ହାଇଦ୍ରାବାଦ: କର୍ଣ୍ଣାଟକ ପରେ ଏବେ ତେଲେଙ୍ଗାନାରେ ବୁର୍ଖାକୁ ନେଇ ବିବାଦ । ଶୁକ୍ରବାର ବୁର୍ଖା ପିନ୍ଧି ପରୀକ୍ଷା କେନ୍ଦ୍ରକୁ ଆସିଥିବା ଛାତ୍ରୀ ଅଭିଯୋଗ କରିଛନ୍ତି, ସେମାନଙ୍କୁ କେଭି ରଙ୍ଗା ରେଡ୍ଡୀ ମହିଳା ଡିଗ୍ରୀ କଲେଜର ଷ୍ଟାଫ ପରୀକ୍ଷା କେନ୍ଦ୍ରରେ ବସିବାକୁ ଅନୁମତି ଦେଇ ନ ଥିଲେ । ମୁସଲିମ ସଂପ୍ରଦାୟର ଏହି ଛାତ୍ରୀମାନେ ଅଭିଯୋଗ କରିଛନ୍ତି ଯେ, ପରୀକ୍ଷା ଦେବା ପୂର୍ବରୁ ତାଙ୍କୁ ଅଧଘଣ୍ଟା ଅପେକ୍ଷା କରିବାକୁ ପଡିଲା । ଶେଷରେ ସେମାନେ ବୁର୍ଖା ଖୋଲିବା ପରେ ପରୀକ୍ଷା ହଲକୁ ଯିବା ଲାଗି ଅନୁମତି ମିଳିଥିଲା ।
ଅନ୍ୟ ପକ୍ଷେ ଏହି ବିବାଦକୁ ନେଇ ତେଲେଙ୍ଗାନା ଗୃହମନ୍ତ୍ରୀ ଦେଇଥିବା ବିବାଦୀୟ ବୟାନକୁ ନେଇ ଉତ୍ତେଜନା ଦେଖା ଦେଇଛି । ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ ଅଲ୍ଲୀ କହିଛନ୍ତି, ମହିଳାମାନେ ଯେତେ ସମ୍ଭବ ନିଜକୁ ଘୋଡାଇ ରଖିବା ଉଚିତ । ତାଙ୍କୁ ରଙ୍ଗା ରେଡ୍ଡି କଲେଜରେ ଘଟିଥିବା ଘଟଣା ପ୍ରସଙ୍ଗରେ ପଚରାଯିବାରୁ ସେ କହିଥିଲେ, ଯଦି ମହିଳାମାନ; ଛୋଟ କପଡା ପିନ୍ଧୁଛନ୍ତି ତେବେ ସମସ୍ୟା ଦେଖା ଦେଉଛି ।’
ମନ୍ତ୍ରୀ ଆହୁରି କହିଥିଲେ, ଆମର ନୀତି ସମ୍ପୂର୍ଣ୍ଣ ଭାବେ ଧର୍ମନିରପେକ୍ଷ । କିଏ କ’ଣ ପିନ୍ଧିବେ, ତାହା ସଂପୂର୍ଣ୍ଣ ଭାବେ ତାଙ୍କର ବ୍ୟକ୍ତିଗତ ଅଧିକାର। ସମସ୍ତେ ହିନ୍ଦୁ ବା ମୁସ୍ଲିମ୍ ସଂସ୍କୃତି ଅନୁଯାୟୀ ପୋଷାକ ପିନ୍ଧିବା ଉଚିତ୍। ଇଉରୋପୀୟ ସଂସ୍କୃତିକୁ ଆପଣାଇବା ଉଚିତ ନୁହେଁ। ଯଦି ଏମିତି କରିବେ ତେବେ ପରିସ୍ଥିତି ଖରାପ ହେବ । ଆମେ ଆମର ପୋଷାକ ସଂସ୍କୃତିକୁ ସମ୍ମାନ ଦେବା ଉଚିତ । ବିଶେଷ କରି ମହିଳାମାନେ ଛୋଟ କପଡା ପିନ୍ଧିବା ଉଚିତ ନୁହେଁ । ଯେତେ ସମ୍ଭବ ନିଜକୁ ଘୋଡାଇ ରଖିବା ଉଚିତ ।’
ଆଜମପୁରାର ଏକ ୱାର୍ଡ କାର୍ଯ୍ୟାଳୟ ଉଦଘାଟନ ଅବସରରେ ମହମୁଦ ଅଲ୍ଲୀ କହିଥିଲେ, ରଙ୍ଗା ରେଡ୍ଡି କଲେଜରେ ଘଟିଥିବା ଘଟଣାର ଆମେ ସମୀକ୍ଷା କରିବୁ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।
Comments are closed, but trackbacks and pingbacks are open.