ମହାପ୍ରଭୁଙ୍କ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ

256

ପୁରୀ: ଦାୟିତ୍ବ ନେବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଗତକାଲି (ମଙ୍ଗଳବାର) ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପରେ ଆଜି ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ତେବେ ରାଜ୍ୟପାଳ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଶ୍ରୀକ୍ଷେତ୍ର ଗସ୍ତ ।

ଶ୍ରୀମନ୍ଦିର ସିଂହଦ୍ଵାର ଠାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଏସପି ଡ. କନୱର ବିଶାଳ ସିଂ ତାଙ୍କୁ ସ୍ବାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ସେହିପରି ସେବାୟତମାନେ ରାଜ୍ୟପାଳଙ୍କୁ ଖଣ୍ଡୁଆ ପାଟ ଦେଇ ସ୍ବାଗତ କରିଥିଲେ । ପ୍ରଥମେ ପତିତପାବନଙ୍କ ଦର୍ଶନ କରିବା ପରେ ଭିତରକାଠ ନିକଟରୁ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିଥିଲେ ରାଜ୍ୟପାଳ ।

ଏହାପରେ ମା’ ମହାଲକ୍ଷ୍ମୀ, ମା’ ବିମଳା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ ସହ ଆଶିଷ ଲାଭ କରିଥିଲେ ରାଜ୍ୟପାଳ । ସେ ପ୍ରାୟ ଅଧଘଣ୍ଟା ଶ୍ରୀମନ୍ଦିର ଭିତରେ ଅତିବାହିତ କରିଥିଲେ । ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ ପୂର୍ବରୁ ମଧ୍ୟ ସପରିବାର ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ରାଜ୍ୟପାଳ ରଘୁବର ଦାସ ।

ତେବେ ଗତକାଲି ଶପଥ ନେବା ପରେ ଆଜି ମହାପ୍ରଭୁଙ୍କ ଦର୍ଶନ କରି ରାଜ୍ୟ ତଥା ଦେଶର ମଙ୍ଗଳକାମନା କରିଛନ୍ତି ରାଜ୍ୟପାଳ । ପରେ ସେ ପୁରୀ ରାଜଭବନରେ କିଛି ସମୟ ଅତିବାହିତ କରିବା ପରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି 

Comments are closed, but trackbacks and pingbacks are open.