ଆଜିଠୁ ଖୋଲିଲା ସ୍କୁଲ , ୧୦ରୁ ୪ ପାଠପଢ଼ା

39

ରାଜ୍ୟରେ ଆଜିଠାରୁ ଖୋଲିଲା ସମସ୍ତ ସ୍କୁଲ । ୧୧ ଦିନିଆ ଗ୍ରୀଷ୍ମ ଛୁଟି ସରିବା ପରେ ଶୁକ୍ରବାରଠାରୁ ଆରମ୍ଭ ହେବ ଶ୍ରେଣୀଗୃହ ଶିକ୍ଷାଦାନ। ଚଳିତ ମାସ ୫ ତାରିଖ ସକାଳୁଆ ବିଦ୍ୟାଳୟର ଅନ୍ତିମ ତାରିଖ ଥିଲା। ଏହି ଅବଧି ଅତିକ୍ରାନ୍ତ ହୋଇଥିବା ବେଳେ ୬ରୁ ଖରାଛୁଟି ଘୋଷଣା ହୋଇଥିଲା। ଆଜି ପୂର୍ବ ଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ପାଠ ପଢାଯିବ। ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନ ପ୍ରଧାନଶିକ୍ଷକ ସମସ୍ତ ଶିକ୍ଷକଙ୍କ ସହ ବୈଠକ କରି ସମୟ ସାରଣୀ ପ୍ରସ୍ତୁତ କରିବେ। ଏହି ସାରଣୀ ମୁତାବକ କିଭଳି ଭାବେ ପାଠ୍ୟକ୍ରମ ସରିବ ସେ ଦିଗରେ ପଦକ୍ଷେପ ନେବେ। ଶିକ୍ଷକ ଶିକ୍ଷୟିତ୍ରୀ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚିବେ ଏବଂ ଅପରାହ୍ଣ ସାଢେ଼ ୪ଟା ଯାଏଁ ସ୍କୁଲ ପରିସରରେ ଉପସ୍ଥିତ ରହିବେ।


ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ପକ୍ଷରୁ ବିଦ୍ୟାଳୟ ଖୋଲିବା ଓ ପାଠପଢା ନେଇ ନିୟମାବଳୀ ଜାରି କରାଯାଇଛି। ୨୦୨୨-୨୩ ଶିକ୍ଷାବର୍ଷରେ ସମସ୍ତ ପାଠ୍ୟକ୍ରମ ସାରିବାକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ କାମ କରିବେ। ସଠିକ୍‌ ଭାବେ ଏକାଡେମିକ୍‌ କ୍ୟାଲେଣ୍ଡର ପ୍ରସ୍ତୁତ ସହ ଚଳିତ ଶିକ୍ଷାବର୍ଷ ଯେପରି ୨୦୨୩ ମାର୍ଚ୍ଚ ସୁଦ୍ଧା ସରିବ ସେ ଦିଗରେ ପ୍ରଧାନଶିକ୍ଷକ ଧ୍ୟାନ ଦେବେ। ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଛାପା ଯାଇଥିବା ଏଫ୍‌ଏଲଏନ୍‌ ଓ ୪ର୍ଥରୁ ୮ମ ଶ୍ରେଣୀ ପିଲାଙ୍କ ପାଇଁ ଏଲ୍‌ଇପି ବହିକୁ ପାଠ୍ୟପୁସ୍ତକ ସହ ପ୍ରଦାନ କରାଯିବ। ଉଭୟ ପୁସ୍ତକ ପଢାଯିବ। ପ୍ରତି ଶ୍ରେଣୀରେ ବିଷୟ ମୁତାବକ ସମୟ ସାରଣୀ ଲଗାଯିବ।


ସୂଚନା ଥାଉକି, ଉଚ୍ଚଶିକ୍ଷା ବିଭାଗ ଚଳିତ ବର୍ଷ ଖରାଛୁଟି ସମୟକୁ କମ୍‌ କରି ପିଲାଙ୍କର ପାଠପଢ଼ା ଶେଷ କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରାମର୍ଶ ଦେଇଥିଲା । ପିଲାଙ୍କ ପଢ଼ା ଓ ପରୀକ୍ଷା ଶେଷ ହୋଇ ନଥିବାରୁ ଠିକ୍‌ ସମୟରେ ପିଲାଙ୍କ ପଢ଼ା ସାରି ପରୀକ୍ଷା ଆୟୋଜନ ପାଇଁ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଥିଲା । ଛୁଟି ଦିନରେ ମଧ୍ୟ ସ୍ୱତନ୍ତ୍ର କ୍ଲାସ କରି ପିଲାଙ୍କ ପଢ଼ା କ୍ଷତି ଭରଣା କରିବାକୁ ପ୍ରମୁଖ ଶାସନ ସଚିବ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ

Comments are closed, but trackbacks and pingbacks are open.