ଭୁଶୁଡ଼ିଲା ସ୍କୁଲ୍ ପାଚେରି, ଚାଲିଗଲା ପଞ୍ଚମଶ୍ରେଣୀ ଛାତ୍ରଙ୍କ ଜୀବନ

228

ଭୁବନେଶ୍ବର: କଣ୍ଟାପଡ଼ା ବ୍ଲକ ତଥା ଗୋବିନ୍ଦପୁର ଥାନା ଅନ୍ତର୍ଗତ ନୋଦା ଅଞ୍ଚଳରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପାଚେରି କାନ୍ଥ ଭୁଶୁଡ଼ି ପଡ଼ିବାରୁ ଚାପି ହୋଇ ଜଣେ ୫ମ ଶ୍ରେଣୀ ଛାତ୍ରଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣାକୁ ନେଇ ସମ୍ପୃକ୍ତ ଗ୍ରାମ ଓ ଅଞ୍ଚଳରେ ଗଭୀର ଉତ୍ତେଜନା ପ୍ରକାଶ ପାଇବା ସହିତ ଉତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଛନ୍ତି। ସୂଚନା ମୁତାବକ କଣ୍ଟାପଡ଼ା ବ୍ଲକ ଡିମିରି ପଞ୍ଚାୟତ ଅନ୍ତର୍ଗତ ନୋଦା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ୍ ପାଚେରିର ଏକ ଅଂଶ ମଧ୍ୟାହ୍ନ ଭୋଜନ ଖାଇବାକୁ ଯାଉଥିବା ୫ମ ଶ୍ରେଣୀ ଛାତ୍ର ସାଇ ସ୍ୱରୂପ ଭୋଇଙ୍କ ଉପରେ ହଠାତ୍ ଭୁଶୁଡ଼ି ପଡ଼ିିଥିଲା। ଭଙ୍ଗା ପାଚେରି କାନ୍ଥ ତଳେ ସାଇ ଚାପି ହୋଇଯାଇଥିଲେ। ତାଙ୍କୁ ଗ୍ରାମବାସୀ ଉଦ୍ଧାର କରି ସଙ୍ଗେସଙ୍ଗେ ଅଡ଼ଶପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସାଇ ସ୍ୱରୂପଙ୍କର ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ନୋଦା ଗ୍ରାମ ଓ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଛାତ୍ରାଭିଭାବକ, ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ବିଦ୍ୟାଳୟରେ ରୁଣ୍ଡ ହୋଇ ଶିକ୍ଷକଙ୍କ ବଦଳି ଓ ପାଚେରି ନିର୍ମାଣ କରିଥିବା ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିପୂରଣ ପ୍ରଦାନ ଦାବିରେ ରାସ୍ତା ଅବରୋଧ କରିଥିଲେ। ଫଳରେ ଅଡ଼ଶପୁର-ଜଗତସିଂହପୁର ଭାୟା କସର୍ଦ୍ଦା ରାସ୍ତା ଦୀର୍ଘ ସମୟ ଧରି ବନ୍ଦ ହୋଇଯାଇଥିଲା। ଉକ୍ତ ରାସ୍ତାର ଉଭୟ ପଟରେ ଶହ ଶହ ସଂଖ୍ୟକ ଯାନବାହନ ଅଟକି ରହିଥିଲା। ଖବର ପାଇ କଣ୍ଟାପଡ଼ା ଅତିରିକ୍ତ ତହସିଲଦାର ଆଦ୍ୟାଶା ପ୍ରିୟଦର୍ଶିନୀ ବଳ, ସଦର ଉପଖଣ୍ଡ ପୁଲିସ ଏସ୍‌ଡିପିଓ କିରଣ ହେମ୍ବ୍ରମ, ଡିମିରି ଫାଣ୍ଡି ଅଧିକାରୀ ଦୁର୍ଯ୍ୟୋଧନ ସେଠୀ, ଗୋବିନ୍ଦପୁର ଥାନା ଆଇଆଇସି ସୋନିଲା ଆନନ୍ଦ, କଣ୍ଟାପଡ଼ା ବିଡିଓ ସ୍ୱପ୍ନିତା ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ଖବର ଲେଖାହେଲା ବେଳକୁ ଚାପା ଉତ୍ତେଜନା ଲାଗି ରହିବା ସହ କୌଣସି ନିଷ୍ପତ୍ତି ନିଆଯାଇନାହିଁ ଏବଂ ରାସ୍ତା ଅବରୋଧ ବଳବତ୍ତର ରହିଥିବା ଜଣାଯାଇଛି। ମୃତ ଛାତ୍ର ନିକଟସ୍ଥ ଅରିଶୋଲ ଗ୍ରାମର ଶିଶିରକୁମାର ଭୋଇଙ୍କ ଏକମାତ୍ର ପୁତ୍ର ଥିଲେ।

Comments are closed, but trackbacks and pingbacks are open.