ଖସିଛି ପାରଦ, ବଢ଼ୁଛି ଶୀତ

23

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ବଢ଼ିଛି । ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ଖସିଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୨୦ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ରହିଥିବା ରେକର୍ଡ କରାଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ସବୁଠୁ ଥଣ୍ଡା ସହର ରହିଛି । ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ୭.୨ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି । ଆଗାମୀ ୩ ରୁ ୪ ଦିନ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନାହିଁ । ରାଜ୍ୟରେ ଥଣ୍ଡା ଅନୁଭୂତ ହେବ ବୋଲି ମଧ୍ୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି କୋରାପୁଟର ଶିମିଳିଗୁଡ଼ା । ଏଠାରେ ରାତିର ସର୍ବନିମ୍ନ ତାପମାତ୍ରା ତାପମାତ୍ରା ରହିଛି ୯ ଡିଗ୍ରୀ । ସେହିପରି ଫୁଲବାଣୀରେ ୧୦.୫ ଡିଗ୍ରୀ, କୋରାପୁଟରେ ୧୧, ଦାରିଙ୍ଗିବାଡ଼ି୧୧, ଦେବଗଡ଼୧୩, ହୀରାକୁଦ୧୩.୩, ବୌଦ୍ଧ ଓ ରାଣିତାଲ(ଭଦ୍ରକ)୧୩.୫, ଢେଙ୍କାନାଳ ଓ ନୟାଗଡ଼୧୩.୫, ସୋନପୁର୧୪.୬ ଓ ସମ୍ବଲପୁର୧୪.୯ ଡିଗ୍ରୀ ରେକର୍ଡ କରାଯାଇଛି । କଟକରେ ରାତିର ସର୍ବନିମ୍ନ ତାପମାତ୍ରା ୧୬.୪ ଥିବା ବେଳେ ଭୁବନେଶ୍ୱରରେ ଏହା ୧୬ ଡିଗ୍ରି ସେଲସିଅସ୍ ରେକର୍ଡ କରାଯାଇଛି । ଅପରପେକ୍ଷ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତ୍‌ସଂଲଗ୍ନ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆଜି (ମଙ୍ଗଳବାର) ସନ୍ଧ୍ୟାରେ ଜାରି ଏକ ସୂଚନାରେ କୁହାଯାଇଛି । ଜାରି ସୂଚନା ଅନୁଯାୟୀ ଲଘୁଚାପ ଆସନ୍ତାକାଲି ବଙ୍ଗୋପସାଗର ଏବଂ ପାର୍ଶ୍ୱବର୍ତ୍ତୀ ଆଣ୍ଡାମାନ ସାଗର ସଂଲଗ୍ନ ଅଞ୍ଚଳ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଲଘୁଚାପଟି ଧୀରେ ଧୀରେ ଦକ୍ଷିଣ- କେନ୍ଦ୍ରୀୟ ବଙ୍ଗୋପସାଗରର ଉପରେ ଗତିକରି ନଭେମ୍ବର ୧୮ ତାରିଖରେ ଏକ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଆଣ୍ଡାମାନ ଏବଂ ନିକୋବରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଓଡ଼ିଶା ଉପରେ ଏହି ଲଘୁଚାପର କୌଣସି ପ୍ରକାର ପ୍ରଭାବ ପଡ଼ିବାର କିମ୍ବା ବର୍ଷା ହେବାର ସମ୍ଭାବନା ନଥିବା ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ।

Comments are closed, but trackbacks and pingbacks are open.