ ମଞ୍ଜୁରି ଦେଇ ଆଉ ଏକ ପଦକ୍ଷେପ ନେଇଛନ୍ତି ।

ଚଳିତ ବର୍ଷ ୧୦୬ ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ସରକାର ଉନ୍ନୀତ କରିଛନ୍ତି । ଏ ସବୁ ବିଦ୍ୟାଳୟରେ ଯୁକ୍ତ ୨ ଖୋଲିଛି । ଦଶମ ପଢ଼ିସାରିବା ପରେ ଛାତ୍ରଛାତ୍ରୀ ସିଧାସଳଖ ନିଜ ବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ିପାରିବେ । ସେମାନଙ୍କୁ ଶିକ୍ଷାଦାନ ପାଇଁ ଏହି ପଦବୀଗୁଡି଼କ ସୃଷ୍ଟି ହୋଇଛି । ସେହିପରି ପ୍ରତି ଉନ୍ନୀତ ମାଧ୍ୟମିକ ବିଦ୍ୟାଳୟରେ ଅଫିସ କାର୍ଯ୍ୟ, ଲାବ୍‌ର ସୁପରିଚାଳନା ଓ ପାଠାଗାର ପରିଚାଳନା ପାଇଁ ମଧ୍ୟ ସରକାର ବିଶେଷ ଧ୍ୟାନ ଦେଇ ଅଣ-ଶିକ୍ଷକ ପଦବୀଗୁଡିକୁ ମଞ୍ଜୁରୀ ଦେଇଛନ୍ତି ।

Comments are closed, but trackbacks and pingbacks are open.