ନୂଆଦିଲ୍ଲୀ : ଗୋଟିଏ ପଟେ ଭାରତ ସରକାର ଦେଶର ଅର୍ଥନୀତିକୁ ଦୃଢ଼ରୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରୁଥିବା ବେଳେ ଅନ୍ୟପକ୍ଷେ ଭାରତୀୟ ମୁଦ୍ରା, ଡଲାର ତୁଳନାରେ କିନ୍ତୁ ନିଜ ସ୍ଥିତି ହରାଇବାରେ ଲାଗିଛି। ଶୁକ୍ରବାର ବଜାର ବନ୍ଦ ହେବା ବେଳକୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୮ ପଇସା ପର୍ଯ୍ୟନ୍ତ ହ୍ରାସ ପାଇଥିଲା। ଶୁକ୍ରବାର ବଜାର ବନ୍ଦ ହେବା ସମୟ ସୁଦ୍ଧା ଏକ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ୮୬.୦୪ ଟଙ୍କା ଥିଲା। ତେବେ ସୋମବାର ଏହା ପୁଣି ୩୮ ପଇସା ହ୍ରାସ ପାଇଛି। ଏହି ହ୍ରାସ ସହ ଭାରତୀୟ ମୁଦ୍ରା ଆମେରିକାର ଡଲାର ତୁଳନାରେ ସବୁଠାରୁ ଦୁର୍ବଳ ସ୍ଥିତିରେ ପହଞ୍ଚିଛି। କ୍ରମାଗତ ଦ୍ୱିତୀୟ ଥର ପାଇଁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ପାଇଛି। ଆମେରିକା ବଜାରରେ ନିଯୁକ୍ତି ଆଶା ଠାରୁ ଅଧିକ ରହିବାରୁ ଭାରତରେ ଏପରି ସ୍ଥିତି ସୃଷ୍ଟି ହୋଇଛି। ସୋମବାର ଶେୟାର ବଜାର ଖୋଲିବା କ୍ଷଣି ଟଙ୍କାର ମୂଲ୍ୟ ହ୍ରାସ ପାଇଥିଲା। ଏବେ ୧ ଡଲାରର ମୂଲ୍ୟ ୮୬.୪୨ ଟଙ୍କା ରହିଛି। ପୂର୍ବରୁ କେବେ ହେଲେ ଏବି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଏତେ ପରିମାଣର ହ୍ରାସ ପାଇ ନଥିଲା। ଅନ୍ୟପକ୍ଷରେ ଡଲାର ଇଣ୍ଡେକ୍ସ ୦.୨୨% ବୃଦ୍ଧି ପାଇଁ ଦୁଇ ବର୍ଷରେ ମଧ୍ୟରେ ସର୍ବାଧିକ ୧୦୯.୭୨ରେ ପହଞ୍ଚିଛି। ୧୦ ବର୍ଷିଆ ଆମେରିକୀୟ ବଣ୍ଡ ମଧ୍ୟ ୪.୭୬% ରହିଛି। ଡଲାର ଶକ୍ତିଶାଳୀ ହେବା ବ୍ୟତୀତ ଅଶୋଧିତ ତୈଳର ମୂଲ୍ୟବୃଦ୍ଧି, ବିଦେଶ ପୁଞ୍ଜିର ପ୍ରତ୍ୟାହାର ଓ ଘରୋଇ ଷ୍ଟକ୍ରେ ନକାରାତ୍ମକ ଟ୍ରେଣ୍ଡ ଯୋଗୁ ଟଙ୍କା ଦୁର୍ବଳ ହୋଇଥିବା କୁହାଯାଉଛି।
Comments are closed, but trackbacks and pingbacks are open.