‘ଜୱାଦ’ ପ୍ରଭାବରେ ଆସନ୍ତା ଦୁଇ ଦିନ ଉତ୍ତର ଓଡ଼ିଶାରେ ଲାଗି ରହିପାରେ ବର୍ଷା

16

ଜୱାଦ’ ର ପ୍ରଭାବ ଟ୍ୱିନ୍‌ ସିଟି ରେ କମି ଯାଇଥିବାବେଳେ ଆସନ୍ତା ଦୁଇ ଦିନ ପାଇଁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ଠାରୁ ଉତ୍ତର ଓଡ଼ିଶାରେ ବର୍ଷା ଲାଗି ରହିପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱର ଓ କଟକରେ କିଛି ସ୍ଥାନରେ ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟରର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏପରିକି ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ବର୍ଷା ଯୋଗୁ ଦୁଇ ସହରର ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି। ପବନ ଯୋଗୁ ଗଛ ଗୁଡ଼ିକର ଡାଳ ଭାଙ୍ଗିପାରେ। ଏଥିପାଇଁ ପ୍ରସ୍ତୁତ ରହିବାକୁ ସରକାରଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ପୁରୀ ଠାରୁ ୨୭୦ କିମି ଦୂରରେ ଅଛି ଗଭୀର ଅବପାତରେ ପରିଣତ ହୋଇସାରିଥିବା ବାତ୍ୟା ‘ଜଓ୍ୱାଦ’। ସେହିପରି ଗୋପାଳପୁରଠୁ ୨୦୦ କିମି ଓ ପାରାଦୀପ ଠାରୁ ୩୬୦ କିମି ଦୂରରେ ଏହା ରହିଛି। ଆଉ କିଛି ସମୟ ପରେ ଏହା ଆହୁରି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ଅବପାତରେ ପରିଣତ ହୋଇ ଏହା ଆଜି ମଧ୍ୟାହ୍ନରେ ପୁରୀ ପାଖାପାଖି ପହଞ୍ଚିବ।
ସେ କହିଛନ୍ତି, ଜୱାଦ ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି। ଗୋପାଳପୁରରେ ସର୍ବାଧିକ ୬୦ ମିମି ବର୍ଷା ରେକର୍ଡ କରାଯାଇଛି। ସେହିଭଳି ପାରାଦୀପରେ ୪୬ମିମି, ଚାନ୍ଦବାଲିରେ ୨୮ମିମି, ବାଲେଶ୍ୱରରେ ୨୪ ମିମି, ଭୁବନେଶ୍ୱରରେ ୨୪.୩ମିମି ଓ ପୁରୀରେ ୨୧ ମିମି ବର୍ଷା ରେକର୍ଡ କରାଯାଇଛି।

Leave A Reply

Your email address will not be published.