ରାଜ୍ୟ କ୍ୟାବିନେଟ୍‌ରେ ୩୨ ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ

22

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ କ୍ୟାବିନେଟ୍‍ ବୈଠକ ଅନୁଷ୍ଠିତ ହୋଇଛି। ଅପରାହ୍ଣ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‍ ବୈଠକରେ ୩୨ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଆଜିର କ୍ୟାବିନେଟ୍‍ ବୈଠକରେ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦିଆଯାଇଛି। ୨୦୨୪ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାଇପ୍‌ ଜଳ ଯୋଗାଇବାକୁ ରାଜ୍ୟ ସରକାର ଏକ ପ୍ରକାର ପ୍ରତିଶ୍ରୁତିବଦ୍ଧ ରହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‍ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଯେ, ରାଜ୍ୟ ସରକାର ପାନୀୟ ପ୍ରକଳ୍ପକୁ ଗୁରୁତ୍ୱ ଦେଇଛନ୍ତି। ଏହାଦ୍ବାରା ପାଇପ ଯୋଗେ ଘରକୁ ଜଳ‌ଯୋଗାଣ ହୋଇପାରିବ।

ଆଗାମୀ ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ୧ ଲକ୍ଷ ଡିପ୍‌ ବୋର୍‌ ୱେଲ୍‌ ସ୍ଥାପନ ଲକ୍ଷ୍ୟ ରଖିଛନ୍ତି। ୨୬ ଜିଲ୍ଲା ଅନ୍ତର୍ଗତ ୨୫୬ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେବ। ଏଥି ପାଇଁ ୪୧୯୮.୧୬ କୋଟି ଟଙ୍କା ଖର୍ଚ୍ଚ ହେବ।୫ଲକ୍ଷ ହେକ୍ଟର ଜମି ହେବ ଜଳସେଚିତ।୧ ଲକ୍ଷରୁ ଅଧିକ କୃଷକ ପରିବାର ଉପକୃତ ହେବେ। ବରଗଡ଼ ମୁଖ୍ୟ କେନାଲର ପୁନଃରୁଦ୍ଧାର ଓ ପୁନର୍ବିନ୍ୟାସ ହେବ। ଏଥି ପାଇଁ ୧୬୦,୩୩,୦୪୬୦୩ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଗଂଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରି ଦେଇଛି। ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ୫୭୫୦ ହେକ୍ଟର ଜମି ଜଳସେଚନ ହୋଇପାରିବ। ଏହା ସହିତ ମିଶନ ଶକ୍ତି ପାଇଁ ରାଜ୍ୟ ସରକାର ହାତ ଖୋଲି ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏ ସଂପର୍କରେ ସୂଚନା ଦେଇଛନ୍ତି। ମିଶନ ଶକ୍ତି ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୪୯୭୩ କୋଟି ଟଙ୍କା। କ୍ୟାବିନେଟ୍ ନିଷ୍ପତ୍ତି ନେଇ ମୁଖ୍ୟ ମିଶନ ଶକ୍ତି ମହିଳା ଗୋଷ୍ଠୀକୁ ୫୦ ହଜାର କୋଟିର ବ୍ୟାଙ୍କ ଋଣ ମିଳିବ। ମିଶନ ଶକ୍ତି ଉତ୍ପାଦ ସାମଗ୍ରୀ ବିକ୍ରି ପାଇଁ ୫୦୦ ବଜାର ସୃଷ୍ଟି କରାଯିବ। ଭୁବନେଶ୍ଵର ସହରକୁ ପାନୀୟ ଜଳ ଯୋଗାଣ ପାଇଁ ହେବ ବ୍ୟାରେଜ। ପାଣ୍ଡରା ନିକଟରେ ୧୨୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ବ୍ୟାରେଜ। ନିର୍ମାଣ ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି। ସେହିପରି ଶିକ୍ଷା ଋଣରେ ସୁଧ ହାର ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ନିଯୁକ୍ତି କିମ୍ବା ନିଯୁକ୍ତି ପାଇନଥିବା ବିଦ୍ୟାର୍ଥୀଙ୍କର ଋଣ ଉପରେ ୧୦ ପ୍ରତିଶତ ସୁଧ ଧାର୍ଯ୍ୟ କରିଛି ବିଭାଗ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାଜ୍ୟର ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ଓଡିଶା ଲୋନ ଷ୍ଟାଇପେଣ୍ଡ ଫଣ୍ଡରୁ ଋଣ ଦେଇଥାନ୍ତି । ତେବେ ଧାର୍ଯ୍ୟ ସମୟରେ ଋଣ ପରିଶୋଧ ନକଲେ ରାଜିନାମା ଅନୁଯାୟୀ ୧୦ ପ୍ରତିଶତ ସୁଧ, ନିଯୁକ୍ତି ପାଇନଥିବା ଋଣ ଖିଲାପକାରୀଙ୍କଠାରୁ ୧୫ ପ୍ରତିଶତ ସୁଧ ଆଦାୟ କରାଯିବ ।
ଏହାବ୍ୟତୀତ ଅନୁଗୋଳରେ ମେଗା ଆଲୁମିନିୟମ ପାର୍କ ପ୍ରତିଷ୍ଠାକୁ ମଧ୍ୟ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। ଆଲୁମିନିୟମ ପାର୍କ ଜମି ଅଧିଗ୍ରହଣ ପାଇଁ ଇଡକୋକୁ ମିଳିବ ୪୨୮ କୋଟି ଟଙ୍କା।

ସେହିଭଳି ରାଜ୍ୟର ୨୪ଟି ଘରୋଇ ଉଚ୍ଚପ୍ରାଥମିକ ସ୍କୁଲକୁ ଜାନୁଆରୀ ପହିଲାରୁ ପିଛିଲା ଭାବେ ମିଳିବ ଅନୁଦାନ। ଏହା ସହିତ ୫ ବର୍ଷରେ ୧ ଲକ୍ଷ ନୂଆ ନଳକୂପ ଖୋଳାଯିବ। ଏଥିପାଇଁ ବ୍ୟୟ ହେବ ୪୧୯୮ କୋଟି ଟଙ୍କା। ଜଳସେଚନ ପାଇଁ ୩ ବର୍ଷରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ କରାଯିବ। ଏଥିପାଇଁ ୮୧୧ କୋଟି ଟଙ୍କା ବ୍ୟୟ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Comments are closed, but trackbacks and pingbacks are open.